ପୁରୀ: ପୁଣି ଡରାଇଲାଣି ବଡ ବର୍ଷା ବଙ୍ଗୋପସାଗରରେ ସୃଷ୍ଟି ଅବପାତ ପ୍ରଭାବରେ ଓଡିଶାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ଆଶଙ୍କା ଦେଖାଦେଇଥିବା ବେଳେ ଚିଲିକା ଅଞ୍ଚଳରେ ମଧ୍ୟ ପାଗରେ ପରିବର୍ତ୍ତନ ଦେଖାଦେଇଛି । ଚିଲିକା ଟାପୁରେ ଥିବା କୃଷ୍ଣପ୍ରସାଦ ବ୍ଲକରେ ପବନର ବେଗ କ୍ରମଶଃ ବଢୁଥିବା ଜଣାପଡିଛି। ଏହାକୁ ଦୃଷ୍ଟିରେ ରଖି ଚିଲିକା ଉନ୍ନୟନ କର୍ତ୍ତୃପକ୍ଷ ସାତପଡା- ଜହ୍ନିକୁଦା ଜଳପଥରେ ଯାତ୍ରୀବାହୀ ଭସାପୋଲ ଚଳାଚଳ ବନ୍ଦ କରିଛନ୍ତି ।ଭାରତୀୟ ପାଣିପାଗ ବିଭାଗର ଆଜିର ସତର୍କତା ଅନୁସାରେ ଓଡିଶାରେ ୨୨ ତାରିଖରେ ବହୁତ ପ୍ରବଳ ବର୍ଷା ଏବଂ ୨୩ ଓ ୨୪ ତାରିଖରେ ଅତି ପ୍ରବଳ ବର୍ଷାର ସମ୍ଭାବନା ରହିଛି । ବଙ୍ଗୋପସାଗରରେ ଥିବା ଅବପାତ ଆହୁରି ଘନୀଭୂତ ହୋଇ ୨୩ ତାରିଖ ରାତିରୁ ୨୪ ତାରିଖ ସକାଳ ମଧ୍ୟରେ ଉତ୍ତର ଆନ୍ଧ୍ର- ଦକ୍ଷିଣ ଓଡିଶା ଉପକୂଳ ମଧ୍ୟରେ ଅତିକ୍ରମ କରିବାର ସମ୍ଭାବନା ରହିଛି । ତେବେ ବର୍ତ୍ତମାନ ଏହାକୁ ବାତ୍ୟା ଭାବେ ନୁହେଁ, ବରଂ ପ୍ରବଳରୁ ଅତି ପ୍ରବଳ ବର୍ଷା ଓ ପବନ ସମ୍ପର୍କିତ ପାଣିପାଗ ସ୍ଥିତି ଭାବେ ଦେଖାଯାଉଛି । ଚିଲିକାରେ ପବନ ଓ ଜଳପଥ ସ୍ଥିତିକୁ ନଜରରେ ରଖି ଭସାପୋଲ ସେବା ପୁଣି କେବେ ଆରମ୍ଭ ହେବ, ସେନେଇ ପରବର୍ତ୍ତୀ ନିଷ୍ପତ୍ତି ନିଆଯିବ ।










