17.1 C
Bhubaneswar
Wednesday, February 4, 2026
Homeଓଡିଶାଭିତ୍ତିଭୂମି ପ୍ରକଳ୍ପ ପାଇଁ ଜଙ୍ଗଲ ସମ୍ବନ୍ଧୀୟ ସମସ୍ୟା ଓ ନିରାକରଣ ପାଇଁ ମାସିକ ସମନ୍ୱୟ ବୈଠକ

ଭିତ୍ତିଭୂମି ପ୍ରକଳ୍ପ ପାଇଁ ଜଙ୍ଗଲ ସମ୍ବନ୍ଧୀୟ ସମସ୍ୟା ଓ ନିରାକରଣ ପାଇଁ ମାସିକ ସମନ୍ୱୟ ବୈଠକ

ଭୁବନେଶ୍ୱର: ଓଡ଼ିଶା ସରକାରଙ୍କ ନିର୍ଦ୍ଦେଶ କ୍ରମେ ଜଙ୍ଗଲ ସମ୍ବନ୍ଧୀୟ ସମସ୍ୟାର ସମାଧାନ ଏବଂ ପ୍ରମୁଖ ଭିତ୍ତିଭୂମି ପ୍ରକଳ୍ପ ପାଇଁ ଫରେଷ୍ଟ ଡାଇଭର୍ଶନ ପ୍ରସ୍ତାବଗୁଡ଼ିକର ତ୍ୱରିତ ପ୍ରକ୍ରିୟାକରଣ ସୁନିଶ୍ଚିତ କରିବା ପାଇଁ ତୃତୀୟ ସମନ୍ୱୟ ବୈଠକ ଆଜି ଗୃହ ବିଭାଗର ସମ୍ମିଳନୀ କକ୍ଷରେ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ସତ୍ୟବ୍ରତ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେଅତିରିକ୍ତ ମୁଖ୍ୟ ଶାସନ ସଚିବ ପୂର୍ବବର୍ତ୍ତୀ ଅକ୍ଟୋବର ମାସରେ ହୋଇଥିବା ବୈଠକରେ ଆଲୋଚିତ ପ୍ରକଳ୍ପଗୁଡ଼ିକର ନିର୍ଦ୍ଧାରିତ ସମୟ ସୀମା ଅନୁଯାୟୀ ଅଗ୍ରଗତିର ସମୀକ୍ଷା ପୂର୍ବକ ଆଜିର ବୈଠକରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପିଏମଜି (PMG)/ପ୍ରଗତି ପୋର୍ଟାଲରେ ଥିବା ମୁଖ୍ୟ ପ୍ରକଳ୍ପଗୁଡ଼ିକ ଉପରେ ସମୀକ୍ଷା କରିଛନ୍ତି ।

ଏଗୁଡିକ ମଧ୍ୟରେ କ୍ୟାପିଟାଲ ରିଜିଅନ୍‌ ରିଙ୍ଗ ରୋଡ୍‌ ପ୍ରକଳ୍ପ, ଦକ୍ଷିଣ ପୂର୍ବ ରେଳବାଇର ବାଙ୍ଗିରିପୋଷି ଠାରୁ ଗୋରୁ-ମହିସାଣୀ ନୂତନ ରେଳ ଲାଇନ୍‌, ରିଲାୟନ୍ସ ଜିଓ ଇନ୍‌ଫୋକମ୍‌ ଲିମିଟେଡ୍‌ ଏବଂ ବିଏସଏନଏଲ ର ୪ G  ଭିତ୍ତିକ ମୋବାଇଲ ସେବା ପ୍ରକଳ୍ପ, ଜିଓଲଜିକାଲ ସର୍ଭେ ଅଫ୍‌ ଇଣ୍ଡିଆ (GSI) ର ଖନନ ଅନୁସନ୍ଧାନ ପ୍ରସ୍ତାବ, ସେଲ୍‌, ଏନଟିପିସି ର ଡୁଲାଙ୍ଗ ମାଇନ ପ୍ରକଳ୍ପ, ଓପିଟିସିଏଲ (OPTCL) ର ଟ୍ରାନ୍ସମିସନ ଲାଇନ୍‌ ପ୍ରକଳ୍ପ, କଳ୍ୟାଣୀ ଷ୍ଟିଲ୍‌ର ଇଣ୍ଟିଗ୍ରେଟେଡ୍‌ ଷ୍ଟିଲ୍‌ ପ୍ଲାଣ୍ଟ ପ୍ରସ୍ତାବ ଆଦି ଅନ୍ତର୍ଭୁକ୍ତ ।

ବୈଠକରେ ଅତିରିକ୍ତ ମୁଖ୍ୟ ଶାସନ ସଚିବ BSNL ଓ Reliance Jio ଦ୍ୱାରା OFC କେବଲ ବିଛା ଓ ଟାୱର ସ୍ଥାପନା ସମ୍ବନ୍ଧିତ କାର୍ଯ୍ୟର ଅଗ୍ରଗତି ନେଇ ସନ୍ତୋଷ ପ୍ରକାଶ କରିଥିଲେ । OPTCL ର ଟ୍ରାନ୍ସମିଶନ ଲାଇନ ଏବଂ GSI ର ଅନୁସନ୍ଧାନ ପ୍ରକଳ୍ପଗୁଡିକର କାର୍ଯ୍ୟ ମଧ୍ୟ ସନ୍ତୋଷଜନକ ଭାବେ ଅଗ୍ରଗତି କରିଛି । NHAIର ଦୁଇଟି ପ୍ରକଳ୍ପ, ଯଥା CRRR-I ଏବଂ CRRR-II ର ପୁଙ୍ଖାନୁପୁଙ୍ଖ ସମୀକ୍ଷା କରାଯାଇଥିଲା ଯେଉଁଥିରେ ଗତ ଗୋଟିଏ ମାସ ମଧ୍ୟରେ ଯଥେଷ୍ଟ ପ୍ରଗତି ହାସଲ ହୋଇ ପାରିଛି। ତଥାପି, ପ୍ରକଳ୍ପଗୁଡ଼ିକରେ ବନ୍ୟପ୍ରାଣୀ ସମ୍ବନ୍ଧୀୟ ସମସ୍ୟାଗୁଡ଼ିକୁ ଶୀଘ୍ର ସମାଧାନ କରିବାକୁ PCCF (WL) କୁ ପରାମର୍ଶ ଦିଆ ଯାଇଥିଲା।

ମହତ୍ତ୍ୱପୂର୍ଣ୍ଣ ପ୍ରକଳ୍ପଗୁଡ଼ିକର ଫରେଷ୍ଟ ଡ଼ାଇଭର୍ସନ ଅନୁମୋଦନ ପ୍ରକ୍ରିୟାକୁ ସେମାନଙ୍କ ସ୍ତରରେ ସର୍ବୋଚ୍ଚ ପ୍ରାଥମିକତା ଦେଇ ଏବଂ ତ୍ୱରାନ୍ୱିତ ପ୍ରକ୍ରିୟାରେ ସମସ୍ତ ମାମଲା ସକ୍ରିୟ ଭାବେ ସମାଧାନ କରିବାକୁ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ସାହୁ ସମସ୍ତ ଆଞ୍ଚଳିକ ମୁଖ୍ୟ ବନ ସଂରକ୍ଷକ, ଡିଭିଜନ ବନଖଣ୍ଡ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ । ବିଶେଷ କରି କ୍ୟାପିଟାଲ ରିଜିଅନ୍‌ ରିଙ୍ଗ ରୋଡ୍‌ ପ୍ରକଳ୍ପ ଅଧିନରେ ଆସୁଥିବା ଢେଙ୍କାନାଳ, ଆଠଗଡ, କଟକ ଏବଂ ଖୋର୍ଦ୍ଧା ବନଖଣ୍ଡ ରେ ଭୂମି ଅଧିଗ୍ରହଣ ସମସ୍ୟାଗୁଡିକୁ ଆସନ୍ତା ୨୦ ତାରିଖ ଭିତରେ ସମାଧାନ କରିବାକୁ ସମ୍ପୃକ୍ତ ଡିଭିଜନ ବନଖଣ୍ଡ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ।

ଅନାବଶ୍ୟକ ବିଳମ୍ବକୁ ଏଡାଇବା ପାଇଁ ସମସ୍ତ ପର୍ଯ୍ୟାୟରେ ତଦାରଖ, ସୁବିଧା ଏବଂ ଅନୁପାଳନ ନିଶ୍ଚିତ କରିବାକୁ ନୋଡାଲ୍ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆ ଯାଇଥିଲା। ପ୍ରକ୍ରିୟାକରଣ ସମୟକୁ କମ କରିବା ପାଇଁ ସମସ୍ତ ଆବଶ୍ୟକୀୟ ଡକ୍ୟୁମେଣ୍ଟ, ମାନଚିତ୍ର ଏବଂ ଏନକ୍ଲୋଜରକୁ ବିଳମ୍ବ ନକରି ସମ୍ପୃକ୍ତ ଡିଏଫଓଙ୍କୁ ଦାଖଲ କରିବାକୁ ଉପଭୋକ୍ତା ଏଜେନ୍ସିଗୁଡ଼ିକୁ ପରାମର୍ଶ ଦିଆଯାଇଥିଲା। ସମସ୍ତ ପର୍ଯ୍ୟାୟରେ ନିୟମିତ ନୀରୀକ୍ଷଣ ଓ ସହଯୋଗ କରି ଅନାବଶ୍ୟକ ବିଳମ୍ବ ରୋକିବା ପାଇଁ ନୋଡାଲ୍‌ ଅଫିସରମାନଙ୍କୁ ଶ୍ରୀ ସାହୁ ନିର୍ଦ୍ଦେଶ ଦେଇଥିଲେ । ୟୁଜର ଏଜେନସି ବା ଉପଭୋକ୍ତା ସଂସ୍ଥାମାନେ ମଧ୍ୟ ସେମାନଙ୍କର ସମସ୍ତ ଆବଶ୍ୟକ ଡକ୍ୟୁମେଣ୍ଟ, ମ୍ୟାପ ଓ ତତ୍‌ସମ୍ବନ୍ଧୀୟ ନଥି ଡିଏଫଓଙ୍କୁ ତ୍ୱରିତ ଦାଖଲ କରିବେ ଯାହା ଦ୍ୱାରା ପ୍ରକ୍ରିୟା ସମୟ କମିବ ।

 ଅତିରିକ୍ତ ମୁଖ୍ୟ ଶାସନ ସଚିବ ଆହୁରି କହିଥିଲେ ଯେ ଫରେଷ୍ଟ ଡ଼ାଇଭର୍ସନ ପ୍ରସ୍ତାବଗୁଡ଼ିକ ନିର୍ଦ୍ଧାରିତ ସମୟସୀମା ଭିତରେ ପ୍ରକ୍ରିୟା ସାରିବା ଦରକାର । ଏଣିକି ୟୁଜର୍‌ ଏଜେନ୍ସିର ଅଧିକାରୀମାନେ ସମସ୍ତ  ବିଭାଗର ସମନ୍ୱୟରେ କାମ କରି ସମୟୋପଯୋଗୀ ପ୍ରକଳ୍ପ କାର୍ଯ୍ୟାନ୍ୱୟନ ସୁନିଶ୍ଚିତ କରିବେ। ଯେହେତୁ ଓଡ଼ିଶା ସରକାରଙ୍କ ଶିଳ୍ପ ବିଭାଗ ଅନେକ ଶିଳ୍ପ ସହ ବୁଝାମଣାପତ୍ର ସ୍ୱାକ୍ଷର କରିଛନ୍ତି, ତେଣୁ ବନ ବିଭାଗ ସକ୍ରିୟ ଏବଂ ତ୍ୱରିତ ଭାବରେ ବିଭିନ୍ନ ଶିଳ୍ପ ପାଇଁ ଜମି ଚିହ୍ନଟ, ସର୍ଭେ ଏବଂ ସୀମା ନିର୍ଦ୍ଧାରଣ, ଜନଶୁଣାଣି ଇତ୍ୟାଦି ଦ୍ୱାରା ଜଙ୍ଗଲ ପରିବର୍ତ୍ତନ ପ୍ରସ୍ତାବ ଦାଖଲ କରି ସହଜ ପନ୍ଥା ନିର୍ଧାରଣ କରିବାକୁ ଶ୍ରୀ ସାହୁ ପରାମର୍ଶ ଦେଇଥିଲେ।

ଏହି ବୈଠକରେ ଅତିରିକ୍ତ ପିସିସିଏଫ୍‌ (ନୋଡାଲ୍‌) କେ. ମୁରୁଗେସନ୍‌, ବିଶେଷ କର୍ତ୍ତବ୍ୟରତ ଅଧିକାରୀ ତଥା ସ୍ୱତନ୍ତ୍ର ଶାସନ ସଚିବ ଶ୍ରୀ ଲିଙ୍ଗରାଜ ଓତା, ସିସିଏଫ୍‌ (ନୋଡାଲ୍‌) ଏ.କେ. କର, ଓପିଟିସିଏଲ ର ଅଧିକାରୀମାନେ, ରେଳବାଇର ମୁଖ୍ୟ ଯନ୍ତ୍ରୀ ଶ୍ରୀ ସଞ୍ଜୟ କୁମାର ଦାସ, NH ବିଭାଗର ମୁଖ୍ୟ ଯନ୍ତ୍ରୀ ଶ୍ରୀ ବିରେନ୍ଦ୍ର ସିଂହ, GSI ର DDG, RO, NHAI,  ଓ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ । ଆଞ୍ଚଳିକ ମୁଖ୍ୟ ବନ ସଂରକ୍ଷକ ଓ ବିଭାଗୀୟ ବନଖଣ୍ଡ ଅଧିକାରୀ, ୟୁଜର୍‌ ଏଜେନ୍ସିର ଅଧିକାରୀମାନେ ଭର୍ଚୁଆଲ୍‌ ମାଧ୍ୟମରେ ଯୋଗଦେଇଥିଲେ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking