18.1 C
Bhubaneswar
Tuesday, December 23, 2025
Homeଓଡିଶାଏଣିକି ଆଦିବାସୀ ଗ୍ରାମର ପୂଜକଙ୍କୁ ମିଳିବ ଭତ୍ତା

ଏଣିକି ଆଦିବାସୀ ଗ୍ରାମର ପୂଜକଙ୍କୁ ମିଳିବ ଭତ୍ତା

ଭୁବନେଶ୍ୱର: ଆଦିବାସୀମାନଙ୍କ ଜୀବନ ଜୀବିକା, ଅର୍ଥନୈତିକ ବିକାଶ ସହିତ ସେମାନଙ୍କ ଧାର୍ମିକ ଭାବନା ପ୍ରତି ମଧ୍ୟ ଆମକୁ ସ୍ୱତନ୍ତ୍ର ଦୃଷ୍ଟି ଦେବାକୁ ପଡ଼ିବ। ଆଦିବାସୀ ଗ୍ରାମର ପୂଜକଙ୍କ ପାଇଁ ଭତ୍ତା ବ୍ୟବସ୍ଥା କରିବା ଓ ସେମାନଙ୍କ ପୂଜାସ୍ଥଳୀଗୁଡିକର ବିକାଶ ଓ ସୁରକ୍ଷା ପ୍ରତି ସ୍ୱତନ୍ତ୍ର ଧ୍ୟାନ ଦେବାକୁ ହେବ। ଏ ବିଷୟରେ ଅନୁଧ୍ୟାନ ଓ ଆଲୋଚନା କରି ନିର୍ଦ୍ଦିଷ୍ଟ ନିଷ୍ପତ୍ତି ନିଆଯିବା ଜରୁରୀ- ଏହା କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ମଙ୍ଗଳବାର ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଜନଜାତି ଉପଦେଷ୍ଟା ପରିଷଦ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ମୁଖ୍ୟମନ୍ତ୍ରୀଙ୍କ ସମେତ ଜନଜାତି ଉପଦେଷ୍ଟା ମଣ୍ଡଳୀର ୧୮ ଜଣ ସଦସ୍ୟ ଉପସ୍ଥିତ ଥିଲେ। ରାଜ୍ୟରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ଜନଜାତି କଲ୍ୟାଣ ପାଇଁ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଯୋଜନା ସଂପର୍କରେ ଆଲୋକପାତ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଆମପାଇଁ ଜନଜାତି ସମ୍ପ୍ରଦାୟ କେବଳ ଯୋଜନାର ହିତାଧିକାରୀ ନୁହନ୍ତି, ସେମାନେ ଆମ ପ୍ରଗତିରେ ସହଭାଗୀ।

ବୈଠକରେ ଆଦିବାସୀ ଅଞ୍ଚଳ ଗୁଡିକରେ ଇକୋ ଟୁରିଜିମ୍ ତ୍ୱରାନ୍ୱିତ କରାଯିବା ଓ ଟ୍ରାଇବାଲ ହୋମ ଷ୍ଟେ ବୃଦ୍ଧି କରାଯିବା ପାଇଁ ସୁପାରିସ କରିବାକୁ ନିଷ୍ପତ୍ତି ନିଆଯାଇଛି। ଏସ୍‌ଟି ତାଲିକାରେ ରେକର୍ଡ ଅଫ୍ ରାଇଟ୍ସ ଉଭୟ ଓଡ଼ିଆ ଓ ଇଂରାଜୀରେ ଲେଖାଯିବା ଉପରେ ଗୁରୁତ୍ୱାରୋପ କରାଯାଇଥିଲା। ଏଥିସହିତ ଏସ୍‌ଟି ସମ୍ପ୍ରଦାୟରେ ଅଧିକ ବର୍ଗଙ୍କୁ ଅନ୍ତର୍ଭୁକ୍ତ କରିବା ପାଇଁ ଏସ୍‌ସିଏସିଟିଆର୍‌ଟିଆଇକୁ ସଠିକ ଅନୁଧ୍ୟାନ କରି ପରବର୍ତ୍ତୀ ଜନଜାତି ଉପଦେଷ୍ଟା ପରିଷଦକୁ ସୁପାରିଶ କରିବାପାଇଁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଥିଲା। ରାଜ୍ୟପାଳଙ୍କ ଅଫିସ୍‌ରୁ ଆସିଥିବା ପ୍ରସ୍ତାବଗୁଡିକୁ ମଧ୍ୟ ଅନୁଧ୍ୟାନ କରି ପରବର୍ତ୍ତୀ ଜନଜାତି ଉପଦେଷ୍ଟା ପରିଷଦ ବୈଠକରେ ଆଲୋଚନା କରିବା ପାଇଁ ନିଷ୍ପତ୍ତି ନିଆଯାଇଛି। ସେହିଭଳି, ଇଣ୍ଟର୍ ଡିପାର୍ଟମେଣ୍ଟାଲ୍ କମିଟି ମାଧ୍ୟମରେ ପେସା ଅଧିନିୟମର ଓଡ଼ିଶାଭିତ୍ତିକ ନିୟମାବଳୀକୁ ସଠିକ ଅନୁଧ୍ୟାନ କରି ପରବର୍ତ୍ତୀ ଜନଜାତି ଉପଦେଷ୍ଟା ପରିଷଦ ବୈଠକକୁ ସୁପାରିସ କରିବାକୁ ନିଷ୍ପତ୍ତି ନିଆଯାଇଯାଇଛି। ଆହୁରି ମଧ୍ୟ ଏକାଦଶ ଓ ଦ୍ୱାଦଶ ଶ୍ରେଣୀରେ ଏକଲବ୍ୟ ମଡେଲ୍ ଆବାସିକ ସ୍କୁଲ୍‌ଗୁଡିକରେ ବିଜ୍ଞାନ ସହିତ କଳା ଓ ବାଣିଜ୍ୟ ବିଷୟ ରଖିବା ପାଇଁ ସୁପାରିସ କରାଯାଇଛି।

ବୈଠକରେ ଅନୁସୂଚିତ ଜାତି ଓ ଜନଜାତି ଉନ୍ନୟନ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ, କେନ୍ଦୁଝର ସାଂସଦ ଅନନ୍ତ ନାୟକ, ନବରଙ୍ଗପୁର ସାଂସଦ ବଳଭଦ୍ର ମାଝୀଙ୍କ ସହିତ କମିଟିର ସଦସ୍ୟ ଓ ବିଧାୟକବୃନ୍ଦ, ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା, ଉନ୍ନୟନ କମିଶନର ଅନୁ ଗର୍ଗ, ରାଜସ୍ୱ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଦେଓ ରଞ୍ଜନ କୁମାର ସିଂହ, ଗୃହ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁ, ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ଶାସନ ସଚିବ ଶାଶ୍ୱତ ମିଶ୍ର, ଆଇନ ବିଭାଗର ପ୍ରମୁଖ ଶାସନ ସଚିବ ଡଃ ପବିତ୍ର ମୋହନ ସାମଲ, ଅନୁସୂଚିତ ଜନଜାତି ଓ ଜାତି ଉନ୍ନୟନ ବିଭାଗର କମିଶନର-ତଥା-ଶାସନ ସଚିବ ବି. ପରମେଶ୍ୱରନ୍‌,ପଞ୍ଚାୟତିରାଜ ବିଭାଗର ଶାସନ ସଚିବ ଗୀରିଶ ଏସ୍ ଏନ୍ ପ୍ରମୁଖ ଉପସ୍ଥିତ ଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking