ଭୁବନେଶ୍ୱର: ଆଜି କଂଗ୍ରେସ ଭବନଠାରେ ଏକ ଜରୁରୀ ପ୍ରେସ ବିବୃତ୍ତି ଦେଇ ଓପିସିସି ଉପସଭାପତି ସଂଗଠନ ସନ୍ତୋଷ ସିଂ ସାଲୁଜା ଓ ଗଣମାଧ୍ୟମ ବିଭାଗ ଅଧ୍ୟକ୍ଷ ଅରବିନ୍ଦ ଦାସ କହିଛନ୍ତି ଯେ, ବସ୍ ମାଲିକ ସଂଘ ତରଫରୁ ସମର୍ଥନ କରାଯାଇ ନାହିଁ କିନ୍ତୁ ସେମାନେ କୋଉଠି ବି କହିନାହାନ୍ତି ଯେ ସେମାନେ ଏଇ ବନ୍ଦ ପାଳନକୁ ବିରୋଧ କରିବେ ବୋଲି। ଯୋଉଠି ଶାନ୍ତିପୂର୍ଣ୍ଣ ପିକେଟିଂ ହବ ସେମାନେ ବନ୍ଦକୁ ସ୍ଵୀକାର କରିନେବେ ବୋଲି ସେମାନେ ସ୍ପଷ୍ଟ ଭାବରେ କହିଛନ୍ତି। ଗତକାଲି ଇଣ୍ଡିଆ ମେଣ୍ଟର ଯେଉଁ ସାମ୍ବାଦିକ ସମ୍ମିଳନୀ ହେଇଥିଲା ସେଥିରେ ଆମେ ଆମର ଆଚରଣ ବିଧି ସମ୍ପର୍କୀୟ ବକ୍ତବ୍ୟ ଉପସ୍ଥାପନ କରି ସାରିଛୁ l ବନ୍ଦ ଶାନ୍ତିପୂର୍ଣ ଓ ଶୃଙ୍ଖଳିତ ସହ ହେବ । ରାଜ୍ୟର ସମସ୍ତ ସ୍କୁଲ, କଲେଜ, ସରକାରୀ ବେସରକାରୀ ଅନୁଷ୍ଠାନ ଓ ସମସ୍ତ ପ୍ରକାର ଚକ ଅଖ ବନ୍ଦ ରହିବ l କେବଳ ଜରୁରୀ କାଳୀନ ସେବା ଚିକିତ୍ସା, ଔଷଧ, ଆମ୍ବୁଲାନ୍ସ ଆଦି କାର୍ଯ୍ୟ ଉପରେ ବନ୍ଦର କୌଣସି ପ୍ରଭାବ ରହିବ ନାହିଁ l ଓପିସିସି ସଭାପତି ବହୁ ପୂର୍ବରୁ ଗତ 29 ସେପ୍ଟେମ୍ବରରୁ ଅକ୍ଟୋବର 8 ଓଡିଶା ବନ୍ଦର ଘୋଷଣା କରିସାରିଲେଣି ଏବଂ ଓଡିଶାବାସୀ ଏହାକୁ ସ୍ୱୀକାର କରିବା ସହ ପ୍ରସ୍ତୁତ ହୋଇସାରିଛନ୍ତି ତେଣୁ କୌଣସି ପ୍ରକାର ଅସୁବିଧା ହେବନାହିଁ ବୋଲି ଶ୍ରୀ ସାଲୁଜା ଏବଂ ଶ୍ରୀ ଦାସ ପ୍ରକାଶ କରିବା ସହ ରାଜ୍ୟ ସ୍ୱାର୍ଥ ପାଇଁ ସମସ୍ତ ରାଜ୍ୟବାସୀ ଏହି ବନ୍ଦକୁ ସଫଳ କରିବା ପାଇଁ ନିବେଦନ କରିଛନ୍ତି l










