31.1 C
Bhubaneswar
Tuesday, November 3, 2026
Homeଓଡିଶାବ୍ରହ୍ମପୁର ସାମ୍ବାଦିକ ସମ୍ମିଳନୀରେ ପିସିସି ଟିମ୍‌ର ଉଦ୍‌ବେଗ

ବ୍ରହ୍ମପୁର ସାମ୍ବାଦିକ ସମ୍ମିଳନୀରେ ପିସିସି ଟିମ୍‌ର ଉଦ୍‌ବେଗ

ବ୍ରହ୍ମପୁର: ଗତ ତିନିଦିନ ହେଲା ବନ୍ୟା ପ୍ରଭାବିତ ଗଂଜାମ ଜିଲ୍ଲା ପରିଦର୍ଶନ କରି ପିସିସିର ଅନୁଧ୍ୟାନ କମିଟି ସୋମବାର ସନ୍ଧ୍ୟାରେ ବ୍ରହ୍ପୁର ଗାନ୍ଧୀ ଆଶ୍ରମ ରୋଡ଼ସ୍ଥିତ ଡିସିସି କାର୍ଯ୍ୟାଳୟରେ ସାମ୍ବାଦିକ ସମ୍ମିଳନୀ କରିଥିଲେ। ପୂର୍ବତନ ମନ୍ତ୍ରୀ ତଥା ପିସିସି କମିଟିର ଅଧ୍ୟକ୍ଷ ଜଗନ୍ନାଥ ପଟ୍ଟନାୟକ କହିଲେ, ସରକାର ବନ୍ୟା ପରିସ୍ଥିତି ମୁକାବିଲା କରିବାରେ ସମ୍ପୂର୍ଣ୍ଣ ବିଫଳ ହୋଇଛନ୍ତି। ଉଦ୍ଧାର କାର୍ଯ୍ୟ ଓ ରିଲିଫ ବଣ୍ଟନ ମଧ୍ୟ ନୈରାଶ୍ୟଜନକ। ଚାଷୀ ଆତ୍ମହତ୍ୟା ଘଟଣା ପ୍ରମାଣ କରୁଛି ଯେ, ସରକାର ସ୍ବାଭାବିକ ଅବସ୍ଥା ଫେରାଇ ଆଣି କ୍ଷତିଗ୍ରସ୍ତ ଚାଷୀଙ୍କୁ ସହାୟତା ଦେବେ ବୋଲି ଚାଷୀକୂଳର ଭରସା ନାହିଁ। ତେଣୁ ସରକାର ତୁରନ୍ତ କ୍ଷୟକ୍ଷତିର ଆକଳନ କରନ୍ତୁ; ସର୍ବଦଳୀୟ ବୈଠକ ଡାକି, ଅଭିଜ୍ଞ ସ୍ବେଚ୍ଛାସେବୀ ଅନୁଷ୍ଠାନଗୁଡ଼ିକୁ ଡାକି ଆଲୋଚନା କରନ୍ତୁ।

ପୂର୍ବତନ ମନ୍ତ୍ରୀ ପଞ୍ଚାନନ କାନୁନଗୋ କହିଲେ, ଗତ ତିନିଦିନ ହେଲା ଜିଲ୍ଲାର ଏମିତି ଗୋଟିଏ ବି ଜାଗା ନାହିଁ ଯେଉଁଠାକୁ ଯାଇନାହୁଁ। ଆମେ ଭଂଜନଗର, କବିସୂର୍ଯ୍ୟନଗର, ଦିଗପହଣ୍ଡି, ହିଂଜିଳିକାଟୁ, ଚିକିଟି ପରି ସବୁ ଅଂଚଳ ଗସ୍ତ କରିଛୁ। ଘରଗୁଡ଼ିକ ଭିତରେ ୪-୫ ଫୁଟ ପାଣି ଥିବାର ମଧ୍ୟ ଦେଖିଛୁ। ଆସ୍କା, ଭଂଜନଗରର ଏପରି କୌଣସି ବସ୍ତି ନାହିଁ ଯେଉଁଠି ଘର ଭିତରକୁ ପାଣି ପଶିନାହିଁ। ଦୁର୍ଗନ୍ଧରେ ନାକ ଫାଟିଯାଉଛି, ଅଥଚ ବ୍ଲିଚିଂ ପାଉଡର ଟିକେ ପଡ଼ିବା ବି ଦେଖିଲୁ ନାହିଁ। ଯାହା କରିଛନ୍ତି କିଛି ସ୍ବେଚ୍ଛାସେବୀ ଅନୁଷ୍ଠାନ କରିଛନ୍ତି। ସରକାର ତୁରନ୍ତ ଆତ୍ମହତ୍ୟା କରିଥିବା ଚାଷୀ ପରିବାରକୁ ୨୦ ଲକ୍ଷ ଟଙ୍କା ସହାୟତା ଦିଅନ୍ତୁ ବୋଲି ସେ ଦାବି କରିଥିଲେ।

ବରିଷ୍ଠ ଆଇନଜୀବୀ ତଥା ପିସିସି ପିଏସି ସଦସ୍ୟ ଶିବାନନ୍ଦ ରାୟ ଗତ ଦୁଇଦିନ ବନ୍ୟାଂଚଳ ପରିଦର୍ଶନ ସମୟରେ ଏକାଧିକ ହୃଦୟବିଦାରକ ଦୃଶ୍ୟ ଦେଖିବା ସହ ବନ୍ୟାବେଳେ ଲୋକ ଭୋଗିଥିବା କିଛି ଛାତିଥରା କାହାଣୀ ବର୍ଣ୍ଣନା କରିଥିଲେ। ଏତେବଡ଼ ବିପର୍ଯ୍ୟୟରେ ସରକାର ଲୋକଙ୍କୁ କି ସାହାଯ୍ୟ କରୁଛନ୍ତି ଆମେ ଜାଣିପାରିଲୁ ନାହିଁ। ସବୁକିଛି ନାହିଁନାହିଁରେ ଚାଲିଛି। ସରକାର ନିଜ ଉପରେ ବିଶ୍ବାସ ପ୍ରକଟ କରନ୍ତୁ, ଆମେ ମଧ୍ୟ ସହଯୋଗ କରିବାକୁ ଆସିଛୁ, ଆମକୁ ମଧ୍ୟ କନଫିଡେନ୍ସରେ ନିଅନ୍ତୁ, ପ୍ରପୀଡ଼ିତମାନଙ୍କର ଦୁଃଖ କିଛିଟା ଲାଘବ ହେବ।

ଏହି ସାମ୍ବାଦିକ ସମ୍ମିଳନୀକୁ ସଂଯୋଜନା କରି ଡିସିସି ସଭାପତି ରଶ୍ମିରଂଜନ ପଟ୍ଟନାୟକ କହିଲେ, ପିସିସି ସଭାପତିଙ୍କ ନିର୍ଦ୍ଦେଶ କ୍ରମେ ଆମେ ଦିଲ୍ଲୀ ରାଲି ଛାଡ଼ି ବନ୍ୟାଂଚଳର ପ୍ରଭାବିତ ଲୋକଙ୍କ ସହାୟତା ପାଇଁ ଫେରିଆସିଛୁ। ଗଂଜାମର ରମ୍ଭାଠୁ ଆରମ୍ଭ କରି ବଡ଼ମାଧବପୁର, ଚିକିଟି ରସୁଲପୁର, ବଡ଼ଡୁମୁଡ଼ା ଆଦି ଅଞ୍ଚଳ ବୁଲିଲୁ। ପିସିସିର ଏକ ପ୍ରତିନିଧି ଦଳ ଦୁଇଦିନ ହେଲା ଗଞ୍ଜାମରେ ବନ୍ୟାଞ୍ଚଳ ପରିଦର୍ଶନ କରିବା ସହ ପ୍ରଭାବିତଙ୍କୁ ରିଲିଫ ବଣ୍ଟନ କାର୍ଯ୍ୟ ତଦାରଖ କରୁଛନ୍ତି। ଆସନ୍ତାକାଲି ଦିଗପହଣ୍ଡି ଅଞ୍ଚଳକୁ ଯିବୁ। ପିସିସି ଟିମ୍ ସ୍ଥିତି ଅନୁଧ୍ୟାନ ସହ କ୍ଷୟକ୍ଷତି ଆକଳନ କରି ଫେରୁଛନ୍ତି। ତା’ପରେ ପିସିସି ସଭାପତି ଭକ୍ତଚରଣ ଦାସ ମଧ୍ୟ ଆସି ରାହୁଲ ଗାନ୍ଧିଙ୍କ ତରଫରୁ ରିଲିଫ ବାଣ୍ଟିବେ। ପାଞ୍ଚଦିନ ହୋଇଗଲାଣି, ସରକାର ଏ ଯାଏ ରିଲିଫ ବାଣ୍ଟୁନାହାନ୍ତି। ଲୋକେ କ’ଣ ମରିଗଲା ପରେ ଏମାନେ ବାଣ୍ଟିବେ ବୋଲି ସେ ପ୍ରଶ୍ନ କରିଥିଲେ।

ପୂର୍ବତନ ବିଧାୟକ ରାଘବ ପରିଡ଼ା କହିଲେ, ହଜାରହଜାର ହେକ୍ଟର ଜମିରେ ଜଳ ଚରିଯାଇଛି, ଚାଷୀକୂଳର ସର୍ବନାଶ ହୋଇଚି। ଗଂଜାମର ୩୦ ଲକ୍ଷ ଲୋକଙ୍କ ଖାଦ୍ୟ ନଷ୍ଟ ହୋଇଯାଇଛି। ସରକାର ହିସାବ କରନ୍ତୁ ମୋଟ କେତେ କ୍ଷୟକ୍ଷତି ହୋଇଛି। ତାହା ନ କରି ସମୁଦ୍ରକୁ ଶଙ୍ଖ ପରି ଅତି ମାମୁଲି ସହାୟତା ଘୋଷ୍ଣା କରିବା ବୋଝ ଉପରେ ନଳିତାବିଡ଼ା ବୋଲି ସେ କହିଥିଲେ।

ଏହି ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ବିଧାୟକ ତ୍ରିନାଥ ବେହେରା, ପିସିସିର ଦୁଇ ସାଧାରଣ ସଂପାଦକ ସତ୍ୟବ୍ରତ ନାୟକ ଓ ଉଷାରାଣୀ ବେହେରା, ପିସିସି କାର୍ଯ୍ୟକାରିଣିୀ ସଭ୍ୟ ସୁଧାଂଶୁ ଦେଓ ପ୍ରମୁଖ ଯୋଗଦେଇଥିଲେ। ଡିସିସି ପକ୍ଷରୁ ଉପସଭାପତି ଅଶୋକ ପଟ୍ଟନାୟକ ଓ ଅନ୍ୟ କାର୍ଯ୍ୟକର୍ତ୍ତାମାନେ ଆୟୋଜନରେ ସହଯୋଗ କରିଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking