ଭୁବନେଶ୍ୱର : ଆଜି ଜାତୀୟ ପ୍ରେସ ଦିବସ ପାଳିତ ହେଉଥିବା ବେଳେ, ଚିକିଟି ବିଧାୟକ ମନୋରଞ୍ଜନ ଦ୍ୟାନ ସାମନ୍ତରାୟଙ୍କ ଆପତ୍ତିଜନକ ଭିଡିଓ ଭାଇରାଲ ପ୍ରସଙ୍ଗରେ ରାଜ୍ୟର ପ୍ରମୁଖ ଗଣମାଧ୍ୟମ ଓ ବରିଷ୍ଠ ପତ୍ରକାର ମାନେ ଏହି ଘଟଣା ଉପରୁ ପରଦା ଉଠାନ୍ତୁ ବୋଲି ବିଜୁ ଜନତା ଦଳ ଆହ୍ୱାନ କରିଛି । ପ୍ରମୁଖ ଗଣମାଧ୍ୟମ ଓ ବରିଷ୍ଠ ସାମ୍ୱାଦିକମାନଙ୍କ ଉପସ୍ଥିତିରେ ଏହି ଘଟଣା ଘଟିଥିବାରୁ ଏହାର ସତ୍ୟାସତ୍ୟକୁ ଲୋକଲୋଚନକୁ ଆଣିବାର ଗୁରୁ ଦାୟିତ୍ୱ ସେମାନେ ବହନ କରନ୍ତୁ ବୋଲି ବିଜେଡି କହିଛି ।ବିଜେଡି ତରଫରୁ ଜାରି କରାଯାଇଥିବା ଏକ ପ୍ରେସ ବିବୃତ୍ତିରେ ଦଳର ଗଣମାଧ୍ୟମ ସଂଯୋଜକ ଡ. ଲେନିନ ମହାନ୍ତି କହିଛନ୍ତି, ନିକଟରେ ରାଜ୍ୟର ମତ୍ସ୍ୟ ଓ ପଶୁସମ୍ପଦ ମନ୍ତ୍ରୀ ଶ୍ରୀ ଗୋକୁଳାନନ୍ଦ ମଲ୍ଲିକ ଗଣମାଧ୍ୟମକୁ ଏକ ବାଇଟ ଦେଉଥିବା ସମୟରେ ଚିକିଟି ବିଧାୟକ ମନୋରଞ୍ଜନ ଦ୍ୟାନ ସାମନ୍ତରାୟଙ୍କର ଏକ ଆପତିଜନକ ଭିଡିଓ ଭାଇରାଲ ହେବା ପରେ ଏହାକୁ ନେଇ ରାଜ୍ୟବାସୀଙ୍କ ମନରେ ତୀବ୍ର ପ୍ରତିକ୍ରିୟା ସୃଷ୍ଟି ହୋଇଥିଲା ।
ରାଜ୍ୟର ପ୍ରମୁଖ ଗଣମାଧ୍ୟମ ଓ ଏହାର ବରିଷ୍ଠ ପ୍ରତିନିଧି ମାନଙ୍କ ଉପସ୍ଥିତିରେ ଏହି ଘଟଣା ଘଟିଥିଲା, ଯାହା ସେମାନଙ୍କ କ୍ୟାମେରାରେ ରେକର୍ଡ ହୋଇଥିଲା । ସ୍ପଷ୍ଟ ଦିବାଲୋକରେ ଘଟିଥିବା ଏହି ଘଟଣାକୁ ବିଧାୟକ ଶ୍ରୀ ଦ୍ୟାନ ସାମନ୍ତରାୟଙ୍କ ଧର୍ମ ପତ୍ନୀ ଏହାକୁ ବିଜେଡି ଏଆଇ ଦ୍ୱାରା ପ୍ରସ୍ତୁତ କରି ଭାଇରାଲ କରୁଛି ବୋଲି ଅଭିଯୋଗ କରି ଜିଲ୍ଲାର ଏସପିଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି । କିନ୍ତୁ, ଏହି ଘଟଣା ଘଟିବାର ପାଞ୍ଚ ଦିନ ବିତି ଯାଇଥିଲେ ମଧ୍ୟ ପୋଲିସ ଦ୍ୱାରା ଏହାର ସତ୍ୟାସତ୍ୟ ନେଇ କୌଣସି ସୂଚନା ଦିଆଯାଇ ନାହିଁ । ବିଧାୟକଙ୍କ ପତ୍ନୀଙ୍କ ଏହି ଦାବି ଓ ପୋଲିସ ନିକଟକୁ ଦେଇଥିବା ଏହି ଚିଠି କେବଳ ଧର୍ମକୁ ଆଖିଠାର ସଦୃଶ୍ୟ ଓ ଏହା କେବଳ ରାଜ୍ୟବାସୀଙ୍କୁ ଭ୍ରମିତ କରିବା ପାଇଁ ଉଦିଷ୍ଟ ।ଡ ମହାନ୍ତି ଆହୁରି କହିଛନ୍ତି, ଆଜି ଜାତୀୟ ପ୍ରେସ ଦିବସ ପାଳିତ ହେଉଥିବା ବେଳେ ସତ୍ୟର ଉନ୍ମୋଚନ ପାଇଁ ଗଣମାଧ୍ୟମର ଗୁରୁତ୍ୱ ଉପରେ ଆଲୋଚନା ହେଉଛି । ଏହି ଅବସରରେ, ରାଜ୍ୟର ପ୍ରମୁଖ ଗଣମାଧ୍ୟମ ଓ ଏହାର ବରିଷ୍ଠ ସାମ୍ୱାଦିକ ମାନଙ୍କ ସମ୍ମୁଖରେ ଘଟିଥିବା ଏହି ଘଟଣାର ସତ୍ୟାସତ୍ୟ ଉନ୍ମୋଚନ କରିବାର ଗୁରୁଦାୟିତ୍ୱ ଗଣମାଧ୍ୟମ ଗ୍ରହଣ କରୁ, ଯାହା ଦ୍ୱାରା ରାଜ୍ୟବାସୀ ପ୍ରକୃତ ସତ୍ୟ ଉପରେ ଅବଗତ ହେବେ । ପ୍ରମୁଖ ଗଣମାଧ୍ୟମର କ୍ୟାମେରାରେ ରେକର୍ଡ ହୋଇ ରହିଥିବା ଘଟଣାକୁ ଏଆଇ ଦ୍ୱାରା ତିଆରି କରାଯାଇଛି ବୋଲି ମନ୍ତବ୍ୟ ଦେବା ଓ ପୋଲିସ ଅଧିକାରୀଙ୍କ ନିକଟକୁ ଚିଠି ଲେଖିବା କେବଳ ରାଜ୍ୟବାସୀଙ୍କୁ ଭ୍ରମିତ କରିବା ପାଇଁ ଉଦିଷ୍ଟ ।










