ବାଲେଶ୍ୱର: ବାଲେଶ୍ୱର ଜିଲ୍ଲାରେ ପ୍ରଥମ ଏନକାଉଣ୍ଟର । ଆଜି ସକାଳୁ ସିମୁଳିଆ ଥାନା ଅଞ୍ଚଳରେ ପୋଲିସ ଏନକାଉଣ୍ଟରରେ ଜଣେ ଦୁର୍ଦ୍ଦାନ୍ତ ଅପରାଧୀ ଗୁରୁତର ଆହତ ହୋଇଛନ୍ତି । ଆହତ ଅପରାଧୀ ଜଣକ ହେଲେ ଲୋକେଶ । ପୋଲିସ ସୂଚନା ମୁତାବକ, ଲୋକେଶ ଏବଂ ତାଙ୍କର ଜଣେ ସହଯୋଗୀ ବିଭିନ୍ନ ସ୍ଥାନରେ ଡକାୟତି ଓ ଦାଦାବଟି ଆଜି ଅସାମାଜିକ କାର୍ଯ୍ୟରେ ସମ୍ପୃକ୍ତ ଥିଲେ । ପୋଲିସ ସେମାନଙ୍କୁ ଧରିବାକୁ ଯୋଜନା କରି ଟ୍ରାକିଂ କରୁଥିବା ବେଳେ ସେମାନେ ଲୁଚି ରହିଥିବା ଜାଗାରେ ଚଢାଉ କରାଯାଇଥିଲା । ପୋଲିସକୁ ଦେଖି ଖସି ପଳାଇବାକୁ ଚେଷ୍ଠା କରିବା ସହ ପୋଲିସ ଉପରକୁ ପ୍ରଥମେ ଗୁଳି ଚଲାଇଥିଲେ । ଆତ୍ମରକ୍ଷା ପାଇଁ ପୋଲିସ ପାଲଟା ଗୁଳି ଚାଳନା କରିଥିଲା, ଯେଉଁଥିରେ ଲୋକେଶର ଗୋଡରେ ଗୁଳି ବାଜିବାରୁ ସେ ଗୁରୁତର ହୋଇଛି । ତେବେ ଅନ୍ୟ ଜଣେ ସହଯୋଗୀ ଘଟଣାସ୍ଥଳରୁ ଫେରାର ହୋଇଯିବାରେ ସଫଳ ହୋଇଛି । ଆହତ ଲୋକେଶକୁ ଭଦ୍ରକ ମେଡିକାଲରେ ଭର୍ତ୍ତି କରାଯାଇଛି ।










