-ସାକାର ହେବ ୨୦୩୬ ସୁଦ୍ଧା ସମୃଦ୍ଧ ଓଡ଼ିଶା ଗଠନ ସ୍ୱପ୍ନ
– ଯୋଜନାବଦ୍ଧ ସହରୀକରଣ, ସନ୍ତୁଳିତ ଆଞ୍ଚଳିକ ବିକାଶକୁ ପ୍ରୋତ୍ସାହନ
ଭୁବନେଶ୍ୱର: ସହରାଞ୍ଚଳରେ ସମନ୍ୱିତ ବିକାଶ ନିମନ୍ତେ ରାଜ୍ୟ ସରକାର ନୂଆ ଯାଜନା “ମୁଖ୍ୟମନ୍ତ୍ରୀ ସହରୀ ବିକାଶ ଯୋଜନା’ ବା ଏମ୍ଏସ୍ବିୱାଇର ପ୍ରଣୟନ ପରେ ଆଉ ଏକ ଯୋଜନା ‘ସମୃଦ୍ଧ ସହର ଯୋଜନା’ କାର୍ଯ୍ୟକାରୀ କରିବାକୁ ଯାଉଛନ୍ତି। ଯୋଜନାରେ ସର୍ବମୋଟ୍ ୪୮୭୯.୩୦ କୋଟି ଟଙ୍କା ବ୍ୟୟହେବ। ଏ ସମ୍ପର୍କିତ ପ୍ରସ୍ତାବରେ କ୍ୟାବିନେଟ୍ ମୋହର ବାଜିଛି। ଫଳରେ ୨୦୩୬ ସୁଦ୍ଧା ସମୃଦ୍ଧ ଓଡ଼ିଶା ଗଠନ ସ୍ୱପ୍ନ ସାକାର ହେବ।
ବୁଧବାର ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା ରାଜ୍ୟ କ୍ୟାବିନେଟ୍ ବୈଠକ। ବୈଠକ ପରେ ମୁଖ୍ୟ ସଚିବ ମନୋଜ ଆହୁଜା କହିଛନ୍ତି , ରାଜ୍ୟ କ୍ୟାବିନେଟ୍ର ୨୨ତମ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ରାଜ୍ୟ ସରକାରଙ୍କ ୧୧ଟି ବିଭାଗର ୧୩ଟି ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବରେ ମୋହର ବାଜିଛି। ‘ସମୃଦ୍ଧ ସହର’ ଯୋଜନାକୁ ରାଜ୍ୟ କ୍ୟାବିନେଟରେ ଅନୁମୋଦନ ମିଳିଛି। ୪,୮୭୯.୩୦ କୋଟି ଟଙ୍କା ବ୍ୟୟରେ ଓଡ଼ିଶାର ସହରଗୁଡ଼ିକୁ ବିକାଶ ଓ ଅର୍ଥନୈତିକ କେନ୍ଦ୍ର ଭାବେ ଗଢ଼ିବା ଲକ୍ଷ୍ୟ ରହିଛି। ରାଜ୍ୟ ସରକାରଙ୍କ ଏହା ଏକ ଐତିହାସିକ ପଦକ୍ଷେପ। ମୂଳ ଲକ୍ଷ୍ୟ ହେଉଛି ଯୋଜନାବଦ୍ଧ ସହରୀକରଣ ଏବଂ ରାଜ୍ୟରେ ସନ୍ତୁଳିତ ଆଞ୍ଚଳିକ ବିକାଶକୁ ପ୍ରୋତ୍ସାହନ ଦେବା। “ବିକଶିତ ଓଡ଼ିଶା ୨୦୩୬’ ଲକ୍ଷ୍ୟର ଅଂଶ ଭାବରେ ଏହି ଯୋଜନା ସହରଗୁଡ଼ିକୁ ବିକାଶର କେନ୍ଦ୍ର ଓ ଅର୍ଥନୀତିର ମୁଖ୍ୟ ଶକ୍ତି ଭାବେ ଗଢ଼ିବାକୁ ଯୋଜନା କରାଯାଇଛି।
ମୁଖ୍ୟ ଶାସନ ସଚିବ କହିଛନ୍ତି, “ସମୃଦ୍ଧ ସହର’ ଯୋଜନାରେ ଦୁଇଟି ପ୍ରମୁଖ ଅଂଶ ରହିଛି। ତାହା ହେଉଛି ସହର ପରିକଳ୍ପନା ଯୋଜନା ଓ ସହରଗୁଡ଼ିକୁ ବିକାଶ କେନ୍ଦ୍ର ଭାବେ ଗଢ଼ିବା। ପ୍ରଥମତଃ ସହର ପରିକଳ୍ପନା ଯୋଜନାରେ ସହର ପାର୍ଶ୍ୱବର୍ତ୍ତୀ ସହରାଞ୍ଚଳର ଜମିକୁ ଏକତ୍ରିତ କରି ପୁନର୍ଗଠନ କରିବା ଏବଂ ଯୋଜନାବଦ୍ଧ ସହରୀ ବିକାଶକୁ ତ୍ୱରିତ କରିବା ଉପରେ ଗୁରୁତ୍ୱ ଦେଇଛି। ଏହି ଯୋଜନା ରାସ୍ତା, ଜଳଯୋଗାଣ, ସ୍ୱରେଜ୍ ବ୍ୟବସ୍ଥା ଏବଂ କଠିନ ବର୍ଜ୍ୟ ପରିଚାଳନା ଭଳି ଅତ୍ୟାବଶ୍ୟକ ସହରୀ ଭିତ୍ତିଭୂମି ଯୋଗାଇବାକୁ ସହଜ କରିବ। ୪,୧୧୪ କୋଟି ଟଙ୍କାର ବଜେଟ୍ ଆବଣ୍ଟନ ସହିତ, ଏହି ପଦକ୍ଷେପ ଜମି ଏବଂ ସମ୍ପଭି ପରିଚାଳନାକୁ ଉଲ୍ଲେଖନୀୟ ଭାବେ ଉନ୍ନତ କରିବ ଏବଂ ସ୍ଥାୟୀ ବିକାଶକୁ ପ୍ରୋତ୍ସାହନ ଦେବ ।
ଦ୍ୱିତୀୟରେ ସହରଗୁଡ଼ିକୁ ବିକାଶ କେନ୍ଦ୍ର ଭାବେ ଗଢ଼ିବା ପାଇଁ ବି ପ୍ରୟାସ ହୋଇଛି। ମୋଟ୍ ୭୬୫.୩୦ କୋଟି ଟଙ୍କାର ନିବେଶ ସହିତ, ଏଥିରେ ସହରୀ ଅଞ୍ଚଳଗୁଡ଼ିକୁ ଅର୍ଥନୈତିକ ପରିବର୍ତ୍ତନର କେନ୍ଦ୍ର ଭାବେ ପ୍ରତିଷ୍ଠିତ କରିବାକୁ ଲକ୍ଷ୍ୟ ରଖୁଛି। ଏହା ଏକୀକୃତ ଅର୍ଥନୈତିକ କ୍ଲଷ୍ଟର୍, ଶିଳ୍ପ ନଗର ଓ ଉଚ୍ଚ ସମ୍ଭାବନା ବିଶିଷ୍ଟ ସହରୀ କରିଡର୍ର ବିକାଶକୁ ସମର୍ଥନ କରିବ। ଆଞ୍ଚଳିକ ଗତିଶୀଳତା ଉନ୍ନତ କରିବା, ସହରୀ ଯୋଜନା ଅନୁଷ୍ଠାନଗୁଡ଼ିକୁ ମଜବୁତ୍ କରାଯିବ। ମାଷ୍ଟର ପ୍ଲାନ୍ ଓ ସମଗ୍ର ବିକାଶ ଯୋଜନା (ସିଡିପି)କୁ ଆଇନଗତ ଭାବେ ଲାଗୁକରି କେନ୍ଦ୍ର ଓ ରାଜ୍ୟ ଯୋଜନାଗୁଡ଼ିକ ସହ ତାଳମେଳ ରଖୁବାକୁ ପ୍ରାଥମିକତା ଦିଆଯିବ। ଏହି ଯୋଜନା ପାଇଁ ମୋଟ୍ ୪,୮୭୯.୩୦ କୋଟି ଟଙ୍କାର ବ୍ୟୟ ହେବ। ଏଥିସହିତ, “ସମୃଦ୍ଧ ସହର’ ପଦକ୍ଷେପ ଓଡ଼ିଶାକୁ ୨୦୩୬ ସୁଦ୍ଧା ଏକ ବିକଶିତ ରାଜ୍ୟ ଭାବେ ଗଢ଼ିତୋଳିବାର ଲକ୍ଷ୍ୟ ଆଡ଼କୁ ଏକ ଗୁରୁତ୍ୱପୂର୍ଣ ପଦକ୍ଷେପ। ଏହି ଯୋଜନା କେବଳ ଭିଭିଭୂମି ଏବଂ ସହରୀ ପରିଚାଳନାକୁ ଉନ୍ନତ କରିବ ନାହିଁ, ବରଂ ରୋଜଗାର, ଘରୋଇ କ୍ଷେତ୍ର ନିବେଶ ଓ ଶିଳ୍ପ ବିସ୍ତାର ପାଇଁ ନୂଆ ପଥ ସୃଷ୍ଟି କରିବ ବୋଲି ସେ ପ୍ରକାଶ କରିଛନ୍ତି।










