28.3 C
Bhubaneswar
Monday, June 22, 2026
Homeଓଡିଶାବାତ୍ୟା ‘ମୋନ୍ଥା’: ଆନ୍ଧ୍ରକୁ ପବନ, ଓଡ଼ିଶାକୁ ବର୍ଷା; କାକିନାଡ଼ାରେ ହେବ ଲ୍ୟାଣ୍ଡଫଲ୍‌

ବାତ୍ୟା ‘ମୋନ୍ଥା’: ଆନ୍ଧ୍ରକୁ ପବନ, ଓଡ଼ିଶାକୁ ବର୍ଷା; କାକିନାଡ଼ାରେ ହେବ ଲ୍ୟାଣ୍ଡଫଲ୍‌

ଭୁବନେଶ୍ୱର: ଆସୁଛି ଭୀଷଣ ବାତ୍ୟା ‘ମୋନ୍ଥା’। ଆନ୍ଧ୍ର ପ୍ରଦେଶରେ ଲ୍ୟାଣ୍ଡଫଲ୍ କରିବ। ୨୮ ତାରିଖ ସନ୍ଧ୍ୟାରୁ ରାତି ଭିତରେ ଏହା ଆନ୍ଧ୍ରପ୍ରଦେଶ ଉପକୂଳରେ ଲ୍ୟାଣ୍ଡଫଲ୍ କରିପାରେ। ଆନ୍ଧ୍ର ମଚ୍ଛଲିପଟ୍ଟନମ୍‌-କଳିଙ୍ଗପଟନମ୍ ଭିତରେ ସ୍ଥଳଭାଗ ଛୁଇଁପାରେ। ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଜାରି ହୋଇଥିବା ତଥ୍ୟ ଅନୁସାରେ ଆନ୍ଧ୍ରର କାକିନାଡ଼ା ନିକଟରେ ସ୍ଥଳଭାଗ ଛୁଇଁପାରେ ‘ମୋନ୍ଥା’। ତେବେ ଲ୍ୟାଣ୍ଡଫଲ୍ ବେଳେ ପବନର ବେଗ ଘଣ୍ଟାପ୍ରତି ୯୦ରୁ ୧୦୦ କିମି ରହିପାରେ ବୋଲି ଶନିବାର ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ରର ନିର୍ଦ୍ଦେଶକ ମନୋରମା ମହାନ୍ତି ସୂଚନା ଦେଇଛନ୍ତି। ଅନ୍ୟପକ୍ଷରେ ବର୍ତ୍ତମାନ ପାଇଁ ଓଡ଼ିଶାକୁ ସେତେ ବଡ଼ ବିପଦ ନାହିଁ ସତ କିନ୍ତୁ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ନେଇ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି।

ପାଣିପାଗ ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ଦକ୍ଷିଣ ପୂର୍ବ ବଙ୍ଗୋପସାଗର ଉପରେ ସୃଷ୍ଟି ହୋଇଥିବା ଲଘୁଚାପ କ୍ଷେତ୍ର ଗତକାଲି ସନ୍ଧ୍ୟା ସାଢ଼େ ୫ଟା ବେଳେ ସେହି ଅଞ୍ଚଳରେ ଏକ ସ୍ପଷ୍ଟ ଚିହ୍ନିତ ଲଘୁଚାପ କ୍ଷେତ୍ରରେ ପରିଣତ ହୋଇଛି। ଏହା ଅବପାତରେ ଘନୀଭୂତ ହୋଇଛି। ଏହା ଆନ୍ଧ୍ରପ୍ରଦେଶର ବିଶାଖାପାଟନମଠାରୁ ୯୯୦ କିଲୋମିଟର ଦକ୍ଷିଣ-ପୂର୍ବରେ, ତାମିଲନାଡୁର ଚେନ୍ନାଇଠାରୁ ୯୯୦ କିମି ପୂର୍ବ-ଦକ୍ଷିଣ-ପୂର୍ବରେ, ଆନ୍ଧ୍ରପ୍ରଦେଶର କାକିନାଡ଼ାଠାରୁ ୧୦୦୦ କିମି ଦକ୍ଷିଣ-ପୂର୍ବ ଓ ଓଡ଼ିଶାର ଗୋପାଳପୁରଠାରୁ ୧୦୪୦ କିମି ଦକ୍ଷିଣ ଓ ଦକ୍ଷିଣ-ପୂର୍ବ ଦିଗରେ ଅବସ୍ଥିତ ରହିଛି। ଏହା ପଶ୍ଚିମ-ଉତ୍ତରପଶ୍ଚିମ ଦିଗକୁ ଗତି କରି ରବିବାର ସୁଦ୍ଧା ଗଭୀର ଅବପାତରେ ପରିଣତ ହେବାର ସମ୍ଭାବନା ରହିଛି। ୨୭ ତାରିଖ ଅର୍ଥାତ ସୋମବାର ସକାଳ ସୁଦ୍ଧା ଏହା ଦକ୍ଷିଣ-ପଶ୍ଚିମ ଏବଂ ସଂଲଗ୍ନ ପଶ୍ଚିମକେନ୍ଦ୍ରୀୟ ବଙ୍ଗୋପସାଗର ଉପରେ ବାତ୍ୟାରେ ପରିଣତ ହେବାର ସମ୍ଭାବନା ରହିଛି। ଏହା ପରବର୍ତ୍ତୀ ୪୮ ଘଣ୍ଟାରେ ଉତ୍ତର-ପଶ୍ଚିମ ଦିଗକୁ ଆନ୍ଧ୍ରପ୍ରଦେଶ ଉପକୂଳ ଆଡ଼କୁ ଗତି କରିବାର ସମ୍ଭାବନା ରହିଛି। ୨୮ ତାରିଖରେ ବାତ୍ୟା ‘ମୋନ୍ଥା’ ଭୀଷଣ ରୂପ ନେଇପାରେ ଓ ସନ୍ଧ୍ୟାରୁ ରାତି ମଧ୍ୟରେ ଲ୍ୟାଣ୍ଡଫଲ୍ କରିପାରେ।

ଆଞ୍ଚଳିକ ପାଣିପାଗ କେନ୍ଦ୍ରର ନିର୍ଦ୍ଦେଶକଙ୍କ ସୂଚନା ଅନୁଯାୟୀ ସମ୍ଭାବ୍ୟ ବାତ୍ୟା ପ୍ରଭାବରେ ଓଡ଼ିଶାର ଅଧିକାଂଶ ସ୍ଥାନରେ ବର୍ଷା ହେବ। ତା’ସହିତ କିଛି ସ୍ଥାନରେ ପ୍ରବଳରୁ ଅତିପ୍ରବଳ ଓ ଅତ୍ୟନ୍ତ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ୨୭ ତାରିଖରେ ରାଜ୍ୟରେ ଅନେକ ସ୍ଥାନରେ ହାଲ୍‌କାରୁ ମଧ୍ୟମ ଧରଣର ବର୍ଷା ହେବା। ତା’ ସହିତ କୋରାପୁଟ, ମାଲକାନଗିରି, ନବରଙ୍ଗପୁର, କଳାହାଣ୍ଡି, କନ୍ଧମାଳ, ଗଞ୍ଜାମ, ଗଜପତି ଓ ରାୟଗଡ଼ା ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଏହି ଜିଲ୍ଲାଗୁଡ଼ିକର ପାଖାପାଖି ଜିଲ୍ଲାଗୁଡ଼ିକରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ୨୮ ତାରିଖରେ ଗଞ୍ଜାମ, ଗଜପତି, ରାୟଗଡ଼ା, ମାଲକାନଗିରି ଓ କୋପରାପୁଟ ଜିଲ୍ଲାରେ ଗୋଟିଏ ବା ଦୁଇଟି ସ୍ଥାନରେ ଅତ୍ୟନ୍ତ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଏହି ଜିଲ୍ଲାଗୁଡ଼ିକୁ ରେଡ୍ ୱାର୍ଣ୍ଣିଂ ଜାରି କରାଯାଇଛି। ସେହିପରି ନବରଙ୍ଗପୁର, କଳାହାଣ୍ଡି, କନ୍ଧମାଳ, ନୟାଗଡ଼, ଖୋର୍ଦ୍ଧା ଓ ପୁରୀ ଜିଲ୍ଲାରେ ଗୋଟିଏ ବା ଦୁଇଟି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଥିବାରୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି। ଏହି ଜିଲ୍ଲାଗୁଡ଼ିକର ପାଖାପାଖି ଜିଲ୍ଲାଗୁଡ଼ିକ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ୨୯ ତାରିଖରେ ମଧ୍ୟ କିଛି ସ୍ଥାନରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବା ସହିତ ଅତ୍ୟନ୍ତ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ମାଲକାନଗିରି, କୋରାପୁଟ, ରାୟଗଡ଼ା, ନବରଙ୍ଗପୁର ଓ କଳାହାଣ୍ଡି ଜିଲ୍ଲାରେ ଅତ୍ୟନ୍ତ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ବଲାଙ୍ଗୀର, ନୂଆପଡ଼ା, ବୌଦ୍ଧ, କନ୍ଧମାଳ ଓ ଗଞ୍ଜାମ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଏହି ଜିଲ୍ଲାଗୁଡ଼ିକର ପାଖାପାଖି ଜିଲ୍ଲାରେ ମଧ୍ୟ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ୩୦ ତାରିଖରେ ବର୍ଷା କମିବ। ତେବେ ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ଦେବଗଡ଼, ମୟୂରଭଞ୍ଜ ଓ କେନ୍ଦୁଝର ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହୋଇପାରେ।

୨୮ ଓ ୨୯ ତାରିଖରେ ରାଜ୍ୟରେ ଅତିଭୀଷଣ ବର୍ଷା ସହିତ ପବନ ହୋଇପାରେ। ଗଜପତି, ଗଞ୍ଜାମ, ରାୟଗଡ଼ା, କୋରାପୁଟ ଓ ମାଲକାନଗିରି ଜିଲ୍ଲାରେ ପବନର ବେଗ ଘଣ୍ଟାପ୍ରତି ୬୦ରୁ ୭୦ କିମି ରହିବାର ସମ୍ଭାବନା ରହିଛି। ତା’ ସହିତ ଘଣ୍ଟାପ୍ରତି ୮୦ କିମି ବେଗରେ ଝଟ୍‌କା ପବନ ହେବାର ସମ୍ଭାବନା ରହିଛି। ସେହିପରି ପୁରୀ, ଖୋର୍ଦ୍ଧା, ନୟାଗଡ଼, କଳାହାଣ୍ଡି, କନ୍ଧମାଳ ଓ ନବରଙ୍ଗପୁର ଜିଲ୍ଲାରେ ଘଣ୍ଟାପ୍ରତି ୫୦ରୁ ୭୦ କିମି ବେଗରେ ପବନ ହେବାର ସମ୍ଭାବନା ଥିବା ବେଳେ ଘଣ୍ଟାପ୍ରତି ୭୦ କିମି ବେଗରେ ଝଟକା ପବନ ବହିବାର ସମ୍ଭାବନା ରହିଛି ବୋଲି ମନୋରମା ମହାନ୍ତି କହିଛନ୍ତି। ସମ୍ଭାବ୍ୟ ବାତ୍ୟା ପ୍ରଭାବରେ ସମୁଦ୍ର ଅଶାନ୍ତ ରହିବ। ତେଣୁ ସମୁଦ୍ରକୁ ନଯିବାକୁ ମତ୍ସ୍ୟଜୀବୀମାନଙ୍କୁ ପରାମର୍ଶ ଦିଆଯାଇଛି।

ତତ୍ପର ସରକାର, ପ୍ରସ୍ତୁତି ଜୋର୍‌ଦାର୍‌
ବିପର୍ଯ୍ୟୟ ପ୍ରକୋପ ଯାହା ବି ହେଉ ସରକାର ପ୍ରସ୍ତୁତ। ଅତୀତର ପ୍ରସ୍ତୁତିକୁ ଆଖି ଆଗରେ ରଖି ବାତ୍ୟା ପାଇଁ ନିଖୁଣ ପ୍ରସ୍ତୁତି କରାଯାଇଛି। ଲୋକେ ବିଚଳିତ ହୁଅନ୍ତୁ ନାହିଁ। ଜୀବନ ରକ୍ଷା ମୂଳ ଲକ୍ଷ୍ୟ। ସରକାର ଲୋକଙ୍କ ରକ୍ଷା କବଚ ହେବେ। ସମ୍ଭାବ୍ୟ ବାତ୍ୟା ମୁକାବିଲା ନେଇ ଶନିବାର ଅନୁଷ୍ଠିତ ସମୀକ୍ଷା ବୈଠକ ପରେ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ଏହା କହିଛନ୍ତି। ସୁରେଶ ପୂଜାରୀଙ୍କ ସହ ସ୍ୱତନ୍ତ୍ର ରିଲିଫ୍ କମିଶନର ଦେଓରଞ୍ଜନ କୁମାର ସିଂ ମଧ୍ୟ ସମ୍ଭାବ୍ୟ ବାତ୍ୟାରେ ପ୍ରଭାବିତ ହେବାକୁ ଥିବା ଜିଲ୍ଲାଗୁଡ଼ିକର ଜିଲ୍ଲାପାଳମାନଙ୍କ ସହ ବାତ୍ୟାପୂର୍ବ ପ୍ରସ୍ତୁତି ସମ୍ପର୍କରେ ବିଶଦ ଭାବେ ଆଲୋଚନା କରିଥିଲେ। ବୈଠକ ପରେ ରାଜୀବ ଭବନଠାରେ ଉପସ୍ଥିତ ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ସୂଚନା ଦେଇ ମନ୍ତ୍ରୀ ଶ୍ରୀ ପୂଜାରୀ କହିଥିଲେ ଯେ ସାମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ପୂର୍ବ ପ୍ରସ୍ତୁତି ଆଗରୁ କରିସାରିଛୁ। ଆସନ୍ତା ୨୮,୨୯ ଓ ୩୦ରେ ବାତ୍ୟା ଓଡ଼ିଶାକୁ ପ୍ରଭାବିତ କରିବ। ବିଶେଷ କରି ୨୮ ଓ ୨୯ ତାରିଖରେ ଓଡ଼ିଶାରେ ଅଧିକ ଅନୁଭୂତ ହେବ। ସ୍ୱାଭାବିକ ଭାବେ ଓଡ଼ିଶାର ଦକ୍ଷିଣାଞ୍ଚଳ ଜିଲ୍ଲା ଗଞ୍ଜାମ, ଗଜପତି, କୋରାପୁଟ, ରାୟଗଡା, ମାଲକାନଗିରି ଜିଲ୍ଲାରେ ପ୍ରଭାବ ରହିବ। ଏହା ସଙ୍ଗେ ସଙ୍ଗେ ଉପକୂଳର ପୁରୀ, ଖୋର୍ଦ୍ଧା, ଜଗତସିଂହପୁର, ଭଦ୍ରକ, କେନ୍ଦ୍ରାପଡ଼ା ଜିଲ୍ଲା ମଧ୍ୟ ପ୍ରଭାବିତ ହେବ। ଲଘୁଚାପ ଜନିତ ବାତ୍ୟା ଦିଗ ପରିବର୍ତ୍ତନ କରିବା ସହ ତୀବ୍ରତା କମ୍ ଏବଂ ବେଶୀ ହେଉଛି। ପୂର୍ବ ଅନୁଭବ ଓ ପାଣିପାଗ କେନ୍ଦ୍ରର ପୂର୍ବାନୁମାନ ଅନୁଯାୟୀ ଆମେ ପ୍ରସ୍ତୁତ ହୋଇଛୁ। ବାତ୍ୟାର ଦିଗ ପରିବର୍ତ୍ତନକୁ ଦୃଷ୍ଟିରେ ରଖି ୩୦ ଜିଲ୍ଲା ପାଇଁ ଆମେ ପ୍ରସ୍ତୁତ ଅଛୁ। ସାମ୍ଭାବ୍ୟ ପ୍ରଭାବିତ ହେବାକୁ ଥିବା ୧୫ ଜିଲ୍ଲାର ଜିଲ୍ଲାପାଳଙ୍କ ସହ ଆଲୋଚନା କରିଛୁ । ସେମାନଙ୍କ ପ୍ରସ୍ତୁତି ବାବଦରେ ଅବଗତ ହୋଇଛୁ। ଅଧିକ ପ୍ରସ୍ତୁତି ପାଇଁ ପରାମର୍ଶ ମଧ୍ୟ ଦେଇଛୁ। ବାତ୍ୟା ସହ ସମ୍ପୃକ୍ତ ଜଳ ସମ୍ପଦ, ପଞ୍ଚାୟତିରାଜ, ସ୍ୱାସ୍ଥ୍ୟ, କୃଷି, ଶକ୍ତି, ଯୋଗାଣ ଓ ସମବାୟ ବିଭାଗ ଆଗୁଆ ପ୍ରସ୍ତୁତି କରିବା ପାଇଁ କୁହାଯାଇଛି। ଯୋଜନା ଆଗୁଆ ଓ ଚୂଡାନ୍ତ ପ୍ରସ୍ତୁତି କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ସ୍ୱତନ୍ତ୍ର ରିଲିଫ କମିଶନର, ଅତିରିକ୍ତ ରିଲିଫ କମିଶନର, ବିପର୍ଯ୍ୟୟ ପରିଚାଳନା ବିଭାଗର ଅଧିକାରୀ, ଅଗ୍ନିଶମ, ଓଡ୍ରାଫ, ଏନଡିଆରଫ ଓ ଜିଲ୍ଲା ପ୍ରଶାସନ ମଧ୍ୟରେ ସମନ୍ୱୟ ରକ୍ଷା କରିବା ପାଇଁ ବ୍ୟବସ୍ଥା ହୋଇଛି ବୋଲି ଶ୍ରୀ ପୂଜାରୀ କହିଛନ୍ତି।

ଏହାଛଡ଼ା ସେ କହିଛନ୍ତି ଯେ ସମୁଦ୍ର ଭିତରେ ଥିବା ମତ୍ସ୍ୟଜୀବୀଙ୍କୁ ଫେରି ଆସିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ତଳିଆ ଅଞ୍ଚଳରୁ ଲୋକଙ୍କୁ ସ୍ଥାନାନ୍ତର, ବାତ୍ୟା ଆଶ୍ରୟ ସ୍ଥଳୀ, ରିଲିଫ ସେଣ୍ଟରରେ ମାନବୀୟ ବ୍ୟବସ୍ଥା କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ପଲିଥିନ, ଔଷଧ, ରାସନ ମହଜୁଦ ରଖିବା ପାଇଁ ନିର୍ଦ୍ଦେଶ ରହିଛି। ଡାକ୍ତର ଓ ପାରାମେଡିକାଲ ଷ୍ଟାଫଙ୍କୁ ନିୟୋଜିତ ହୋଇଛନ୍ତି। ଯେତେଦିନ ପାଣି ରହିବ ଲୋକଙ୍କୁ ରନ୍ଧା ଖାଦ୍ୟ ଦିଆଯିବ। ଲୋକଙ୍କ ରକ୍ଷା କବଚ ହେବେ ସରକାର। ଜୀବନ ରକ୍ଷା ସହ ପଶୁପକ୍ଷୀଙ୍କ ସୁରକ୍ଷା, ଧନ ସମ୍ପତ୍ତି ସୁରକ୍ଷା ପ୍ରଦାନ କରିବା ପ୍ରାଥମିକତା ରହିବ। ରାଜ୍ୟରେ ଭୂସ୍ଖଳନ ଆଉ ଏକ ସମସ୍ୟା ହୋଇ ଉଭା ହୋଇଛି । ସାମ୍ଭାବ୍ୟ ଭୂସ୍ଖଳନ ସ୍ଥାନରେ ପ୍ରତିଷେଧକ ବ୍ୟବସ୍ଥା କରିବା ପାଇଁ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦେଇଛୁ। ରାସ୍ତା ଉପରେ ପାଣି ଗଲେ ଉଭୟ ପଟରୁ ରାସ୍ତା ବନ୍ଦ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ସେହି ସ୍ଥାନରେ ଯାତ୍ରୀଙ୍କ ଖାଦ୍ୟର ବ୍ୟବସ୍ଥା କରାଯିବ। ପୂର୍ବରୁ କ୍ଷୟକ୍ଷତିର ଆକଳନ କରାଯାଇ ଅର୍ଥ ପ୍ରଦାନ କରାଯାଇଛି। ଆଗକୁ ମଧ୍ୟ କରାଯିବ। ବିଭାଗ ଏଥିପାଇଁ ପ୍ରସ୍ତୁତ ଅଛନ୍ତି ବୋଲି ମନ୍ତ୍ରୀ ଶ୍ରୀ ପୂଜାରୀ କହିଛନ୍ତି। ଏହି ଅବସରରେ ସ୍ୱତନ୍ତ୍ର ରିଲିଫ୍ କମିଶନର ଦେଓରଞ୍ଜନ କୁମାର ସିଂ ଜନସାଧାରଣ ସରକାରଙ୍କ ଦ୍ୱାରା ବାତ୍ୟା ସମ୍ପର୍କିତ ସୂଚନାକୁ ଗୁରୁତ୍ୱ ଦେବାକୁ ପରାମର୍ଶ ଦିଆଯାଇଛି। ଅଯଥାରେ ଆତଙ୍କିତ ନହେବାକୁ ଅନୁରୋଧ କରିବା ସହ ସରକାର ନିରନ୍ତର ବାତ୍ୟା ସମ୍ପର୍କିତ ସୂଚନା ଜାରି କରିବା ପାଇଁ ସମସ୍ତ ପ୍ରକାର ବ୍ୟବସ୍ଥା କରିଥିବା ସେ ପ୍ରକାଶ କରିଛନ୍ତି।

୫ ଜିଲ୍ଲାରେ ଛୁଟି ବାତିଲ୍‌
ସମ୍ଭାବ୍ୟ ବାତ୍ୟା ପାଇଁ ବିଭିନ୍ନ ଜିଲ୍ଲାରେ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ କରାଯାଇଛି। ବାଲେଶ୍ୱର ଜିଲ୍ଲାପାଳ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ କରିଛନ୍ତି। ପରିସ୍ଥିତି ନିୟନ୍ତ୍ରଣାଧୀନ ନହେବା ପର୍ଯ୍ୟନ୍ତ ଛୁଟି ବାତିଲ କରାଯାଇଛି। ସେହିପରି ଗଞ୍ଜାମରେ ଆଜି ଅର୍ଥାତ ଶନିବାର ଠାରୁ ଆସନ୍ତା ୩୦ ତାରିଖ ପର୍ଯ୍ୟନ୍ତ ଛୁଟି ବାତିଲ କରାଯାଇଛି। ଏପରିକି ମୁଖ୍ୟାଳୟ ନଛାଡ଼ିବାକୁ କୁହାଯାଇଛି। କେନ୍ଦ୍ରାପଡ଼ା ଜିଲ୍ଲାରେ ୨୬ରୁ ୩୦ ତାରିଖ ପର୍ଯ୍ୟନ୍ତ ମୁଖ୍ୟାଳୟ ନଛାଡ଼ିବାକୁ ନିର୍ଦ୍ଦେଶ ଦିଆଯାଇଛି। ମାଲକାନଗିରିରେ ଜିଲ୍ଲପାଳ ୨୭ରୁ ୩୦ ତାରିଖ ପର୍ଯ୍ୟନ୍ତ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ କରିଛନ୍ତି। ଅନ୍ୟପକ୍ଷରେ କୋରାପୁଟରେ ମଧ୍ୟ ଜିଲ୍ଲାପାଳ ୨୭ରୁ ୩୦ ତାରିଖ ପର୍ଯ୍ୟନ୍ତ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ କରିଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking