29.1 C
Bhubaneswar
Tuesday, September 1, 2026
Homeଓଡିଶାଏମଏମଡିଆର ସଂଶୋଧନ ଆକ୍ଟ ପ୍ରସଙ୍ଗ; ବିଜେପି ଓଡ଼ିଶାର ସ୍ୱାର୍ଥ ହାସଲ ପାଇଁ କାର୍ଯ୍ୟ କରୁନାହିଁ: ବିଜେଡି

ଏମଏମଡିଆର ସଂଶୋଧନ ଆକ୍ଟ ପ୍ରସଙ୍ଗ; ବିଜେପି ଓଡ଼ିଶାର ସ୍ୱାର୍ଥ ହାସଲ ପାଇଁ କାର୍ଯ୍ୟ କରୁନାହିଁ: ବିଜେଡି

ଭୁବନେଶ୍ୱର : ଏମଏମଡିଆର ସଂଶୋଧନ ଆକ୍ଟ ୨୦୨୬ ପ୍ରସଙ୍ଗରେ ଆଜି ବିଜୁ ଜନତା ଦଳ ଏହି ଆକ୍ଟ ଓଡ଼ିଶାର ସ୍ୱାର୍ଥ ବିରୋଧୀ ବୋଲି କହି ପୁଣି ବିଜେପି ଉପରେ ବର୍ଷିଛି । ଏହି ଆକ୍ଟ ଓଡ଼ିଶାର ସ୍ୱାର୍ଥ ବିରୋଧରେ ଯାଉଥିବା ବେଳେ ବିଜେପି ସାଂସଦ ମାନେ ଏହାକୁ ସମର୍ଥନ କରିଥିଲେ, ଯେଉଁଥିରୁ ସ୍ପଷ୍ଟ ପ୍ରମାଣ ହେଉଛି ଯେ ବିଜେପି ଓଡ଼ିଶାର ସ୍ୱାର୍ଥ ହାସଲ ପାଇଁ କାର୍ଯ୍ୟ କରୁନାହିଁ ବୋଲି ବିଜେଡି କହିଛି ।ଶଙ୍ଖ ଭବନରେ ଆଜି ଆୟୋଜିତ ସାମ୍ୱାଦିକ ସମ୍ମିଳନୀରେ ଦଳର ରାଜ୍ୟସଭା ସାଂସଦ ଡ. ସଂତୃପ୍ତ ମିଶ୍ର କହିଥିଲେ, ଏମଏମଡିଆର ଆକ୍ଟ ମାଧ୍ୟମରେ ଖଣି ଓ ଖଣି ଥିବା ଜମି ଉପରୁ ରାଜ୍ୟ ସରକାରଙ୍କର ଅଧିକାର ସବୁଦିନ ପାଇଁ କେନ୍ଦ୍ର ସରକାର ଛଡାଇ ନେଲା । ମାନ୍ୟବର ସର୍ବୋଚ୍ଚ ନ୍ୟାୟାଳୟଙ୍କ ନଅ ଜଣିଆ ଖଣ୍ଡପୀଠ ଦ୍ୱାରା ୨୫ ଜୁଲାଇ ୨୦୨୬ରେ ପ୍ରଦାନ କରାଯାଇଥିବା ଜଜମେଣ୍ଟରେ ରାଜ୍ୟ ମାନେ ଖଣି ଓ ଖଣି ଥିବା ଜମି ଉପରେ ଟିକସ ଓ ଲେଭି ଲଗାଇ ପାରିବେ । ଏହାଛଡ଼ା ୨୦୦୫ ମସିହାରୁ ଟିକସ ଲେଭି ବାବଦକୁ ବାକି ଥିବା ଟିକସକୁ ମଧ୍ୟ ଆଦାୟ ହେବ ବୋଲି କହିଥିଲେ । ଏହି ଜଜମେଣ୍ଟ ଅନୁଯାୟୀ ବକେୟା ବାବଦକୁ ଓଡିଶା ଏକ ଲକ୍ଷ କୋଟି ଟଙ୍କାରୁ ଉଦ୍ଧ୍ୱର୍ ଟଙ୍କା ପାଇବାକୁ ହକଦାର ହୋଇଥିଲା ଓ ବାର୍ଷିକ ରାଜସ୍ୱ ବାବଦକୁ ଅଧିକ ୧୨, ୦୦୦ କୋଟି ଟଙ୍କା ମିଳିବ ବୋଲି ପଥ ପରିଷ୍କାର ହୋଇଥିଲା । ଏମଏମଡିଆର ସଂଶୋଧନ ଆକ୍ଟ ହେବା ପରେ ଖଣି ଓ ଖଣି ଥିବା ଜମି ଉପରୁ ରାଜ୍ୟ ସରକାରଙ୍କ ଅଧିକାର ସବୁଦିନ ପାଇଁ ଛଡାଇ ନିଆଗଲା । ଏହା ସହିତ ବକେୟା ବାବଦକୁ ପାଇବାକୁ ଏକ ଲକ୍ଷ କୋଟି ଟଙ୍କା ଓ ବାର୍ଷିକ ରାଜସ୍ୱ ସବୁଦିନ ପାଇଁ ହରାଇଲା ।

ଡ. ମିଶ୍ର କହିଥିଲେ, ଓଡ଼ିଶାର ସ୍ୱାର୍ଥ ବିରୋଧରେ ଯାଉଥିବା ଏହି ଆକ୍ଟ ବିରୋଧରେ ମୁହଁ ଖୋଲିବା ପାଇଁ ବିଜେଡି ସଭାପତି ଶ୍ରୀ ନବୀନ ପଟ୍ଟନାୟକ ବିଜେପି ସାଂସଦ ମାନଙ୍କୁ ଚିଠି ଲେଖିଥିଲେ । ବିଜେପି ନେତାମାନେ ଏହି ଆକ୍ଟ ଯୋଗୁ ଓଡ଼ିଶାର କୌଣସି କ୍ଷତି ହେବ ନାହିଁ ବୋଲି ଯୁକ୍ତି ବାଢୁଛନ୍ତି । କିନ୍ତୁ, ନଭେମ୍ୱର ୨୦୨୫ ରେ ପ୍ରକାଶିତ ଓଡିଶା ରିଭୁ୍ୟରେ, ଖଣି ବକେୟା ବାବଦକୁ ଓଡିଶା ଏକ ଲକ୍ଷ କୋଟି ଟଙ୍କା ଓ ବାର୍ଷିକ ରାଜସ୍ୱ ବାବଦକୁ ଅଧିକ ୧୨, ୦୦୦ କୋଟି ଟଙ୍କା ଓଡିଶା ପାଇବାକୁ ଯାଉଥିବା ବେଳେ ଏହା ରାଜ୍ୟର ଆର୍ଥିକ ସ୍ଥିତିକୁ ସୁଦୃଢ଼ କରିବ ବୋଲି କୁହାଯାଇଥିଲା । ଏହାଛଡା, ଓଡ଼ିଶା ସରକାରଙ୍କ ତରଫରୁ ଓଡିଶାର ଆଡ଼ଭୋକେଟ ଜେନେରାଲ ପିତାମ୍ୱର ଆଚାର୍ଯ୍ୟ ସର୍ବୋଚ୍ଚ ନ୍ୟାୟାଳୟ ସମ୍ମୁଖରେ ଆଫିଡେଫିଟ ମାଧ୍ୟମରେ କହିଥିଲେ, ବକେୟା ଏକ ଲକ୍ଷ କୋଟି ଟଙ୍କା ଓଡ଼ିଶାର ନ୍ୟାର୍ଯ୍ୟ ପ୍ରାପ୍ୟ ଓ ଏହା ନମିଳିଲେ ଓଡ଼ିଶାର ବ୍ୟାପକ କ୍ଷତି ହେବ ।ଡ. ମିଶ୍ର ଆହୁରି ମଧ୍ୟ କହିଥିଲେ, ଉଭୟ ଓଡିଶା ରିଭୁ୍ୟ ଓ ଆଡ଼ଭୋକେଟ ଜେନେରାଲଙ୍କ ଅଫିଡେଫିଟରେ ଖଣି ଟିକସ ଓ ବକେୟା ବାବଦକୁ ମିଳିବାକୁ ଥିବା ଟଙ୍କା ଓଡ଼ିଶାର ପ୍ରଗତି ପାଇଁ ଗୁରୁତ୍ୱପୂର୍ଣ୍ଣ ବୋଲି କୁହାଯାଇଥିବା ବେଳେ ଏବେ ବିଜେପି ନେତା ମାନେ ଓଡ଼ିଶାର କୌଣସି କ୍ଷତି ହେବନାହିଁ ବୋଲି ଯୁକ୍ତି ବାଢୁଛନ୍ତି । ସ୍ୱାଭାବିକ ଭାବେ ପ୍ରଶ୍ନ ଉଠେ ଯେ, ଓଡିଶା ରିଭୁ୍ୟ ଓ ଆଡ଼ଭୋକେଟ ଜେନେରାଲଙ୍କ ଆଫିଡେଫିଟରେ ଦିଆଯାଇଥିବା ତଥ୍ୟ କ’ଣ ଭୁଲ ଥିଲା କି ନା ବିଜେପି ନେତା ମାନେ ନିଜର ସ୍ଥିତିକୁ ବଞ୍ଚାଇବା ପାଇଁ ମିଛ କହୁଛନ୍ତି । ରାଜ୍ୟ ମାନଙ୍କ ଠାରୁ ଖଣି ଓ ଖଣି ଥିବା ଜମି ଉପରୁ ସବୁଦିନ ପାଇଁ ଅଧିକାର ଛଡାଇ ନେବା ଦେଶର ସଂଘୀୟ ବ୍ୟବସ୍ଥା ଉପରେ ଆକ୍ରମଣ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking