ନୂଆଦିଲ୍ଲୀ: ମହାରାଷ୍ଟ୍ରର ପଣ୍ଡରପୁରରେ ଏକ ହୃଦୟବିଦାରକ ସଡ଼କ ଦୁର୍ଘଟଣା ଘଟିଛି । ତୀର୍ଥଯାତ୍ରୀଙ୍କୁ ନେଇ ଯାଉଥିବା ଏକ ପିକଅପ୍ ଭ୍ୟାନ୍ ଭାରସାମ୍ୟ ହରାଇ ଏକ କୂଅ ମଧ୍ୟକୁ ଖସିପଡ଼ିଛି । ଏହି ଭୟଙ୍କର ଦୁର୍ଘଟଣାରେ ଡ୍ରାଇଭରଙ୍କ ସମେତ ୧୪ ଜଣଙ୍କ ମୃତ୍ୟୁ ଘଟିଥିବା ଖବର ମିଳିଛି । ସୂଚନା ଅନୁସାରେ, ତୀର୍ଥଯାତ୍ରୀମାନେ ଧାର୍ମିକ କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ପଣ୍ଡରପୁର ଅଭିମୁଖେ ଯାଉଥିଲେ । ହେଲେ ରାସ୍ତାରେ ହଠାତ୍ ଗାଡ଼ିଟି ନିୟନ୍ତ୍ରଣ ହରାଇ ରାସ୍ତା କଡ଼ରେ ଥିବା ଏକ ଗଭୀର କୂଅକୁ ଖସି ପଡ଼ିଥିଲା । ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ, ଗାଡ଼ିରେ ଥିବା ଅଧିକାଂଶ ଯାତ୍ରୀ ଗୁରୁତର ଆହତ ହୋଇଥିଲେ । ଘଟଣା ସମ୍ପର୍କରେ ଖବର ପାଇ ସ୍ଥାନୀୟ ଲୋକ ଏବଂ ପ୍ରଶାସନ ତୁରନ୍ତ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ । ଅଗ୍ନିଶମ ବାହିନୀ ଓ ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି କୂଅ ଭିତରୁ ମୃତଦେହ ଓ ଆହତଙ୍କୁ ଉଦ୍ଧାର କରିଥିଲେ । ଗୁରୁତର ଆହତଙ୍କୁ ନିକଟସ୍ଥ ଡାକ୍ତରଖାନାକୁ ପଠାଯାଇଥିବାବେଳେ କେତେକଙ୍କ ଅବସ୍ଥା ଆଶଙ୍କାଜନକ ଥିବା ସୂଚନା ମିଳିଛି ।









