ଭୁବନେଶ୍ୱର: ଲଗାଣ ବର୍ଷାକୁ ଦୃଷ୍ଟିରେ ରଖି ଆଜି ୫ଟି ଜିଲ୍ଲାରେ ସ୍କୁଲ ଛୁଟି । ଖୋର୍ଦ୍ଧା, ଜଗତସିଂହପୁର, ଗଞ୍ଜାମ, ଗଜପତି ଓ କୋରାପୁଟ ଜିଲ୍ଲାରେ ଛୁଟି ଘୋଷଣା କରିଛନ୍ତି ଜିଲ୍ଲାପାଳ । ଖୋର୍ଦ୍ଧାରେ ଆଜିଠୁ ୨୪ ତାରିଖ ପର୍ଯ୍ୟନ୍ତ ସମସ୍ତ ସରକାରୀ, ବେସରକାରୀ ସ୍କୁଲ, ଶିଶୁ ବାଟିକା ଇତ୍ୟାଦି ବନ୍ଦ ରହିବ। ଗଞ୍ଜାମ ଜିଲ୍ଲାରେ ଅଙ୍ଗନବାଡି କେନ୍ଦ୍ରଗୁଡ଼ିକ ପାଇଁ ୩ ଦିନିଆ ଛୁଟି ଘୋଷଣା କରାଯାଇଛି । ଆଜିଠାରୁ ୨୪ ତାରିଖ ପର୍ଯ୍ୟନ୍ତ ଜିଲ୍ଲାର ସମସ୍ତ ଅଙ୍ଗନବାଡି କେନ୍ଦ୍ର ବନ୍ଦ ରହିବ । ଜଗତସିଂହପୁର ଜିଲ୍ଲାରେ ମଧ୍ୟ ପ୍ରବଳ ବର୍ଷା ଆଶଙ୍କାକୁ ଦୃଷ୍ଟିରେ ରଖି ଆଜି ଜିଲ୍ଲାର ସମସ୍ତ ବିଦ୍ୟାଳୟ ବନ୍ଦ ରହିବ। ଛାତ୍ରଛାତ୍ରୀଙ୍କ ସୁରକ୍ଷା ଓ ସମ୍ଭାବ୍ୟ ବର୍ଷାଜନିତ ସମସ୍ୟାକୁ ନଜରରେ ରଖି ପ୍ରଶାସନ ଏହି ପଦକ୍ଷେପ ନେଇଛି । ଗଜପତି ଜିଲ୍ଲାରେ ସମ୍ଭାବ୍ୟ ଗଭୀର ଅବପାତକୁ ଦୃଷ୍ଟିରେ ରଖି ଜିଲ୍ଲାର ସମସ୍ତ ସରକାରୀ ଓ ବେସରକାରୀ ପ୍ରାଥମିକ ଠାରୁ ଉଚ୍ଚ ବିଦ୍ୟାଳୟ ପର୍ଯ୍ୟନ୍ତ ଏବଂ ସମସ୍ତ ଅଙ୍ଗନବାଡି କେନ୍ଦ୍ର ଆଜିଠୁ ୨୪ ପର୍ଯ୍ୟନ୍ତ ଛୁଟି ଘୋଷଣା କରିଛି ଜିଲ୍ଲା ଶିକ୍ଷା ବିଭାଗ। ସେପଟେ ବର୍ଷା ପାଇଁ କୋରାପୁଟ ଓ ମାଲକାନଗିରି ଜିଲ୍ଲାରେ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ । ୨୫ ତାରିଖ ଯାଏଁ ହେଡକ୍ବାର୍ଟର୍ସ ନଛାଡ଼ିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି । ସମ୍ଭାବ୍ୟ ବଡ଼ ବର୍ଷାକୁ ଦୃଷ୍ଟିରେ ରଖି ଜିଲ୍ଲାପାଳ ଏହି ନିଷ୍ପତ୍ତି ନେଇଛନ୍ତି । ମାଲକାନଗିରି ଜିଲ୍ଲାରେ ବି ବର୍ଷା ପାଇଁ ଛୁଟି ବାତିଲ । ୨୩, ୨୪ ଓ ୨୫ ତାରିଖ, ସମସ୍ତ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ। ସ୍କୁଲ ଓ ଅଙ୍ଗନୱାଡି କେନ୍ଦ୍ର ବନ୍ଦ ରହିବ ।










