ନୂଆଦିଲ୍ଲୀ/ଭୁବନେଶ୍ୱର: ନୂଆଦିଲ୍ଲୀରେ ଆୟୋଜିତ ୯ମ ଭାରତ ଅନ୍ତର୍ଜାତୀୟ ଜଳ ସପ୍ତାହ (ଆଇଆଇଡବ୍ଲ୍ୟୁଡବ୍ଲ୍ୟୁ)-୨୦୨୬ରେ ଓଡ଼ିଶା ନିଜର ସମନ୍ୱିତ ଜଳ ସମ୍ପଦ ପରିଚାଳନା ମଡେଲ୍ ପ୍ରଦର୍ଶନ କରିଛି। ସେପ୍ଟେମ୍ବର ୨୨ରୁ ୨୬ ତାରିଖ ପର୍ଯ୍ୟନ୍ତ ଭାରତ ମଣ୍ଡପମ୍ଠାରେ ଆୟୋଜିତ ଏହି ଅନ୍ତର୍ଜାତୀୟ ସମ୍ମିଳନୀରେ ଓଡ଼ିଶା ସହଭାଗୀ ରାଜ୍ୟ ଭାବେ ଅଂଶଗ୍ରହଣ କରିଅଛି। ଚଳିତବର୍ଷର ବିଷୟବସ୍ତୁ ‘ଜଳବାୟୁ ସହନଶୀଳ ଜଳ ପରିଚାଳନା’। କେନ୍ଦ୍ର ଜଳଶକ୍ତି ମନ୍ତ୍ରୀ ଶ୍ରୀ ସି. ଆର୍. ପାଟିଲ୍ ଓଡ଼ିଶା ପ୍ୟାଭିଲିୟନ୍ର ଉଦ୍ଘାଟନ କରିଛନ୍ତି। ଆଇଆଇଡବ୍ଲ୍ୟୁଡବ୍ଲ୍ୟୁ-୨୦୨୬ର ବିଭିନ୍ନ ଆଲୋଚନା ମଧ୍ୟରେ ଜଳ ସମ୍ପଦ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀମତୀ ଶୁଭା ଶର୍ମା “ସ୍ଥାୟୀ ଜଳ ସମ୍ପଦ ପରିଚାଳନା ପାଇଁ ଭାରତ-ଡେନମାର୍କର ମିଳିତ ସମାଧାନ (Joint Indo-Danish Solutions for Sustainable Water Management)” ଶୀର୍ଷକ ସ୍ୱତନ୍ତ୍ର ଅଧିବେଶନର ସହ-ଅଧ୍ୟକ୍ଷତା କରିଥିଲେ। ଭାରତରେ ଡେନମାର୍କର ରାଷ୍ଟ୍ରଦୂତ ମହାମହିମ ଶ୍ରୀ ରାସମୁସ୍ ଆବିଲ୍ଡଗାର୍ଡ କ୍ରିଷ୍ଟେନ୍ସେନ୍ଙ୍କ ସହ ସେ ଏହି ଅଧିବେଶନରେ ଅଂଶଗ୍ରହଣ କରି ଉପକୂଳ କ୍ଷୟର ମୁକାବିଲା, ଉପକୂଳୀୟ ସହନଶୀଳତା ବୃଦ୍ଧି ଏବଂ ସ୍ଥାୟୀ ଜଳ ପରିଚାଳନା କ୍ଷେତ୍ରରେ ଡେନମାର୍କର ବିଶେଷଜ୍ଞତା ଓ ପ୍ରଯୁକ୍ତିର ଉପଯୋଗ ସମ୍ପର୍କରେ ଓଡ଼ିଶା-ଡେନମାର୍କ ସହଯୋଗର ସମ୍ଭାବନା ଉପରେ ଆଲୋକପାତ କରିଥିଲେ। ଓଡ଼ିଶା ପ୍ୟାଭିଲିୟନ୍ରେ ରାଜ୍ୟର ଜଳସେଚନ ଭିତ୍ତିଭୂମି, ଜଳର ଦକ୍ଷ ଉପଯୋଗ ସହ ଜଳ ସୁରକ୍ଷା ଓ ଜଳବାୟୁ ସହନଶୀଳତା ବୃଦ୍ଧି ପାଇଁ ଗ୍ରହଣ କରାଯାଉଥିବା ବିଭିନ୍ନ ପଦକ୍ଷେପ ପ୍ରଦର୍ଶିତ ହେଉଛି। ଏଥିରେ ମୃତ୍ତିକା ଆର୍ଦ୍ରତା ସେନ୍ସର୍, ସମନ୍ୱିତ ଧାନ-ମାଛ ଚାଷ ମଡେଲ୍, ସ୍ୱୟଂଚାଳିତ ଓଦା-ଶୁଖିଲା ପ୍ରଣାଳୀ ଏବଂ ଡାଲି ଓ ଧାନର ବିଭିନ୍ନ ବିହନ କିସମ ଆଦି ପ୍ରଦର୍ଶିତ ହୋଇଛି। ଏହି ପଦକ୍ଷେପଗୁଡ଼ିକ ଜଳବାୟୁ ସହନଶୀଳ କୃଷିକୁ ପ୍ରୋତ୍ସାହିତ କରିବା ସହ ଜଳର ଦକ୍ଷ ଉପଯୋଗରେ ସହାୟକ ହେଉଛି। ‘ଜଳବାୟୁ ସହନଶୀଳ ଜଳ ପରିଚାଳନା’ ବିଷୟବସ୍ତୁ ସହ ସମନ୍ୱୟ ରଖି “ଓଡ଼ିଶା ଜଳବାୟୁ ସହନଶୀଳ କୃଷି ପାଇଁ ସମନ୍ୱିତ ଜଳସେଚନ ପ୍ରକଳ୍ପ (ଓଆଇଆଇପିସିଆରଏ)”ର ଏକ ସ୍ୱତନ୍ତ୍ର ମଡେଲ୍ ମାଧ୍ୟମରେ ଜଳ ସମ୍ପଦ ବିଭାଗ ଦ୍ୱାରା ରାଜ୍ୟରେ ଗ୍ରହଣ କରାଯାଉଥିବା ଜଳବାୟୁ ସହନଶୀଳ ପଦକ୍ଷେପଗୁଡ଼ିକ ପ୍ରଦର୍ଶିତ ହେଉଛି। ଏହି ପ୍ରକଳ୍ପ ଅଧୀନରେ ୧୫ଟି ଜିଲ୍ଲାର ୫୩୮ଟି କ୍ଷୁଦ୍ର ଜଳସେଚନ ଟାଙ୍କର ପୁନରୁଦ୍ଧାର, ଉନ୍ନତ ଜଳସେଚନ ବ୍ୟବସ୍ଥା, ଜଳବାୟୁ ସହନଶୀଳ ଓ ବୈଜ୍ଞାନିକ କୃଷି, ମତ୍ସ୍ୟଚାଷ ବିକାଶ ଏବଂ ଜୀବିକା ସହାୟତା ଭଳି ବିଭିନ୍ନ ପଦକ୍ଷେପକୁ ସମନ୍ୱିତ କରାଯାଇଛି।
ଓଡ଼ିଶାର ପ୍ରଦର୍ଶନୀର ଅନ୍ୟତମ ପ୍ରମୁଖ ଆକର୍ଷଣ ହେଉଛି କାନୁପୁର ଜଳସେଚନ ପ୍ରକଳ୍ପର ମଡେଲ୍। ଏହି ମଡେଲ୍ରେ ଜଳ ସଂରକ୍ଷଣ, ଉପ-ଅବବାହିକା ମଧ୍ୟରେ ଜଳ ସ୍ଥାନାନ୍ତରଣ ଏବଂ ଆଧୁନିକ ଜଳ ପରିବହନ ବ୍ୟବସ୍ଥା ପ୍ରଦର୍ଶିତ ହୋଇଛି। ଉପଲବ୍ଧ ଜଳ ସମ୍ପଦର ସର୍ବାଧିକ ଦକ୍ଷ ଉପଯୋଗ ଏବଂ ଭବିଷ୍ୟତ ଜଳ ସୁରକ୍ଷା ସୁଦୃଢ଼ କରିବା ଦିଗରେ ଓଡ଼ିଶାର ଆଭିମୁଖ୍ୟକୁ ମଧ୍ୟ ଏହି ମଡେଲ୍ ଉପସ୍ଥାପନ କରୁଛି। ଏକ ସ୍ୱତନ୍ତ୍ର ଡିଜିଟାଲ୍ ‘ସଫଳତାର କାହାଣୀ’ ପ୍ଲାଟଫର୍ମ ମାଧ୍ୟମରେ ଓଡ଼ିଶାର ବିଭିନ୍ନ ଅଞ୍ଚଳର ସଫଳତା ଓ ଉପଲବ୍ଧିକୁ ପ୍ରଦର୍ଶିତ କରାଯାଉଛି। ଏଥିରେ ଚାଷୀ, ସମୁଦାୟର ସଦସ୍ୟ ଏବଂ ବିଭିନ୍ନ ହିତାଧିକାରୀଙ୍କ ସାମାଜିକ-ଆର୍ଥିକ ପ୍ରଗତିର କାହାଣୀ ସ୍ଥାନ ପାଇଛି। ‘କମ୍ୟୁନିଟି ଏନ୍ଗେଜ୍ମେଣ୍ଟ କର୍ଣ୍ଣର’ ଏକ ଅଂଶଗ୍ରହଣମୂଳକ ଓ ସମୁଦାୟକୈନ୍ଦ୍ରିକ ସ୍ଥାନ ଭାବେ ପ୍ରସ୍ତୁତ କରାଯାଇଛି। ଏଠାରେ କୁଇଜ୍, ସଚେତନତାମୂଳକ କାର୍ଯ୍ୟକ୍ରମ ଏବଂ ‘ଜଳ ସଂରକ୍ଷଣ ପ୍ରତିଜ୍ଞା’ ଭଳି ବିଭିନ୍ନ ଆୟୋଜନ ମାଧ୍ୟମରେ ଦର୍ଶକମାନଙ୍କୁ ଜଳ ସଂରକ୍ଷଣ ଓ ଜଳ ସମ୍ପଦର ସୁରକ୍ଷା ପ୍ରତି ନିଜର ପ୍ରତିବଦ୍ଧତାକୁ ସୁଦୃଢ଼ କରିବା ପାଇଁ ଉତ୍ସାହିତ କରାଯାଉଛି।ଆଇଆଇଡବ୍ଲ୍ୟୁଡବ୍ଲ୍ୟୁ-୨୦୨୬ରେ ଅଂଶଗ୍ରହଣ ମାଧ୍ୟମରେ ଓଡ଼ିଶା ସମନ୍ୱିତ ଜଳ ସମ୍ପଦ ପରିଚାଳନା, ଜଳବାୟୁ ସହନଶୀଳ କୃଷି, ଦକ୍ଷ ଜଳସେଚନ, ଜୀବିକା ବିକାଶ ଏବଂ ସମୁଦାୟଭିତ୍ତିକ ଜଳ ପରିଚାଳନା କ୍ଷେତ୍ରରେ ନିଜର ଅଭିଜ୍ଞତା ଓ ପଦକ୍ଷେପକୁ ଜାତୀୟ ତଥା ଅନ୍ତର୍ଜାତୀୟ ମଞ୍ଚରେ ଉପସ୍ଥାପନ କରିଛି।










