ଭୁବନେଶ୍ୱର: ନବୀନଙ୍କ କ୍ରେଜ୍ରେ ଲାଗିଲା ବ୍ରେକ୍। କାମ ଦେଲାନି ନବୀନଙ୍କ ଡବଲ ରାଲି । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଗ୍ୟାରେଣ୍ଟିରେ ବିଜେଡିର ଗଡ଼ ପୂରା ଚୂରମାର୍। ବିଜେଡି ହାତରୁ ଖସିଲା ନୂଆପଡ଼ା। ନୂଆପଡ଼ାରେ ଉଡ଼ିଛି ବିଜେପିର ବିଜୟ ବାନା। ଉପନିର୍ବାଚନରେ ବାଜିମାତ୍ କରିଛି ବିଜେପି। ନବୀନ ହାତ ହଲାଇଦେଲେ ବିଜେଡି ପ୍ରାର୍ଥୀ ଜିତିଯିବେ ବୋଲି କହିଆସୁଥିବା ନେତାଙ୍କ ଦର୍ପ ବି ଅବିଶ୍ୱନୀୟଭାବେ ଭାଙ୍ଗିଯାଇଛି। ବାଜି ମାରିନେଇଛନ୍ତି ଜୟ ଢୋଲ୍କିଆ। ନୂଆପଡ଼ା ନିର୍ବାଚନ ଇତିହାସରେ ସେ ନୂଆ ଇତିହାସ ସୃଷ୍ଟି କରିଛନ୍ତି। ନିକଟତମ ପ୍ରତିଦ୍ୱନ୍ଦ୍ୱୀ କଂଗ୍ରେସର ଘାସିରାମ ମାଝୀଙ୍କ ଠାରୁ ଜୟ ୮୩ ହଜାର ୭୪୮ ଭୋଟ୍ ବ୍ୟବଧାନରେ ବିଜୟୀ ହୋଇ ରେକର୍ଡ଼ କରିଛନ୍ତି। ତେଣୁ ନୂଆପଡ଼ାର ସବୁଠି ‘ଜୟ’ଙ୍କ ଜୟଜୟକାର ଶୁଭୁଛି। ଜୟଙ୍କୁ ମୋଟ୍ ୧,୨୩,୮୬୯ ଭୋଟ୍ (୫୮.୨୭%) ମିଳିଛି, ଯାହାକି ରାଜ୍ୟରେ ବିଜେପି ପାଇଁ ଏକ ବୃହତ ବିଜୟ। ଏହି ରେକର୍ଡ଼ ବିଜୟ କେବଳ ଭୋଟ୍ ବ୍ୟବଧାନ ଦୃଷ୍ଟିରୁ ବଡ଼ ନୁହେଁ, ବରଂ ଓଡ଼ିଶା ରାଜନୀତିରେ ଏକ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନର ସଙ୍କେତ ଦେଇଛି। ନୂଆପଡ଼ାର ଜନାଦେଶ ରାଜ୍ୟରେ ଦୀର୍ଘ ୨୪ବର୍ଷ ଧରି ଶାସନ କରିଥିବା ଏକନମ୍ବର ଦଳ ବିଜେଡିକୁ ତୃତୀୟ ସ୍ଥାନକୁ ଠେଲି ଦେଇଛି। ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ନେତୃତ୍ୱରେ ଗଢ଼ାଯାଇଥିବା ରାଜ୍ୟ ସରକାର ପ୍ରଥମ ଉପନିର୍ବାଚନରେ ସମ୍ମୁଖୀନ ହୋଇ ସଫଳ ହୋଇଛନ୍ତି। ବିଜୟୀ ହେବା ପରେ ଜୟ ଢୋଲ୍କିଆ ନୂଆପଡ଼ାବାସୀଙ୍କ ଠାରେ କୃତଜ୍ଞ ବୋଲି ପ୍ରକାଶ କରି କହିଛନ୍ତି ବାପାଙ୍କ ଅଧୁରା ସ୍ୱପ୍ନ ପୂରଣ କରିବି। ଆମ ନିର୍ବାଚନ ମଣ୍ଡଳୀକୁ ସାଧାରଣ ଜନତାଙ୍କ ପରାମର୍ଶରେ ନୂଆ ରୂପରେ ଗଢ଼ିବାକୁ ଚେଷ୍ଟା କରିବି ବୋଲି କହିଛନ୍ତି। ୨୦୦୯, ୨୦୧୪, ୨୦୧୯ ଓ ୨୦୨୪ ସାଧାରଣ ନିର୍ବାଚନରେ ନୂଆପଡ଼ା ବିଧାନସଭା ଆସନରୁ କୌଣସି ପ୍ରାର୍ଥୀ ଜୟ ଢୋଲକିଆଙ୍କ ଭଳି ଲକ୍ଷେରୁ ଅଧିକ ଭୋଟ୍ ପାଇ ବିଜୟୀ ହୋଇ ନଥିଲେ। ଏମିତିକି କେହି ୧ ଲକ୍ଷ ପାଖାପାଖି ମଧ୍ୟ ପହଞ୍ଚି ନଥିଲେ। ସେହିଭଳି ୮୩ ହଜାରରୁ ଅଧିକ ଭୋଟ୍ ବ୍ୟବଧାନରେ ମଧ୍ୟ କେହି ଜିତି ନଥିଲେ। ୨୦୨୪ ସାଧାରଣ ନିର୍ବାଚନରେ ଜୟ ଢୋଲକିଆଙ୍କ ବାପା ରାଜେନ୍ଦ୍ର ଢୋଲକିଆ ନୂଆପଡ଼ା ଆସନରୁ ବିଜେଡିରୁ ପ୍ରାର୍ଥୀ ହୋଇ ୬୧,୮୨୨ ଖଣ୍ଡ ଭୋଟ୍ ପାଇଥିଲେ। ତେବେ ଉପନିର୍ବାଚନରେ ମିଳିଛି ୩୮,୪୦୮ ଖଣ୍ଡ ଭୋଟ୍। ଅର୍ଥାତ୍ ଦଳ ଆହୁରି ୨୩, ୪୧୪ ଖଣ୍ଡ ଭୋଟ୍ ହରାଇଛି। ନିଶ୍ଚିତ ଭାବେ ଏହା ଦଳ ପାଇଁ ଏକ ବଡ଼ ଧକ୍କା।
ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ(ସିଇଓ) ଆରଏସ୍ ଗୋପାଳନ କହିଛନ୍ତି ଯେ ଭୋଟ୍ ଗଣତି ପାଇଁ ପ୍ରାଶସନ ପକ୍ଷରୁ ତ୍ରିସ୍ତରୀୟ ସୁରକ୍ଷା କରାଯାଇଥିଲା। ସେଣ୍ଟ୍ରାଲ ଆର୍ମ ପୁଲିସ ଫୋର୍ସ (ସିଏପିଏଫ୍) ତତ୍ତ୍ୱାବଧାନରେ ଷ୍ଟ୍ରଙ୍ଗ୍ ରୁମରୁ ସିଲ୍ ଥିବା ଇଭିଏମ୍ ଧାର୍ଯ୍ୟ ସମୟରେ ଆଣି ଖୋଲାଯାଇଥିଲା। ତେବେ ଗଣତି ସମୟରେ ସିଏପିଏଫ୍, ବିଏସ୍ଏଫ୍, ଏସ୍ଏପି ଓ ରାଜ୍ୟ ପୁଲିସ ମୁତୟନ ରହିଥିଲେ। ଗଣତିସ୍ଥଳକୁ ବାହାର ଲୋକଙ୍କୁ ଛଡ଼ାଯାଇ ନଥିଲା। ଟ୍ରାଫିକ୍ କଟକଣା ଜାରି କରାଯାଇଥିଲା। ପ୍ରଥମେ ସକାଳ ୮ରେ ପୋଷ୍ଟାଲ ବାଲାଟ୍ ଗଣାଯାଇଥିବାବେଳେ ସକାଳ ସାଢ଼େ ୮ରେ ୩୫୮ ବୁଥ୍ର ଇଭିଏମ୍ ଗଣତି ଆରମ୍ଭ ହୋଇଥିଲା। ଏଥିପାଇଁ ୧୪ଟି ଟେବୁଲ୍ରେ ତାଲିମପ୍ରାପ୍ତ କର୍ମଚାରୀ ୨୯ଟି ରାଉଣ୍ଡରେ ଭୋଟ୍ ଗଣତି କରିଥିଲେ। ପ୍ରଥମ ରାଉଣ୍ଡ ଭୋଟ୍ ଗଣତିରୁ ହିଁ ବିଜେପି ପ୍ରାର୍ଥୀ ଜୟ ଢୋଲକିଆ ଆଗୁଆ ଥିଲେ। ୨୯ ରାଉଣ୍ଡ ଗଣତି ପରେ ସେ ମୋଟ୍ ୧ ଲକ୍ଷ ୨୩ ହଜାର ୮୬୯ ଭୋଟ୍ ପାଇଥିବା ବେଳେ ଦ୍ୱିତୀୟ ସ୍ଥାନରେ ଥିବା କଂଗ୍ରେସର ଘାସିରାମ ମାଝୀ ୪୦, ୧୨୧ ଖଣ୍ଡ ଭୋଟ୍ ଓ ବିଜେଡିର ସ୍ନେହାଙ୍ଗିନୀ ଛୁରିଆ ୩୮,୪୦୮ ଖଣ୍ଡ ଭୋଟ୍ ପାଇଛନ୍ତି।
ତେବେ ମୁଖ୍ୟ ବିରୋଧୀ ଦଳ ବିଜେଡି ପାଇଁ ଏହି ନିର୍ବାଚନ ଏକ ବଡ଼ ଝଟକା ସାବ୍ୟସ୍ତ ହୋଇଛି। ଦଳର ପୂର୍ବତନ ବିଧାୟିକା ତଥା ମହିଳା ସଭାନେତ୍ରୀ ସ୍ନେହାଙ୍ଗିନୀ ଛୁରିଆଙ୍କୁ ମାତ୍ର ୩୮,୪୦୮ ଭୋଟ୍ (୧୮.୦୭%) ମିଳିଛି, ଯାହା ତାଙ୍କୁ ତୃତୀୟ ସ୍ଥାନରେ ରଖିଛି। ନୂଆପଡ଼ା ବିଜେଡିର ଗଡ଼ ଥିଲା ତଥା ଦିବଂଗତ ରାଜେନ୍ଦ୍ର ଢ଼ୋଲକିଆ ମଧ୍ୟ ବିଜେଡିରୁ ପ୍ରତିନିଧିତ୍ୱ କରୁଥିଲେ। ଏତେ କମ୍ ଭୋଟ୍ ପାଇବା ଓ କଂଗ୍ରେସ ପ୍ରାର୍ଥୀଙ୍କଠାରୁ ପଛରେ ରହିବା ବିଜେଡି ପାଇଁ ଆଗାମୀ ଦିନରେ ଏକ ରାଜନୀତିକ ସଙ୍କଟ ସୃଷ୍ଟି କରିବାର ଆଶଙ୍କା ରହିଛି। ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଦୁଇ ଦୁଇଥର ନୂଆପଡ଼ା ଯାଇ ପ୍ରାର୍ଥୀଙ୍କ ସପକ୍ଷରେ ପ୍ରଚାର କରିବା, ଦଳର ଶତାଧିକ ନେତା ଗ୍ରାଉଣ୍ଡ ମ୍ୟାନେଜମେଣ୍ଟ କରିବା ପରେ ମଧ୍ୟ ଜିଲ୍ଲା ବାହାର ପ୍ରାର୍ଥୀଙ୍କୁ ନୂଆପଡ଼ାବାସୀ ଗ୍ରହଣ କରିନଥିବା ସ୍ପଷ୍ଟ ହୋଇଛି। ଏହି ଜନାଦେଶ ଦଳର ପାରମ୍ପରିକ ଭୋଟକୁ ଦଳଠୁ ଛଡ଼ାଇ ନେଇଛି।
ଅନ୍ୟପକ୍ଷରେ ଦୀର୍ଘବର୍ଷ ଧରି ଅସ୍ତିତ୍ୱ ସଙ୍କଟରେ ଥିବା କଂଗ୍ରେସ ପାଇଁ ନୂଆପଡ଼ାର ଜନାଦେଶ ଜୀବନ୍ୟାସ ସଦୃଶ ହୋଇଛି। ଦଳ ସେଠାରେ ଦ୍ୱିତୀୟ ସ୍ଥାନ ହାସଲ କରିବା ଏକ ସକାରାତ୍ମକ ଦିଗକୁ ଉନ୍ମୁକ୍ତ କରିଛି। କଂଗ୍ରେସ ପ୍ରାର୍ଥୀ ଘାସିରାମ ମାଝୀ ଏହି ଉପନିର୍ବାଚନରେ ଚମତ୍କାର ପ୍ରଦର୍ଶନ କରିଛନ୍ତି। ସେ ମୋଟ୍ ୪୦,୧୨୧ ଭୋଟ୍ ହାସଲ କରି ମୁଖ୍ୟ ବିରୋଧୀ ଦଳ ବିଜେଡିକୁ ପଛରେ ପକାଇ ଦ୍ୱିତୀୟ ସ୍ଥାନରେ ରହିଛନ୍ତି। ଆଜି ଭୋଟ୍ ଗଣତିର ପ୍ରାରମ୍ଭିକ ୪ର୍ଥ ଓ ୫ମ ରାଉଣ୍ଡରେ ସେ ବିଜେଡି ପ୍ରାର୍ଥୀ ସ୍ନେହାଙ୍ଗିନୀ ଛୁରିଆଙ୍କୁ ପଛରେ ପକାଇଥିଲେ। ମାତ୍ର ପରେ ବିଜେଡି ପ୍ରାର୍ଥୀ ତାଙ୍କୁ ପଛରେ ପକାଇ ଦେଇଥିଲେ। କିନ୍ତୁ ୧୭ତମ ରାଉଣ୍ଡ ପରଠାରୁ ଶ୍ରୀ ମାଝୀ କ୍ରମାଗତ ଭାବେ ବିଜେଡିକୁ ପଛରେ ପକାଇ ଶେଷ ରାଉଣ୍ଡ ଗଣତି ପର୍ଯ୍ୟନ୍ତ ଦ୍ୱିତୀୟ ସ୍ଥାନରେ ରହିଥିଲେ। ରାଜ୍ୟରେ ଦୀର୍ଘବର୍ଷ ଧରି ଦୁର୍ବଳ ସ୍ଥିତିରେ ଥିବା କଂଗ୍ରେସ ଦ୍ୱିତୀୟ ସ୍ଥାନରେ ରହିବା ବିଜେଡିକୁ ଶକ୍ତଧକ୍କା ହୋଇଛି। ଆଉ ରାଜ୍ୟରେ କଂଗ୍ରେସ ନିଜର ସ୍ଥିତି ସୁଦୃଢ଼ କରିବା ପାଇଁ ଏକ ସୁଯୋଗ ପାଇଥିବା ଚର୍ଚ୍ଚା ହେଉଛି।
ଏହି ଉପନିର୍ବାଚନରେ ଚତୁର୍ଥ ସ୍ଥାନରେ ରହିଛି ବା ଉପରୋକ୍ତ (ପ୍ରାର୍ଥୀ) ମାନଙ୍କ ମଧ୍ୟରୁ କେହି ନୁହନ୍ତି। ନୋଟା ସପକ୍ଷରେ ୨୨୪୮ ଖଣ୍ଡ ଭୋଟ୍ ପଡ଼ିଛି। ପଞ୍ଚମ ସ୍ଥାନରେ ରହିଛନ୍ତି ସ୍ୱାଧୀନ ପ୍ରାର୍ଥୀ ଲୋଚନ ସିଂହ ମାଝୀ। ସେ ୨୧୩୭ ଖଣ୍ଡ ଭୋଟ୍ ପାଇଛନ୍ତି। ସେହିପରି ସ୍ୱାଧୀନ ପ୍ରାର୍ଥୀ ଲକ୍ଷ୍ମୀକାନ୍ତ ତାଣ୍ଡି ୧୩୨୨ ଖଣ୍ଡ ଭୋଟ୍ ପାଇଥିବା ବେଳେ ସ୍ୱାଧୀନ ପ୍ରାର୍ଥୀ କିଶୋର କୁମାର ବାଗ ୭୪୩, ଭୁବନଲାଲ ସାହୁ ୭୨୧, ହେମନ୍ତ ତାଣ୍ଡି ୬୬୨, ଚକ୍ରାନ୍ତ ଜେନା ୫୨୯, ଭକ୍ତବନ୍ଧୁ ଧରୁଆ ୫୧୧, ସମାଜବାଦୀ ପାର୍ଟିର ରମାକାନ୍ତ ହାତୀ ୪୮୯, ସ୍ୱାଧୀନ ପ୍ରାର୍ଥୀ ନୀତା ବାଗ ୪୭୪, ଆଶ୍ରୟ ମହାନନ୍ଦ ୧୯୧ ଓ ଓଡ଼ିଶା ଜନତା ପାର୍ଟିର ସୁଧାକର ଦଣ୍ଡସେନା ୧୬୭ ଖଣ୍ଡ ଭୋଟ୍ ପାଇଛନ୍ତି। ୨୦୨୪ ସାଧାରଣ ନିର୍ବାଚନରେ ନୂଆପଡ଼ା ବିଧାନସଭା ଆସନରେ ବିଜୟୀ ହୋଇଥିଲେ ବିଜେଡି ପ୍ରାର୍ଥୀ ତଥା ଜୟ ଢୋଲକିଆଙ୍କ ବାପା ରାଜେନ୍ଦ୍ର ଢୋଲକିଆ। ତେବେ ତାଙ୍କ ମୃତ୍ୟୁ ପରେ ଏହି ଉପନିର୍ବାଚନ କରାଯାଇଥିଲା।










