ବ୍ରହ୍ମପୁର: ବାତ୍ୟା ‘ଅର୍ଣ୍ଣବ’ ଓ ପରବର୍ତ୍ତୀ ପ୍ରବଳ ବର୍ଷା ଯୋଗୁଁ ଗଞ୍ଜାମ ସମେତ ଦକ୍ଷିଣ ଓଡ଼ିଶାରେ ସୃଷ୍ଟି ହୋଇଥିବା ବନ୍ୟା ପରିସ୍ଥିତି ଓ ବ୍ୟାପକ କ୍ଷୟକ୍ଷତିର ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଅପରାହ୍ନରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ଏବଂ ସ୍ୱତନ୍ତ୍ର ରିଲିଫ୍ କମିଶନର ରାଜେଶ ପ୍ରଭାକର ପାଟିଲଙ୍କ ସହ ହେଲିକପ୍ଟର ଯୋଗେ ଆକାଶମାର୍ଗରୁ ଗଞ୍ଜାମ ଓ ପାଖ ଜିଲ୍ଲାର ବନ୍ୟା ପ୍ରଭାବିତ ଅଞ୍ଚଳ ସ୍ଥିତି ଅନୁଧ୍ୟାନ କରିଥିଲେ । ଗଞ୍ଜାମ ଜିଲ୍ଲାର ସୋରଡ଼ା, ଆସିକା, ଭଞ୍ଜନଗର, ଧରାକୋଟ ଓ ସାନଖେମୁଣ୍ଡି ସମେତ ବିଭିନ୍ନ ପ୍ରଭାବିତ ଅଞ୍ଚଳର ବନ୍ୟା ସ୍ଥିତି ଓ କ୍ଷୟକ୍ଷତିକୁ ମୁଖ୍ୟମନ୍ତ୍ରୀ ଅନୁଧ୍ୟାନ କରିଥିଲେ । ଆକାଶମାର୍ଗରୁ ଅନୁଧ୍ୟାନ ପରେ ମୁଖ୍ୟମନ୍ତ୍ରୀ ବ୍ରହ୍ମପୁରସ୍ଥିତ ବିଶ୍ୱବିଦ୍ୟାଳୟର ଅତିଥି ଭବନରେ ଗଞ୍ଜାମ ଜିଲ୍ଲାର ବନ୍ୟା ପରିସ୍ଥିତି, ଉଦ୍ଧାର ଓ ରିଲିଫ୍ ବଣ୍ଟନ, ଜଳବନ୍ଦୀ ଅଞ୍ଚଳରୁ ଲୋକଙ୍କ ସ୍ଥାନାନ୍ତରଣ ଏବଂ ଯୋଗାଯୋଗ ବ୍ୟବସ୍ଥାର ପୁନରୁଦ୍ଧାର ସମ୍ପର୍କରେ ସମୀକ୍ଷା କରିଥିଲେ। ବିପନ୍ନ ଲୋକଙ୍କ ନିକଟରେ ତୁରନ୍ତ ରନ୍ଧା ଖାଦ୍ୟ, ଶୁଖିଲା ଖାଦ୍ୟ, ପାନୀୟ ଜଳ ଓ ଅନ୍ୟାନ୍ୟ ଅତ୍ୟାବଶ୍ୟକ ସାମଗ୍ରୀ ପହଞ୍ଚାଇବା ସହ ଜରୁରୀକାଳୀନ ସ୍ୱାସ୍ଥ୍ୟସେବା ଯୋଗାଇଦେବାକୁ ମୁଖ୍ୟମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ । ବନ୍ୟା ଯୋଗୁଁ କ୍ଷତିଗ୍ରସ୍ତ ରାସ୍ତାଘାଟର ମରାମତି ଓ ବିଚ୍ଛିନ୍ନ ବିଦ୍ୟୁତ୍ ସେବାର ଶୀଘ୍ର ପୁନଃସ୍ଥାପନ ପାଇଁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଥିଲା ।
ସମୀକ୍ଷା ପରେ ରାଜସ୍ୱ ମନ୍ତ୍ରୀ କହିଥିଲେ ଯେ, ଗତ ପାଞ୍ଚ ଦିନ ଧରି ଗଞ୍ଜାମର ପରିସ୍ଥିତି ଉପରେ ରାଜ୍ୟ ସରକାର ନିରନ୍ତର ନଜର ରଖିଛନ୍ତି। ଜିଲ୍ଲାରେ ବନ୍ୟା ସ୍ଥିତି ଧୀରେ ଧୀରେ ସୁଧୁରୁଛି। ଜଳବନ୍ଦୀ ଅଞ୍ଚଳରେ ରହିଥିବା ଲୋକଙ୍କ ନିକଟରେ ରିଲିଫ୍ ସାମଗ୍ରୀ ପହଞ୍ଚାଇବା ପାଇଁ ଭାରତୀୟ ନୌସେନା ଓ ତଟରକ୍ଷୀ ବାହିନୀର ଚାରିଟି ହେଲିକପ୍ଟର ନିୟୋଜିତ ହୋଇଛି। ଏହି ବିପର୍ଯ୍ୟୟର ମୁକାବିଲାରେ କେନ୍ଦ୍ର ସରକାରଙ୍କ ସହଯୋଗ ମିଳୁଛି। ସ୍ଥିତି ସ୍ୱାଭାବିକ ହେବା ପରେ କ୍ଷୟକ୍ଷତିର ଆକଳନ ପାଇଁ କେନ୍ଦ୍ରୀୟ ଟିମ୍ ଗଞ୍ଜାମ ଗସ୍ତ କରିବେ। କ୍ଷତିଗ୍ରସ୍ତ ଲୋକଙ୍କୁ ଆବଶ୍ୟକ ସହାୟତା ଯୋଗାଇଦେବା ପାଇଁ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ସଂକଳ୍ପବଦ୍ଧ ବୋଲି ସେ କହିଥିଲେ ।ବନ୍ୟା ପ୍ରଭାବିତ ଲୋକଙ୍କ ରିଲିଫ୍ ଓ ଜରୁରିକାଳୀନ ସହାୟତା ପାଇଁ ଗଞ୍ଜାମ ଜିଲ୍ଲାକୁ ପୂର୍ବରୁ ୫ କୋଟିରୁ ଉର୍ଦ୍ଧ୍ୱ ଟଙ୍କା ଯୋଗାଇ ଦିଆଯାଇଥିବା ବେଳେ ଏବେ ଅତିରିକ୍ତ ୨୦ କୋଟି ଟଙ୍କା ପ୍ରଦାନ କରାଯାଇଛି। ଏହି ଅର୍ଥ ରିଲିଫ୍ ବଣ୍ଟନ ଓ ଜରୁରିକାଳୀନ ସହାୟତା କାର୍ଯ୍ୟକୁ ଅଧିକ ତ୍ୱରାନ୍ୱିତ କରିବାରେ ସହାୟକ ହେବ।ଜିଲ୍ଲାର ସମସ୍ତ ବନ୍ୟା ପ୍ରଭାବିତ ଗାଁରେ ଆଜି ରାତି ସୁଦ୍ଧା ରିଲିଫ୍ ସାମଗ୍ରୀ, ରନ୍ଧା ଖାଦ୍ୟ, ପାନୀୟ ଜଳ, କମ୍ବଳ ଓ ଅନ୍ୟାନ୍ୟ ଅତ୍ୟାବଶ୍ୟକ ସାମଗ୍ରୀ ପହଞ୍ଚାଇବାକୁ ଜିଲ୍ଲା ପ୍ରଶାସନ ଲକ୍ଷ୍ୟ ରଖିଛି। ଉଦ୍ଧାର ଓ ରିଲିଫ୍ କାର୍ଯ୍ୟରେ ଏନ୍ଡିଆର୍ଏଫ୍, ଓଡ୍ରାଫ୍ ଓ ଅଗ୍ନିଶମ ବିଭାଗର ଟିମ୍ଗୁଡ଼ିକ ନିୟୋଜିତ ରହିଛନ୍ତି। ଏହି ଟିମ୍ଗୁଡ଼ିକ ଜଳବନ୍ଦୀ ଲୋକଙ୍କୁ ଉଦ୍ଧାର କରିବା ସହ ଦୁର୍ଗମ ଓ ବିଚ୍ଛିନ୍ନ ଅଞ୍ଚଳରେ ରିଲିଫ୍ ସାମଗ୍ରୀ ପହଞ୍ଚାଉଛନ୍ତି।










