ନୂଆପଡା ଉପନିର୍ବାଚନ ଉପରେ ବିଜେଡି ପ୍ରାର୍ଥୀ ସ୍ନେହାଙ୍ଗିନୀଙ୍କ ପ୍ରତିକ୍ରିୟା
ପ୍ରଚାର ସମୟରେ ବିଜେଡିକୁ ମିଳିଥିବା ସମର୍ଥନ ଭୋଟରେ ପ୍ରତିଫଳିତ ହୋଇନାହିଁ
ନୂଆପଡାବାସୀଙ୍କ ସ୍ୱାର୍ଥ ପାଇଁ ସବୁବେଳେ ଲଢେଇ କରିବି
ଭୁବନେଶ୍ୱର: ବିଜୁ ମହିଳା ଜନତା ଦଳର ସଭାନେତ୍ରୀ ତଥା ନୂଆପଡା ଉପନିର୍ବାଚନରେ ଦଳର ପ୍ରାର୍ଥୀ ଶ୍ରୀମତୀ ସ୍ନେହାଙ୍ଗିନୀ ଛୁରିଆ ନୂଆପଡା ଉପନିର୍ବାଚନରେ ଜିଲ୍ଲା ପ୍ରଶାସନ, ପୋଲିସ୍ ଓ ନିର୍ବାଚନ କମିଶନଙ୍କୁ ହାତବାରିସୀ କରି ଭୋଟ ରିଗିଂ ମାଧ୍ୟମରେ ବିଜେପି ବିଜୟୀ ହୋଇଛି ବୋଲି ଅଭିଯୋଗ କରିଛନ୍ତି ।
ଆଜି ଶଙ୍ଖ ଭବନରେ ଆୟୋଜିତ ସାମ୍ୱାଦିକ ସମ୍ମିଳନୀରେ ଶ୍ରୀମତୀ ଛୁରିଆ କହିଥିଲେ, ନିର୍ବାଚନ ପ୍ରଚାର ସମୟରେ ନୂଆପଡାର ପ୍ରତ୍ୟେକ ପଞ୍ଚାୟତ ଓ ଏନଏସି ଅଞ୍ଚଳକୁ ଯାଇଥିଲେ ଓ ପ୍ରତ୍ୟେକ ସ୍ଥାନରେ ବିଜୁ ଜନତା ଦଳ ପ୍ରତି ଓ ଦଳର ସଭାପତି ଶ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରତି ଅକୁଣ୍ଠ ସମର୍ଥନ ଓ ଭଲପାଇବା ଥିବା ଦେଖିଥିଲେ । ନିର୍ବାଚନ ପ୍ରଚାର ସମୟରେ ଜିଲ୍ଲା ପ୍ରଶାସନ ତରଫରୁ ବିଜୁ ଜନତା ଦଳର ନେତା ଓ କର୍ମୀ ମାନଙ୍କ ଉପରେ ଆକ୍ରୋଶମୂଳକ କାର୍ଯ୍ୟାନୁଷ୍ଠାନ ନିଆଯାଇ ତାଙ୍କ ମନୋବଳକୁ ଦୁର୍ବଳ କରିବା ପାଇଁ ଚେଷ୍ଟା କରାଯାଉଥିଲା । ଏହାର ଅଭିଯୋଗ ବାରମ୍ୱାର ବିଜେଡି ତରଫରୁ ନିର୍ବାଚନ ଅଧିକାରୀଙ୍କ ଆଗରେ କରାଯାଉଥିଲେ ମଧ୍ୟ କୌଣସି ସୁଫଳ ମିଳି ନଥିଲା । ସାଇଲେଣ୍ଟ ପିରିଅଡରେ ନିର୍ବାଚନ ଆଚରଣ ବିଧିକୁ ସମ୍ମାନ ଜଣାଇ ବିଜେଡିର ନେତାମାନେ ନୂଆପଡା ଛାଡି ଦେଇଥିବା ବେଳେ ବିଜେପିର ନେତାମାନେ ସେଠାରେ ଉପସ୍ଥିତ ରହି ଟଙ୍କା ବଣ୍ଟା କାର୍ଯ୍ୟରେ ଲିପ୍ତ ରହିଥିଲେ । ବିଜେଡି ତରଫରୁ ଏହାର ଅଭିଯୋଗ ସ୍ଥାନୀୟ ପୋଲିସ ଷ୍ଟେସନରେ କରାଯିବା ପରେ ଅଭିଯୋଗ କରିଥିବା ବ୍ୟକ୍ତିଙ୍କୁ ଥାନାରେ ଅଟକ ରଖି ଆର୍ମ୍ସ ଆକ୍ଟ ଲଗାଇ ଜେଲ୍କୁ ପଠାଯାଇଥିଲା ।
ସେହିପରି ନିର୍ବାଚନ ଦିନ ଭୋଟିଂ ସମୟରେ ବୁଥ୍ ଗୁଡିକରେ ବିଜେପି କର୍ମୀମାନେ ବୁଥ୍ ଭିତରେ ପସି କ୍ୟାମ୍ପେନିଂ କରିବା ସହିତ ଭୋଟର ମାନଙ୍କୁ ପଦ୍ମଫୁଲରେ ଭୋଟ ଦେବା ପାଇଁ ଏକ ପ୍ରକାର ବାଧ୍ୟ କରୁଥିଲେ । ଏହାର ଅଭିଯୋଗ କରାଯାଇଥିଲେ ମଧ୍ୟ କର୍ତ୍ତୃପକ୍ଷ ଶୁଣି ନଥିଲେ । ବୁଥ୍ ରିଗିଂ କାରଣରୁ ଭୋଟିଂ ପ୍ରତିଶତ ଅହେତୁକ ବୃଦ୍ଧି ପାଇଥିଲା । ୪୧ଟି ବୁଥ୍ରେ ୯୦ ପ୍ରତିଶତରୁ ଅଧିକା ଭୋଟିଂ ହୋଇଥିଲା, ଯାହା ଗ୍ରହଣୀୟ ନୁହେଁ । ଭୋଟିଂ ଶେଷ ହେବା ବେଳେ, ଅର୍ଥାତ ସନ୍ଧ୍ୟା ୫ଟା ସମୟରେ ନିର୍ବାଚନ ଅଧିକାରୀଙ୍କ ଦ୍ୱାରା ୭୫% ଭୋଟିଂ ହୋଇଛି ବୋଲି ସୂଚନା ଦିଆଯାଇଥିଲା । ସନ୍ଧ୍ୟା ୭ଟା ସମୟରେ ଭୋଟିଂ ୭୭% ହୋଇଛି ବୋଲି ସୂଚନା ଦିଆଗଲା । କିନ୍ତୁ ଭୋଟିଂର ପରଦିନ ଦିବା ୧୦ ଘଟିକା ସମୟରେ ୮୧% ଓ ୧୨ଟା ସମୟରେ ୮୩.୪୫% ଭୋଟିଂ ହୋଇଛି ବୋଲି କୁହାଗଲା, ଯାହା ଭୋଟ୍ ଜାଲିଆତିର ଆଭାସ ମିଳୁଛି ।
ଶ୍ରୀମତୀ ଛୁରିଆ ଆହୁରି କହିଥିଲେ, ନୂଆପଡାବାସୀଙ୍କ ସମର୍ଥନ ବିଜୁ ଜନତା ଦଳ ପ୍ରତି ରହିଥିଲା, ହେଲେ ଜିଲ୍ଲା ପ୍ରଶାସନ, ପୋଲିସ୍ ଓ ନିର୍ବାଚନ ଅଧିକାରୀଙ୍କୁ ହାତବାରିସୀ କରି ଭୋଟ ରିଗିଂ କରି ବିଜେପି ବିଜୟୀ ହୋଇଛି । ନୂଆପଡାବାସୀଙ୍କ ସହିତ ବିଜୁ ଜନତା ଦଳ ଥିଲା ଓ ଆଗକୁ ରହିବ । ସେ ମଧ୍ୟ ନୂଆପଡାବାସୀଙ୍କ ସ୍ୱାର୍ଥ ରକ୍ଷା ପାଇଁ ସବୁବେଳେ ଲଢ଼େଇ କରିବେ ବୋଲି କହିଥିଲେ । ନୂଆପଡାବାସୀ ତାଙ୍କୁ ଓ ବିଜୁ ଜନତା ଦଳର ସଭାପତି ଶ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରତି ଦେଇଥିବା ସମର୍ଥନ ପାଇଁ କୃତଜ୍ଞତା ଜଣାଇଥିଲେ। ଭୁବନେଶ୍ୱର ମେୟର ଶ୍ରୀମତୀ ସୁଲୋଚନା ଦାସ କହିଥିଲେ, ପ୍ରଶାସନିକ କଳକୁ ହାତବାରିସୀ କରି ବିଜେପି ହୁଏତ ନୂଆପଡା ଆସନକୁ ହାତେଇବା ପାଇଁ ସଫଳ ହୋଇଥାଇ ପାରେ, କିନ୍ତୁ ନୂଆପଡାବାସୀଙ୍କ ସମର୍ଥନ ବିଜୁ ଜନତା ଦଳର ପ୍ରାର୍ଥୀ ଶ୍ରୀମତୀ ସ୍ନେହାଙ୍ଗିନୀ ଛୁରିଆ ଓ ଦଳର ସଭାପତି ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରତି ରହିଛି । ସେଥିପାଇଁ ନୂଆପଡାବାସୀଙ୍କୁ ବିଜୁ ଜନତା ଦଳ ତରଫରୁ ଆମେ କୃତଜ୍ଞତା ଜଣାଉଛୁ । ନୂଆପଡାବାସୀଙ୍କ ସହିତ ବିଜୁ ଜନତା ଦଳ ସଦାସର୍ବଦା ରହିବ ।










