ଢେଙ୍କାନାଳ: ଢେଙ୍କାନାଳ ଜିଲା କାମାକ୍ଷାନଗର ରେଙ୍ଗାଳି ବାମ କେନାଲରେ ୨୦୦୩-୪ ମସିହାରୁ ଠିକା କାମ କରି ପ୍ରାୟ ୩ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ବକେୟା ଅର୍ଥ ପ୍ରାପ୍ୟ ପାଇ ନ ଥିବାରୁ ସମ୍ପୃକ୍ତ ଠିକା ସଂସ୍ଥା ଅର୍ଥ ପାଇଁ କୋଟର ଦ୍ବାରସ୍ଥ ହୋଇଥିଲେ। କୋର୍ଟର ନିର୍ଦ୍ଦେଶ ମୁତାବକ ସୋମବାର ଢେଙ୍କାନାଳ ଜିଲା କାମାକ୍ଷାନଗର ରେଙ୍ଗାଳି ବାମ ବନ୍ଧ କେନାଲ ଅଧିକ୍ଷଣ ଯନ୍ତ୍ରୀଙ୍କ କାର୍ଯ୍ୟାଳୟକୁ କୋଟ ପକ୍ଷରୁ ସିଲ୍ କରାଯାଉଛି। କଟକ କମର୍ସିଆଲ କୋର୍ଟଙ୍କ କଡ଼ା ନିର୍ଦ୍ଦେଶକ୍ରମେ ସ୍ଥାନୀୟ କୋର୍ଟ କର୍ମଚାରୀ ଅଧିକ୍ଷଣ ଯନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ସିଲ୍ କରିଛନ୍ତି ।ମିଳିଥିବା ସୂଚନା ଅନୁଯାୟୀ, ଏକ ଠିକା ସଂସ୍ଥା କାମାକ୍ଷାନଗର ଅଞ୍ଚଳରେ ୨୦୦୪ ମସିହାରେ ପ୍ରାୟ ୯ କୋଟି ଟଙ୍କାର କେନାଲ କାମ କରିବା ପାଇଁ ଚୁକ୍ତି କରିଥିଲା। ତେବେ କାମ ଚାଲିଥିବା ସମୟରେ ବିଭାଗ ପକ୍ଷରୁ ସମ୍ପୂର୍ଣ୍ଣ ସାଇଟ ଯୋଗାଇ ଦିଆଯାଇ ନ ପାରିବାରୁ ବିଭାଗ ନିଜ ଆଡୁ କାମଟିକୁ ବନ୍ଦ କରିଦେଇଥିଲା। ଏହାସହ ଠିକାଦାରଙ୍କ ପ୍ରାପ୍ୟକୁ ମଧ୍ୟ ଅଟକାଇ ଦିଆଯାଇଥିଲା।










