କାମାକ୍ଷାନଗର: ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ଅନ୍ତର୍ଗତ ୫୩ ନମ୍ବର ଜାତୀୟ ରାଜପଥର ବାଇଶିଙ୍ଗା ନିକଟରେ ଶନିବାର ଅପରାହ୍ନରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଟ୍ରେଲର ଧକ୍କାରେ ଜଣେ ବାଇକ୍ ଆରୋହୀଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ତୁମୁସିଂହା ଥାନା ଅନ୍ତର୍ଗତ ରଗଡ଼ିପଡ଼ା ଗ୍ରାମର ଅନ୍ତର୍ଯ୍ୟାମୀ ନାୟକଙ୍କ ୩୫ ବର୍ଷୀୟ ପୁଅ ଅନିଲ ନାୟକ। ସୂଚନା ଅନୁଯାୟୀ, ଅନିଲ ନିଜ ବାଇକ୍ ଯୋଗେ ବାଇଶିଙ୍ଗା ଅଭିମୁଖେ ଯାଉଥିବା ସମୟରେ ଭୁବନ ଦିଗରୁ ଆସୁଥିବା ଏକ ଟ୍ରେଲର ତାଙ୍କ ବାଇକ୍କୁ ସମ୍ମୁଖରୁ ଧକ୍କା ଦେଇଥିଲା। ଫଳରେ ସେ ରାସ୍ତାରେ ଛିଟିକି ପଡ଼ି ଗୁରୁତର ଆହତ ହୋଇଥିଲେ।
ନିକଟରେ ଥିବା ଗ୍ରାମବାସୀ ତୁରନ୍ତ ତାଙ୍କୁ ଜରୁରୀକାଳୀନ ଆମ୍ବୁଲାନ୍ସ ଯୋଗେ କାମାକ୍ଷାନଗର ଉପଖଣ୍ଡ ଚିକିତ୍ସାଳୟକୁ ନେଇଥିଲେ। ମାତ୍ର ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଅନିଲ ସିଆରପିଏଫ୍ରେ କାର୍ଯ୍ୟରତ ଥିଲେ। ଜଣେ ଯବାନଙ୍କ ଅକାଳ ବିୟୋଗ ଖବର ପ୍ରଚାରିତ ହେବା ପରେ ତାଙ୍କ ଜନ୍ମମାଟି ରଗଡ଼ିପଡ଼ା ଗ୍ରାମରେ ଶୋକର ଛାୟା ଖେଳିଯାଇଛି।










