କଳାହାଣ୍ଡି: କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଲକ ଗ୍ରାମ୍ୟ ଗୃହ ନିର୍ମାଣ ବିଭାଗରେ କାର୍ଯ୍ୟରତ କର୍ମଚାରୀଙ୍କ ଅଂଶୁଘାତରେ ମୃତ୍ୟୁ ଅଭିଯୋଗ । ମୃତ କର୍ମଚାରୀ ଜଣକ କୋକସରା ବ୍ଲକ ଚିକିଲି ଗ୍ରାମର ଚନ୍ଦନ ସାହୁ । ଗୁରୁବାର ଚନ୍ଦନ ନିଜ ଡିଉଟି ସାରି ପ୍ରାୟ ଦିନ ସାଢ଼େ ଗୋଟାଏ ବେଳେ ବ୍ଲକ କାର୍ଯ୍ୟାଳୟରୁ ନିଜ ଗାଁ ଚିକିଲିକୁ ଫେରିଥିଲେ । ଘରେ ପହଞ୍ଚିବା ପରେ ସେ ଅସୁସ୍ଥ ଅନୁଭବ କରିବାରୁ ବିଶ୍ରାମ ନେଇଥିଲେ । ଶୁକ୍ରବାର ସକାଳେ ଅବସ୍ଥା ବିଗିଡ଼ିବାରୁ ତାଙ୍କୁ ଭବାନୀପାଟଣା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା ।ସେଠାରେ ସାମାନ୍ୟ ସୁସ୍ଥ ଅନୁଭବ କରିବା ପରେ ସେ ପୁଣି ଗାଁକୁ ଫେରିଥିଲେ । ଶୁକ୍ରବାର ସଂଧ୍ୟାରେ ପୁନର୍ବାର ସ୍ୱାସ୍ଥ୍ୟାବସ୍ଥା ଖରାପ ହେବାରୁ ତାଙ୍କୁ ପ୍ରଥମେ କୋକସରା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଓ ପରେ ଜୁନାଗଡ଼ର ଏକ ଘରୋଇ ନର୍ସିଙ୍ଗ ହୋମକୁ ନିଆଯାଇଥିଲା । ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି। ଚନ୍ଦନଙ୍କ ମୃତ୍ୟୁ ପରେ ତାଙ୍କ ପରିବାର ଏବେ ସମ୍ପୂର୍ଣ୍ଣ ସହାୟଶୂନ୍ୟ ହୋଇପଡ଼ିଛନ୍ତି । ତାଙ୍କ ପଛରେ ସ୍ତ୍ରୀ, ଏକ ୪ ବର୍ଷର ଝିଅ ଏବଂ ମାତ୍ର ୪ ମାସର ଏକ ଶିଶୁପୁତ୍ର ରହିଛନ୍ତି । ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟି କରିଛି ।










