କଟକ: ସିଲଭରସିଟି କଟକରେ ଜଣ୍ଡିସ ଆତଙ୍କ । କଟକ କଦମ-ଏ-ରସୁଲ ଗଳିରେ ଥିବା ବ୍ରାହ୍ମଣ ସାହିରେ ଜଣ୍ଡିସ ଆକ୍ରାନ୍ତ ଚିହ୍ନଟ ହୋଇଛିନ୍ତି । ବିଶେଷକରି ଛୋଟ ଛୋଟ ପିଲାମାନେ ଏହାଦ୍ୱାରା ଅଧିକ ପ୍ରଭାବିତ ହୋଇଛନ୍ତି । ଉକ୍ତ ଅଞ୍ଚଳରେ ୧୫ରୁ ଅଧିକ ଜଣ୍ଡିସ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଦୂଷିତ ପାଣି ପାଇଁ ଏପରି ସମସ୍ୟା ଉପୁଜିଥିବା କୁହାଯାଇଛି । ଆଜି ସିଏମସି ସ୍ୱାସ୍ଥ୍ୟ ବିଭାଗ ଟିମ୍ ୱାର୍ଡକୁ ଯାଇ ଲୋକମାନଙ୍କୁ ସଚେତନ କରିବା ସହ ପାଣି ଏବଂ ରକ୍ତର ନମୁନା ସଂଗ୍ରହ କରିଛି । ତେବେ ଜଣ୍ଡିସ ଆକ୍ରାନ୍ତ ବୃଦ୍ଧିକୁ ନେଇ ଭୟଭୀତ ହୋଇ ପଡିଛନ୍ତି ସ୍ଥାନୀୟ ବାସିନ୍ଦା । ଅପରିଷ୍କାର ପାଣି, ଡ୍ରେନ୍ ସଫାରେ ଅବହେଳା ଯୋଗୁଁ ଜଣ୍ଡିସ ବ୍ୟାପୁଥିବା ଅଭିଯୋଗ ଆଣିଛନ୍ତି ସ୍ଥାନୀୟ ବାସିନ୍ଦା । ଅନ୍ୟପଟେ ସ୍ଥାନୀୟ କର୍ପୋରେଟର କହିଛନ୍ତି କିଛି ଲୋକ ଜଣ୍ଡିସରେ ଆକ୍ରାନ୍ତ ହେବା ପରେ ଝଡାଫୁଙ୍କା କରିବାରୁ ସ୍ଥିତି ବିଗିଡିଛି । କଟକ ମହାନଗର ନିଗମର ୨୩ନଂ ୱାର୍ଡ କଦମ-ଏ-ରସୁଲ ବ୍ରାହ୍ମଣ ସାହିରେ ୧୫ ରୁ ଉର୍ଦ୍ଧ୍ବ ଲୋକ ଜଣ୍ଡିସରେ ଆକ୍ରାନ୍ତ ହୋଇଛନ୍ତି ।ସେମାନଙ୍କ ମଧ୍ୟରୁ ଅନେକ ଛୋଟ ଛୋଟ ପିଲା ଏହି ରୋଗରେ ଆକ୍ରାନ୍ତ ହୋଇଛନ୍ତି । ସ୍ଥାନୀୟ ବାସିନ୍ଦାଙ୍କ କହିବା ମୁତାବକ ପ୍ରାୟ ଏକ ମାସ ହେବ ସେମାନଙ୍କ ପାଇପରେ ଦୂଷିତ ଗୋଳିଆ ପାଣି ଆସୁଥିଲା ।
ଏନେଇ ଅଭଯୋଗ ପରେ ମଧ୍ୟ ଏଥିପ୍ରତି କେହି କର୍ଣ୍ଣପାତ କରି ନଥିଲେ । ଏହି ପାଣି ପିଇବା ପରେ ସାହିର କିଛି ଛୋଟ ଛୋଟ ପିଲାଙ୍କର ଝାଡା, ବାନ୍ତି ହୋଇଥିଲା । ଆଖି ହଳଦିଆ ହୋଇଗଲା । ତେବେ ଏହା ଜଣ୍ଡିସର ଲକ୍ଷଣ ଜାଣିବା ପରେ ଭୟ ଲାଗିଥିଲା । କିଛି କିଛି ସ୍ଥାନରେ ପାଇପ ଫାଟି ଯାଇ ସେଥିରେ ନର୍ଦ୍ଦମା ପାଣି ମିଶି ଥୁବାରୁ ଏପରି ଅସୁବିଧା ହୋଇଥିଲା । ପରେ ସାହିର ଅନେକ ଲୋକ ଏହାଦ୍ୱରା ଆକ୍ରାନ୍ତ ହୋଇ ସାରିଲେଣି । ଅନ୍ୟପଟେ ସାହିରେ ଜଣ୍ଡିସ ବ୍ୟାପିବା ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି ସ୍ଥାନୀୟ କର୍ପୋରେଟର । ଅରୁନ୍ଧତି କର କହିଛନ୍ତି, “ଜଣ୍ଡିସ ବ୍ୟାପିବା ଖବର ପାଇ ସେ ଜନସ୍ୱାସ୍ଥ୍ୟ ବିଭାଗକୁ ଅବଗତ କରିଥିଲେ । ତୁରନ୍ତ ଖରାପ ପାଇପକୁ ପରିବର୍ତ୍ତନ କରାଯାଇଛି । ତେବେ ଅନେକ ଲୋକ ଜଣ୍ଡିସ ଆକ୍ରାନ୍ତ ହେବା ପରେ ହସ୍ପିଟାଲ ନଯାଇ ଝଡା ଫୁଙ୍କା କରିବାରୁ ଏହା ଧିରେ ଧିରେ କାୟା ମେଲାଇଛି ।










