33.7 C
Bhubaneswar
Tuesday, June 16, 2026
Homeଓଡିଶାରାଷ୍ଟ୍ର ନିର୍ମାଣରେ ସୁରେଶ ପ୍ରଭୁଙ୍କ ଅବଦାନ ପ୍ରଶଂସନୀୟ-ରାଜ୍ୟପାଳ

ରାଷ୍ଟ୍ର ନିର୍ମାଣରେ ସୁରେଶ ପ୍ରଭୁଙ୍କ ଅବଦାନ ପ୍ରଶଂସନୀୟ-ରାଜ୍ୟପାଳ

ଭୁବନେଶ୍ୱର: ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀ ସୁରେଶ ପ୍ରଭୁଙ୍କ ଦୂରଦର୍ଶୀ ନେତୃତ୍ୱ ଓ ରାଷ୍ଟ୍ର ନିର୍ମାଣରେ ତାଙ୍କର ଦୀର୍ଘସ୍ଥାୟୀ ଅବଦାନ ପ୍ରଶଂସନୀୟ ବୋଲି ମାନ୍ୟବର ରାଜ୍ୟପାଳ ଡ. ହରି ବାବୁ କମ୍ଭମପାଟି କହିଛନ୍ତି । ମଙ୍ଗଳବାର ଦିନ ଭୂବନେଶ୍ୱର ଠାରେ ଶ୍ରୀ ସୁରେଶ ପ୍ରଭୁଙ୍କ ଉପରେ ପ୍ରକାଶିତ ଏକ କଫି ଟେବୁଲ ବୁକ୍‌ର ଉନ୍ମୋଚନ ସମାରୋହରେ ମୂଖ୍ୟ ଅତିଥିଭାବେ ଯୋଗଦେଇ ରାଜ୍ୟପାଳ ଏହା କହିଛନ୍ତି । ଏହି ସମାରୋହରେ ଉଦ୍‍ବୋଧନ ଦେଇ ରାଜ୍ୟପାଳ କହିଥିଲେ ଯେ, କିଛି ନେତା ସେମାନେ ଅଳଙ୍କୃତ କରିଥିବା ପଦବୀ ପାଇଁ ସ୍ମରଣୀୟ ହୋଇ ରହନ୍ତି, ଯେତେବେଳେ ଅଳ୍ପ କିଛି ନେତା ସେମାନେ ପ୍ରତିପାଦନ କରିଥିବା ଚିନ୍ତାଧାରା ଓ ଅନୁସରଣ କରିଥିବା ମୂଲ୍ୟବୋଧ ପାଇଁ ସ୍ମରଣୀୟ ହୋଇ ରୁହନ୍ତି ଏବଂ ଶ୍ରୀ ପ୍ରଭୁ ଏହି ବିରଳ ଶ୍ରେଣୀର ନେତା ଭାବେ ପରିଗଣିତ ବୋଲି ରାଜ୍ୟପାଳ କହିଥିଲେ।

ଉକ୍ତ ପୁସ୍ତକର ସମ୍ପାଦକ ଶ୍ରୀ ସବ୍ୟସାଚୀ ଦାଶଙ୍କୁ ଅଭିନନ୍ଦନ ଜଣାଇ ରାଜ୍ୟପାଳ କହିଥିଲେ ଯେ, ଏହି ପୁସ୍ତକରେ ଶ୍ରୀ ପ୍ରଭୁଙ୍କର ଚାରି ଦଶନ୍ଧିର ସାର୍ବଜନୀନ ଜୀବନ ଯାତ୍ରା ଏବଂ ବିଭିନ୍ନ କ୍ଷେତ୍ରରେ ନୀତି ନିର୍ଦ୍ଧାରଣ ଓ ଶାସନ କ୍ଷେତ୍ରରେ ଶ୍ରୀ ପ୍ରଭୁଙ୍କର ଅବଦାନକୁ ସୁନ୍ଦର ଭାବେ ଉପସ୍ଥାପନ କରାଯାଇଛି। ଏହା କେବଳ ଫଟୋଗ୍ରାଫ ଓ ସ୍ମୃତିର ସଂଗ୍ରହ ନୁହେଁ ବୋଲି ରାଜ୍ୟପାଳ କହିବା ସହିତ ଏହା ସାର୍ବଜନୀନ ସେବା ଓ ଜାତୀୟ ବିକାଶ ପାଇଁ ସମର୍ପିତ ଏକ ଜୀବନ ପ୍ରତି ସମ୍ମାନ ସ୍ୱରୂପ। ୨୦୦୨ମସିହାରୁ ଶ୍ରୀ ପ୍ରଭୁଙ୍କ ସହ ତାଙ୍କର ଦୀର୍ଘ ସମ୍ପର୍କକୁ ସ୍ମରଣ କରି ରାଜ୍ୟପାଳ କହିଥିଲେ ଯେ, ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ନେତୃତ୍ୱାଧୀନ ଏନ୍‌ଡିଏ ସରକାର ଦ୍ୱାରା ଗଠିତ ନଦୀ ସଂଯୋଗ ଟାସ୍କ ଫୋର୍ସର ଅଧ୍ୟକ୍ଷ ଭାବେ ଶ୍ରୀ ପ୍ରଭୁ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥିଲେ। ଦେଶରେ ଜଳ ପରିଚାଳନା ସମସ୍ୟାର ସମାଧାନ ଉଦ୍ଦେଶ୍ୟରେ ଆରମ୍ଭ ହୋଇଥିବା ଉଚ୍ଚାଭିଳାଷୀ ନଦୀ ସଂଯୋଗ କାର୍ଯ୍ୟକ୍ରମ ପାଇଁ ଏହି ପଦକ୍ଷେପ ମୂଳଦୁଆ ସ୍ଥାପନ କରିଥିଲା ବୋଲି ରାଜ୍ୟପାଳ କହିଥିଲେ। ଶ୍ରୀ ପ୍ରଭୁଙ୍କର ୨୬ ବର୍ଷର ସଂସଦୀୟ ଜୀବନ ଏବଂ ଶକ୍ତି, ରେଳବାଇ, ବାଣିଜ୍ୟ ଓ ଶିଳ୍ପ ଏବଂ ବେସାମରିକ ବିମାନ ଚଳାଚଳ ଭଳି ଗୁରୁତ୍ୱପୂର୍ଣ୍ଣ ମନ୍ତ୍ରଣାଳୟଗୁଡ଼ିକର ଦାୟିତ୍ୱ ସଫଳତାର ସହ ପରିଚାଳନା କରିଥିବା କଥା ରାଜ୍ୟପାଳ ଉଲ୍ଲେଖ କରିଥିଲେ । ରେଳମନ୍ତ୍ରୀ ଭାବେ ତାଙ୍କ କାର୍ଯ୍ୟକାଳରେ ଗ୍ରହଣ କରାଯାଇଥିବା ବିଭିନ୍ନ ସଂସ୍କାରମୂଳକ ପଦକ୍ଷେପ ସ୍ୱଚ୍ଛତା ବୃଦ୍ଧି, କାର୍ଯ୍ୟଦକ୍ଷତାର ଉନ୍ନତି ଏବଂ ପ୍ରଯୁକ୍ତିର ବ୍ୟାପକ ବ୍ୟବହାର ମାଧ୍ୟମରେ ଯାତ୍ରୀ ସେବାର ମାନ ବୃଦ୍ଧିରେ ସହାୟକ ହୋଇଥିଲା ବୋଲି ରାଜ୍ୟପାଳ କହିଥିଲେ ।

ଶ୍ରୀ ପ୍ରଭୁଙ୍କର ଶକ୍ତି ନୀତି, ଆନ୍ତର୍ଜାତିକ ବାଣିଜ୍ୟ ଓ ବିଶ୍ୱ କୂଟନୀତି କ୍ଷେତ୍ରରେ ଅବଦାନକୁ ମଧ୍ୟ ରାଜ୍ୟପାଳ ଉଲ୍ଲେଖ କରିଥିଲେ । ଜି-୨୦ ଓ ଜି-୭ ପାଇଁ ଭାରତର କୂଟନୈତିକ ପ୍ରତିନିଧି ଭାବେ ଶ୍ରୀପ୍ରଭୁଙ୍କର ଭୂମିକାକୁ ରାଜ୍ୟପାଳ ବିଶେଷ ଭାବେ ପ୍ରଶଂସା କରିଥିଲେ । ଶ୍ରୀ ପ୍ରଭୁଙ୍କ ଜୀବନ ସତ୍ୟନିଷ୍ଠା, ନବସୃଜନ ଓ ଜାତୀୟ ସ୍ୱାର୍ଥ ପ୍ରତି ଅତୁଟ ପ୍ରତିବଦ୍ଧତାର ଏକ ଉତ୍କୃଷ୍ଟ ଉଦାହରଣ ବୋଲି ରାଜ୍ୟପାଳ କହିଥିଲେ। ଭାରତର ବିକାଶ ଯାତ୍ରାରେ ଉଲ୍ଲେଖନୀୟ ଅବଦାନ ରଖିଥିବା ଜଣେ ନେତାଙ୍କ ସଫଳତା ଓ ମୂଲ୍ୟବୋଧକୁ ଲିପିବଦ୍ଧ କରି ରଖିଥିବା ଏହି କଫି ଟେବୁଲ ବୁକ୍‌ଟି ଭବିଷ୍ୟତ ପିଢ଼ିକୁ ପ୍ରେରଣା ଯୋଗାଇବ ବୋଲି ରାଜ୍ୟପାଳ ଆଶାବ୍ୟକ୍ତ କରିଥିଲେ। ସମାବେଶକୁ ସମ୍ବୋଧିତ କରି ପୂର୍ବତ୍ତନ ମନ୍ତ୍ରୀ ଶ୍ରୀ ସୁରେଶ ପ୍ରଭୁ ସମାରୋହରେ ଉପସ୍ଥିତି ପାଇଁ ରାଜ୍ୟପାଳ ଡଃ କମ୍ଭମପାଟିଙ୍କୁ ଧନ୍ୟବାଦ ଜଣାଇଥିଲେ । ରାଜ୍ୟପାଳଙ୍କ ସହ ତାଙ୍କର ଦୀର୍ଘଦିନର ସମ୍ପର୍କକୁ ସ୍ମରଣ କରି ସେ ଓଡ଼ିଶାର ବିକାଶ ଯାତ୍ରାର ପ୍ରଶଂସା କରିଥିଲେ । ରାଜ୍ୟରେ ପ୍ରଚୁର ପ୍ରାକୃତିକ ସମ୍ପଦ ରହିଥିବାରୁ ବିକାଶ ପାଇଁ ଅପାର ସମ୍ଭାବନା ରହିଛି ଶ୍ରୀ ପ୍ରଭୁ କହିଥିଲେ ।ପୂର୍ବତନ ରାଜ୍ୟ ସୂଚନା କମିଶନର ଜଗଦାନନ୍ଦ ଏବଂ ଇଣ୍ଡିଆନ୍ ଚେମ୍ବର ଅଫ୍ କମର୍ସ (ଆଇସିସି)ର ଓଡ଼ିଶା ଚାପ୍ଟରର ଅଧ୍ୟକ୍ଷ ଶ୍ରୀ ରାଜୀବ ସାହୁ ମଧ୍ୟ ଏହି ଅବସରରେ ବକ୍ତବ୍ୟ ପ୍ରଦାନ କରିଥିଲେ । କାର୍ଯ୍ୟକ୍ରମରେ କଫି ଟେବୁଲ୍ ପୁସ୍ତକର ସମ୍ପାଦକ ଶ୍ରୀ ସବ୍ୟସାଚୀ ଦାଶ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking