27.1 C
Bhubaneswar
Wednesday, February 4, 2026
Homeଓଡିଶାକିଶନ ପଟ୍ଟନାୟକ ଜଣେ ନୀତିନିଷ୍ଠ ଓ ସାଲିସବିହୀନ ରାଜନେତା ଭାବେ ଭାରତ ବର୍ଷରେ ପରିଚିତ :...

କିଶନ ପଟ୍ଟନାୟକ ଜଣେ ନୀତିନିଷ୍ଠ ଓ ସାଲିସବିହୀନ ରାଜନେତା ଭାବେ ଭାରତ ବର୍ଷରେ ପରିଚିତ : ଜେଏନୟୁର ପୂର୍ବତନ ସଭାପତି 

ଭୁବନେଶ୍ଵର: ବିଶିଷ୍ଟ ସମାଜବାଦୀ ନେତା, ବିପ୍ଲବୀ ଚିନ୍ତକ ଏବଂ ପ୍ରାକ୍ତନ ସାଂସଦ କିଶନ ପଟ୍ଟନାୟକଙ୍କ ଶ୍ରାଦ୍ଧବାର୍ଷିକୀ ଅବସରରେ ଲୋହିଆ ଏକାଡେମୀ ପକ୍ଷରୁ ସ୍ମାରକୀ ବକ୍ତୃତାର ଆୟୋଜନ କରାଯାଇଥିଲା। “ଭାରତରେ ଗଣତନ୍ତ୍ର ବିଲୟ ପଥରେ ଅଛି କି?” ବିଷୟରେ ଜେଏନୟୁର ପୂର୍ବତନ ସଭାପତି ତଥା ବିଶିଷ୍ଟ ସାମ୍ବାଦିକ ନଳିନୀ ରଞ୍ଜନ ମହାନ୍ତି ସ୍ମାରକୀ ବକ୍ତୃତା ପ୍ରଦାନ କରିଥିଲେ। ସେ କହିଥିଲେ ଯେ, କିଶନ ପଟ୍ଟନାୟକ ଭାରତ ବର୍ଷର ଜଣେ ନୀତିନିଷ୍ଠ ଓ ସାଲିସବିହୀନ ରାଜନେତା ଭାବେ ପରିଚିତ ଥିଲେ । ଭାରତ ବର୍ଷରେ ସମାଜବାଦୀ ଆନ୍ଦୋଳନକୁ କ୍ରୀୟାଶୀଳ କରିବା ଦିଗରେ ତାଙ୍କର ବିଚାର ଅତ୍ୟନ୍ତ ମୂଲ୍ୟବାନ । ଆଜି ସେ ବିଚାରର ଅବକ୍ଷୟ ହେବାକୁ ଯାଉଛି । ଭାରତ ବର୍ଷର ଗଣତନ୍ତ୍ର ବ୍ୟବସ୍ଥା ଦିନକୁ ଦିନ ଦୁର୍ବଳ ହେବାକୁ ଲାଗିଛି ।

ଶ୍ରୀ ମହାନ୍ତି ଆହୁରି କହିଥିଲେ, ଭାରତରେ ଗଣତନ୍ତ୍ରର ଅସ୍ତିତ୍ଵ ଆଜି ପର୍ଯ୍ୟନ୍ତ ବଞ୍ଚିରହିବାର ଶ୍ରେୟ ପ୍ରଥମ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁଙ୍କୁ ଯିବ। ନେହେରୁଙ୍କ ଶାସନକାଳରେ ଗଣତନ୍ତ୍ରର ମୂଳଦୁଆ ଏହି ଦେଶରେ ମଜବୁତ ହୋଇଥିଲା ଏବଂ ସେହି ସକାରାତ୍ମକ ପରମ୍ପରାରୁ ଆଜି ଯେତେବେଳେ ପଡ଼ୋଶୀ ଦେଶମାନଙ୍କରେ ଗଣତନ୍ତ୍ର ଅସ୍ଥିର, ସେତେବେଳେ ଭାରତରେ ବଞ୍ଚିରହିଛି। କିନ୍ତୁ ବର୍ତ୍ତମାନର ଅଘୋଷିତ ଜରୁରୀକାଳୀନ ପରିସ୍ଥିତିରେ ନିର୍ବାଚନ କମିଶନ, ଗଣମାଧ୍ୟମ ଓ ନ୍ୟାୟାଳୟ ପର୍ଯ୍ୟନ୍ତ ସାମ୍ପ୍ରତିକ ଦିଲ୍ଲୀରେ ବସିଥିବା ସରକାର ଦ୍ଵାରା ସମ୍ପୂର୍ଣ୍ଣ ଭାବେ କବଳିତ। ନିର୍ବାଚନରେ “ଭୋଟଚୋରୀ” ଗଣତନ୍ତ୍ର ପାଇଁ ବଡ଼ ଅଭିଶାପ ହୋଇଛି। ସାହିତ୍ୟ, ସଂସ୍କୃତି, ଶିକ୍ଷା ମାଧ୍ୟମରେ ତଥାକଥିତ ବୌଦ୍ଧିକ ବ୍ୟକ୍ତିତ୍ଵମାନଙ୍କର ନିରବତା ଦୁଃଖଦ। ତଥାପି ବିକଳ୍ପ ମାଧ୍ୟମ, ବିଚାରଶୀଳ ବ୍ୟକ୍ତିବିଶେଷ ଓ ଛୋଟ ପତ୍ରିକାମାନେ ଆଶାର ଭରଷା ଦେଇଛନ୍ତି। ସେ କିଶନ ପଟ୍ଟନାୟକଙ୍କୁ ଉଲ୍ଲେଖ କରି କହିଥିଲେ ଯେ, ସେ ଜଣେ ଦୃଢ଼, ସ୍ଵାଧୀନଚେତା ଓ ସ୍ପଷ୍ଟବାଦୀ ସମାଜବାଦୀ ନେତା ଥିଲେ, ଯିଏ କେବେ ନିଜର ମତ ରଖିବାରୁ ପଛାଇନାହାନ୍ତି। ଆଜିର ସମୟରେ ସେପରି ନେତୃତ୍ଵର ଅତ୍ୟନ୍ତ ପ୍ରୟୋଜନ। ଆଲୋଚନାରେ ଜନ ଆନ୍ଦୋଳନ ନେତା ପ୍ରଫୁଲ୍ଲ ସାମନ୍ତରା 1975 ମସିହାର ଜରୁରୀକାଳୀନ ପରିସ୍ଥିତି ସହ ଆଜିର ପରିସ୍ଥିତିର ଭୟାବହ ସମୟକୁ ଉଦ୍ଧୃତ କରିଥିଲେ।

ଏହି କାର୍ଯ୍ୟକ୍ରମରେ ପ୍ରଫେସର ବୀରେନ୍ଦ୍ର ନାୟକ ଗଣତନ୍ତ୍ରର ସଙ୍କଟ ଏବଂ ଶାସନ ବ୍ୟବସ୍ଥାର ବିପର୍ଯ୍ୟୟକୁ ଆଲୋଚନା କରିଥିଲେ। କାର୍ଯ୍ୟକ୍ରମରେ ଲୋହିଆ ଏକାଡେମୀର ସମ୍ପାଦକ ଦେବପ୍ରସାଦ ରାୟ ପ୍ରାରମ୍ଭିକ ସୂଚନା ଦେଇଥିଲେ। ସମଦୃଷ୍ଟିର ସମ୍ପାଦକ ସୁଧୀର ପଟ୍ଟନାୟକ ଅଧ୍ୟକ୍ଷତା କରିଥିଲେ । ଏହି କାର୍ଯ୍ୟକ୍ରମରେ ଓଡ଼ିଶାର ବହୁ ବିଶିଷ୍ଟ ବ୍ୟକ୍ତିଙ୍କ ମଧ୍ୟରେ ଭାଷାବିତ୍‌‍ ଡ଼. ଦେବୀ ପ୍ରସନ୍ନ ପଟ୍ଟନାୟକ, ପୂର୍ବତନ ବିଧାୟକ ରାଧାକାନ୍ତ ସେଠୀ, ପ୍ରଫେସର ନିଳମଣି ସାହୁ, ନରେନ୍ଦ୍ର ମହାନ୍ତି, ବରିଷ୍ଠ ସାମ୍ୱାଦିକ ତଥା ନବୀନର ସମ୍ପାଦକ ରବି ରଥ, ଶିକ୍ଷକ ନେତା ଅଶୋକ ଦଳେଇ ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ରାଷ୍ଟ୍ରୀୟ ଯୁବା ସଂଗଠନର ରାଜ୍ୟ ସଂଯୋଜକ ମାନସ ପଟ୍ଟନାୟକ ଧନ୍ୟବାଦ ପ୍ରଦାନ କରିଥିଲେ। ସଭା ଶେଷରେ ଉପସ୍ଥିତ ବ୍ୟକ୍ତିବିଶେଷମାନେ କିଶନ ପଟ୍ଟନାୟକଙ୍କ ଫୋଟୋଚିତ୍ରକୁ ପୁଷ୍ପାଞ୍ଜଳି ଅର୍ପଣ କରି ଶ୍ରଦ୍ଧାଞ୍ଜଳି ଦେଇଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking