ପାଟନା: ବିହାର ବିଧାନସଭା ନିର୍ବାଚନ ଫଳାଫଳ ଆସିବାର ୨୪ ଘଣ୍ଟା ମଧ୍ୟରେ ବିଜେପି ଏକ ବଡ଼ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ବିଜେପି ଏଠାରେ ଦଳର ଜଣେ ପୁରୁଖା ନେତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀଙ୍କ ସହ ୩ଜଣଙ୍କୁ ୬ ବର୍ଷ ପାଇଁ ବହିଷ୍କାର କରିଛି। ଏମାନଙ୍କ ବିରୋଧରେ ଦଳ ବିରୋଧୀ କାର୍ଯ୍ୟକଳାପରେ ସମ୍ପୃକ୍ତ ଥିବା ଅଭିଯୋଗ ହୋଇଥିଲା। ସେମାନେ ହେଲେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଆର୍କେ ସିଂହ, ଏମ୍ଏଲ୍ସି ଅଶୋକ କୁମାର ଅଗ୍ରୱାଲ ଏବଂ କଟିହାର ମେୟର ଉଷା ଅଗ୍ରୱାଲ। ଆରା ଲୋକସଭା ଆସନରୁ ୨ ଦୁଇ ଥର ସାଂସଦ ରହିସାରିଥିବା ଆର୍କେ ସିଂହ ବିଜେପି ସରକାରରେ କେନ୍ଦ୍ର ଶକ୍ତି ମନ୍ତ୍ରୀ (୨୦୧୭ରୁ ୨୦୨୪) ଭାବେ କାମ କରିସାରିଛନ୍ତି। ଦଳ ବିରୋଧୀ କାର୍ଯ୍ୟକଳାପ ଯୋଗୁଁ ଏମାନଙ୍କୁ ବହିଷ୍କାର କରି କଠୋର ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିବା ବିଜେପି ଦର୍ଶାଇଛି। ବିଦ୍ରୋହୀଙ୍କ ବିରୋଧରେ “ଦଳ ବିରୋଧୀ କାର୍ଯ୍ୟକଳାପ’ ଏବଂ ସାଂଗଠନିକ ଶୃଙ୍ଖଳାର ବାରମ୍ବାର ଉଲ୍ଲଂଘନ କରିବାର ଅଭିଯୋଗ ଆସିଥିଲା। ତେବେ ଆର୍କେ ସିଂହଙ୍କୁ ଗୋଟିଏ ସପ୍ତାହ ମଧ୍ୟରେ ଏକ ଆନୁଷ୍ଠାନିକ ଉତ୍ତର ଦାଖଲ କରିବାକୁ ଦଳ ପକ୍ଷରୁ କୁହାଯାଇଥିବା ବେଳେ ସେ ନିଜଆଡୁ ଦଳରୁ ଇସ୍ତଫା ଦେଇଥିବା ସୂଚନା ମିଳିଛି।
ପ୍ରକାଶ, ଅଦାନୀ ଗ୍ରୁପ୍ ସହିତ ଜଡ଼ିତ ଏକ ବିଶାଳ ବିଦ୍ୟୁତ୍ କ୍ଷେତ୍ରରେ ହୋଇଥିବା ଏକ ବଡ଼ଧରଣର ଦୁର୍ନୀତି ସମ୍ପର୍କରେ ଆର୍କେ ସିଂହ କିଛି ବୟାନ ଦେଇଥିଲେ, ଯାହାକି ଦଳ ପାଇଁ ଚିନ୍ତାର କାରଣ ସାଜିଥିଲା। ଆର୍କେ ସିଂହ ବିହାର ସରକାରଙ୍କ ୨୪୦୦ ମେଗାୱାଟ୍ ଭାଗଲପୁର (ପିରପୈନ୍ତି) ବିଦ୍ୟୁତ୍ ପ୍ରକଳ୍ପକୁ ଅଦାନୀ ପାୱାର ଲିମିଟେଡ୍କୁ ପ୍ରଦାନ କରିବା ନିଷ୍ପତ୍ତି ଉପରେ ସାଧାରଣରେ ପ୍ରଶ୍ନ ଉଠାଇଥିଲେ। ସେ ଏହି ପ୍ରକଳ୍ପରେ ୬୦,୦୦୦-୬୨,୦୦୦ କୋଟି ଟଙ୍କାର ଦୁର୍ନୀତି ହୋଇଥିବା ଏବଂ ରାଜ୍ୟ ସରକାର ପ୍ରତି ୟୁନିଟ୍ ୬ ଟଙ୍କା ଚଢ଼ା ଦରରେ ବିଦ୍ୟୁତ୍ କିଣିବାକୁ ରାଜି ହୋଇଥିବା ଅଭିଯୋଗ କରିଥିଲେ। ଏପ୍ରକାର ନିଷ୍ପତ୍ତି ଦ୍ୱାରା ରାଜ୍ୟର ଗରିବ ଏବଂ ମଧ୍ୟବିତ୍ତ ବର୍ଗଙ୍କ ଉପରେ ବୋଝ ପଡ଼ିବ ବୋଲି ସେ ଦାବି କରିଥିଲେ। କେବଳ ସେତିକି ନୁହେଁ ଆର୍କେ ସିଂହ ଚଳିତ ବିଧାନସଭା ନିର୍ବାଚନ ସମୟରେ ମଧ୍ୟ ଏନ୍ଡିଏ ପକ୍ଷରୁ ଛିଡ଼ା ହୋଇଥିବା ପ୍ରାର୍ଥୀଙ୍କ ସମେତ ଅପରାଧିକ ରେକର୍ଡ ଥିବା ପ୍ରାର୍ଥୀମାନଙ୍କୁ ପ୍ରତ୍ୟାଖ୍ୟାନ କରିବାକୁ ଏବଂ ଯଦି କୌଣସି ପ୍ରାର୍ଥୀ ସଚ୍ଚୋଟ ନାହାନ୍ତି ତେବେ ନିଜ ଭୋଟ୍ ନୋଟାରେ ଦେବାକୁ ମଧ୍ୟ ଭୋଟରମାନଙ୍କୁ ଖୋଲାଖୋଲି ଭାବରେ ଅନୁରୋଧ କରିଥିଲେ। ସେ ନିର୍ବାଚନ କମିଶନରଙ୍କ ସ୍ୱଚ୍ଛତା ଉପରେ ମଧ୍ୟ ପ୍ରଶ୍ନ ଉଠାଇଥିଲେ ଏବଂ ଆଦର୍ଶ ଆଚରଣ ସଂହିତା ପାଳନ କରିବାରେ ପକ୍ଷପାତିତା କରିଥିବା ଦାବି କରୁଥିଲେ। ସୂଚନାଯୋଗ୍ୟ ୨୦୨୪ ଲୋକସଭା ନିର୍ବାଚନରେ ଆର୍କେ ସିଂହ ପରାଜିତ ହୋଇଥିଲେ।









