ପିଲାମାନଙ୍କ ମଧ୍ୟରେ ଅନ୍ତର୍ନିହିତ ଗୁଣର ପରିସ୍ଫୁଟନର ଉପଯୁକ୍ତ ମାଧ୍ୟମ ହେଉଛି ସୁରଭି : ଗଣଶିକ୍ଷା ମନ୍ତ୍ରୀ
ରାଜ୍ୟର କୋଣ ଅନୁକୋଣର ଛାତ୍ରଛାତ୍ରୀ ସୁରଭି କାର୍ଯ୍ୟକ୍ରମକୁ ଅପେକ୍ଷା କରିଥାଆନ୍ତି: ମେଏର
ନିଜ ଭିତରେ ଥିବା ପ୍ରତିଭାକୁ ଆଗେଇ ନେଇ ଭବିଷ୍ୟତ ପାଇଁ ପ୍ରସ୍ତୁତ ହୁଅ : ଆୟୁକ୍ତ ତଥା ଶାସନ ସଚିବ
ଭୁବନେଶ୍ବର: ଉଦଯାପିତ ହୋଇଯାଇଛି ରାଜ୍ୟସ୍ତରୀୟ ଶିଶୁ ମହୋତ୍ସବ ସୁରଭି ୨୦୨୫ । ଉଦଯାପନୀ ସନ୍ଧ୍ୟାରେ ମୁଖ୍ୟ ଅତିଥି ଭାବେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ମନ୍ତ୍ରୀ ଶ୍ରୀ ନିତ୍ୟାନନ୍ଦ ଗଣ୍ଡ ଛାତ୍ରଛାତ୍ରୀମାନଙ୍କୁ ଉତ୍ସାହିତ କରିବା ସହ ପୁରସ୍କାର ବିତରଣ କରିଛନ୍ତି । ସେହିପରି ଅନ୍ୟତମ ବିଶିଷ୍ଟ ଅତିଥି ଭାବେ, ଭୁବନେଶ୍ବର ମେଏର ଶ୍ରୀମତୀ ସୁଲୋଚନା ଦାସ, ବିଭାଗୀୟ ଆୟୁକ୍ତ ତଥା ଶାସନ ସଚିବ ଡ଼କ୍ଟର ଏନ୍. ତିରୁମାଲା ନାଏକ, ଓସେପା ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକ ଶ୍ରୀମତୀ ଅନନ୍ୟା ଦାସ, ରାଜ୍ୟ ଶିକ୍ଷା ଗବେଷଣ ଓ ପ୍ରଶିକ୍ଷଣ ପରିଷଦର ନିର୍ଦ୍ଦେଶକ ଶ୍ରୀ ମନୋଜ କୁମାର ପାଢ଼ୀ ପ୍ରମୁଖ ଉପସ୍ଥିତ ଥିଲେ । ୟୁନିଟ୍-୩ ସ୍ଥିତ କ୍ୟାପିଟାଲ୍ ହାଇସ୍କୁଲରେ ତିନିଦିନିବ୍ୟାପୀ ଚାଲିଥିବା ଏହି କାର୍ଯ୍ୟକ୍ରମ ସଫଳତାର ସହ ଶେଷ ହୋଇଛି । ଉତ୍ସବର ସଫଳତାକୁ ନେଇ ବିଭାଗୀୟ ମନ୍ତ୍ରୀ ଖୁସିବ୍ୟକ୍ତ କରିବା ସହ ସେ ଉଦବୋଧନ ଦେଇ କହିଛନ୍ତି, ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଉଭୟ ସହଯୋଗିତା ଓ ପ୍ରତିଯୋଗିତାମୂଳକ ମନୋଭାବ ରହିବା ଉଚିତ୍ । ପାଠ ପଢ଼ିବା ସହିତ ଖେଳକୁଦ, ଚିତ୍ରାଙ୍କନ, ସଂଗୀତ, ନୃତ୍ୟ ଆଦି ପ୍ରତି ରୁଚି ରହିଲେ ଛାତ୍ରଛାତ୍ରୀମାନଙ୍କର ସମାଗ୍ରିକ ବିକାଶ ଘଟିଥାଏ ଏବଂ ସୁରଭି ସେହି ପ୍ରତିଭାର ପରିସ୍ଫୁଟନର ଏକ ଉପଯୁକ୍ତ ମାଧ୍ୟମ ।
ମନ୍ତ୍ରୀ ଏହା ମଧ୍ୟ କହିଛନ୍ତି ଯେ ସମସ୍ତଙ୍କ ମଧ୍ୟରେ ବିଶ୍ୱ ବିଷୟରେ ଜାଣିବା ପାଇଁ ଆଗ୍ରହ ସୃଷ୍ଟିହେବା ଉଚିତ୍ । ଶିକ୍ଷା ବ୍ୟବସ୍ଥାରେ ନୂତନ ପ୍ରଯୁକ୍ତିବିଦ୍ୟାକୁ ସ୍ଥାନ ଦେଇ ଆମକୁ ସବୁଦିଗରୁ ସ୍ୱୟଂସଂପୂର୍ଣ୍ଣ ହେବାକୁ ପଡ଼ିବ ବୋଲି ଗଣଶିକ୍ଷା ମନ୍ତ୍ରୀ ସୂଚନା ଦେଇଛନ୍ତି । ଏଥିସହ ଗଣଶିକ୍ଷା ମନ୍ତ୍ରୀ ଶିକ୍ଷକମାନଙ୍କୁ ପ୍ରାଧାନ୍ୟ ଦେଇଥିଲେ ଏବଂ ବ୍ୟକ୍ତି ନିର୍ମାଣରେ ଶିକ୍ଷକମାନଙ୍କ ଭୂମିକା ଗୁରୁତ୍ବପୂର୍ଣ୍ଣ ବୋଲି ମତବ୍ୟକ୍ତ କରିଥିଲେ । ଏଥିସହ ଭୁବନେଶ୍ବର ମେଏର ଶ୍ରୀମତୀ ସୁଲୋଚନା ଦାସ ଉପସ୍ଥିତ ରହି ଛାତ୍ରଛାତ୍ରୀଙ୍କୁ ପ୍ରେରିତ କରିଥିଲେ । ସେ କହିଛନ୍ତି, ରାଜ୍ୟର କୋଣ ଅନୁକୋଣର ଛାତ୍ରଛାତ୍ରୀ ସୁରଭି କାର୍ଯ୍ୟକ୍ରମକୁ ଅପେକ୍ଷା କରିଥାଆନ୍ତି । ଏହି କାର୍ଯ୍ୟକ୍ରମ ସେମାନଙ୍କର କୁଶଳତା ଦେଖାଇବାର ମଞ୍ଚ । ଏଥିସହ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ପ୍ରୟାସକୁ ସେ ପ୍ରଶଂସା କରିଛନ୍ତି । ସେହିପରି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ଆୟୁକ୍ତ ତଥା ଶାସନ ସଚିବ ଉପସ୍ଥିତ ଛାତ୍ରଛାତ୍ରୀମାନଙ୍କୁ ଉତ୍ସାହିତ କରିଥିଲେ ଏବଂ ଆଗାମୀ ସୁରଭି ମହୋତ୍ସବରେ ଏହିପରି ଉତ୍ସାହିତ ଭାବେ ଯୋଗ ଦେବାକୁ ଆହ୍ବାନ କରିଥିଲେ । ନିଜ ଭିତରେ ଥିବା ପ୍ରତିଭାକୁ ଆଗେଇ ନେଇ, ଏହାକୁ ମାର୍ଜିତ କରି ନିଜକୁ ଭବିଷ୍ୟତ ପାଇଁ ପ୍ରସ୍ତୁତ ରହିବାକୁ ପରାମର୍ଶ ଦେଇଥିଲେ । ଉଦଯାପନୀ ସନ୍ଧ୍ୟାରେ ବିଭିନ୍ନ ପ୍ରତିଯୋଗିତାରେ କୃତି ଛାତ୍ରଛାତ୍ରୀଙ୍କୁ ପୁରସ୍କାର ବିତରଣ କରାଯାଇଥିଲା । ପ୍ରାୟ 170 ପିଲା ବିଭିନ୍ନ ବିଭାଗରେ କୃତୀତ୍ବ ହାସଲ କରି ମୁଖ୍ୟ ଅତିଥିଙ୍କଠାରୁ ପୁରସ୍କୃତ ହୋଇଛନ୍ତି । ଏଥିସହ ରାଜ୍ୟ ମୁକ୍ତ ବିଦ୍ୟାଳୟ ପକ୍ଷରୁ ଦଶମ ଶ୍ରେଣୀ ପାଇଁ ଉଦ୍ଦିଷ୍ଟ ସରଳୀକୃତ ଓ ସଂକ୍ଷିପ୍ତ ପୁସ୍ତକର ଉନ୍ମୋଚନ କରାଯାଇଛି । ପାଞ୍ଚଟି ବିଭାଗ ଯଥା- ହିନ୍ଦୀ, ଇଂରାଜୀ, ସଂସ୍କୃତ, ଜୀବ ବିଜ୍ଞାନ ଓ ଭୌତିକ ବିଜ୍ଞାନ ପୁସ୍ତକକୁ ଅତିଥିବୃନ୍ଦ ଉନ୍ମୋଚିତ କରିଛନ୍ତି ।
ଚଳିତ ସୁରଭି ମହୋତ୍ସବରେ 25 ଟି ଷ୍ଟଲ ଖୋଲାଯାଇଥିଲା । ଏହି ଷ୍ଟଲଗୁଡିକରେ ନିପୁଣ ଓଡ଼ିଶା, ମୌଳିକ ସଂଖ୍ୟାଜ୍ଞାନ, ଜାତୀୟ ଶିକ୍ଷା ନୀତି 2020, ଶିଶୁ ବାଟିକା, ପିଏମ-ପୋଷଣ, ଆଦର୍ଶ ବିଦ୍ୟାଳୟ, ଅଲମ୍ପିକ ମୂଲ୍ୟବୋଧ ଶିକ୍ଷା କାର୍ଯ୍ୟକ୍ରମ ଆଦି ସ୍ଥାନିତ ହୋଇଛି । ଏହିସବୁ ଷ୍ଟଲଗୁଡିକୁ ଅତିଥିମାନେ ବୁଲି ଏହାର ଉଚ୍ଚ ପ୍ରଶଂସା କରିଛନ୍ତି । ସୂଚନାଯୋଗ୍ୟ, ତିନିଦିନବ୍ୟାପୀ ଚାଲିଥିବା ଶିଶୁ ମହୋତ୍ସବରେ ଅନେକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା । ମହୋତ୍ସବରେ ମୁଖ୍ୟ ଆକର୍ଷଣ ସାଜିଥିଲା ଛାୟା ମିଳିତ ଜାତିସଂଘ । ଏଥିସହ ଛାତ୍ରଛାତ୍ରୀଙ୍କୁ ଅନୁପ୍ରାଣିତ କରିବା ପାଇଁ “ମିଟ୍ ଦ ପର୍ସନାଲିଟି” ର ଆୟୋଜନ କରାଯାଇଥିଲା । ଏଥିସହ ଚଳିତ ବର୍ଷ “ସୁରଭି ସମ୍ବାଦ” ସାଜିଥିଲା ଲୋକସମ୍ପର୍କର ମାଧ୍ୟମ । ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଗଣମାଧ୍ୟମ ପ୍ରତି ସଚେତନତା ବୃଦ୍ଧି କରିବା ଉଦ୍ଦେଶ୍ୟରେ ଉଭୟ ସମ୍ବାଦପତ୍ର ଓ ସ୍ବତନ୍ତ୍ର ବୁଲେଟିନ୍ ର ଆୟୋଜନ କରାଯାଇଥିଲା । ଏଥିସହ ଛାତ୍ରଛାତ୍ରୀଙ୍କୁ ସ୍ଥାନୀୟ ଐତିହାସିକ ସ୍ଥାନ ପରିଦର୍ଶନରେ ନିଆଯାଇଥିଲା । ଚଳିତ ବର୍ଷ ୨୦୨୫ ମସିହାରେ ‘ସୁରଭି’ କାର୍ଯକ୍ରମରେ – “ ନିପୁଣ ଓଡ଼ିଶା-ନିପୁଣ ଭାରତ” କାର୍ଯ୍ୟକ୍ରମ ମାଧ୍ୟମରେ ପ୍ରଥମ ରୁ ତୃତୀୟ ଶ୍ରେଣୀର ପିଲାମାନଙ୍କୁ ବିଦ୍ୟାଳୟ ଓ କ୍ଲଷ୍ଟରସ୍ତରରେ ଭାଗନେବାର ସୁଯୋଗ ଦିଆଯାଇଛି । ଚଳିତ ବର୍ଷ ରାଜ୍ୟସ୍ତରୀୟ ‘ସୁରଭି’ କାର୍ଯ୍ୟକ୍ରମରେ ପ୍ରାୟତଃ ୨୪୦୦ରୁ ଉର୍ଦ୍ଧ୍ବ ଛାତ୍ରଛାତ୍ରୀ ଓ ସହଯୋଗୀ ଶିକ୍ଷକ ଶିକ୍ଷୟିତ୍ରୀ ଏବଂ ୧୦୦୦ରୁ ଉର୍ଦ୍ଧ୍ବ ସରକାରୀ ଅଧିକାରୀ ଓ କର୍ମଚାରୀମାନେ ଯୋଗ ଦେଇଛନ୍ତି ।










