16.1 C
Bhubaneswar
Saturday, December 6, 2025
Homeଦେଶ ବିଦେଶକିଭରେ ରୁଷ୍‌ର ଜୋରଦାର ଆକ୍ରମଣ

କିଭରେ ରୁଷ୍‌ର ଜୋରଦାର ଆକ୍ରମଣ

କିଭ୍‌: ଇରାନ-ଇସ୍ରାଏଲ୍ ଯୁଦ୍ଧ ଘନଘଟା ମଧ୍ୟରେ ରୁଷ୍ କିନ୍ତୁ ୟୁକ୍ରେନ୍ ଉପରେ ଆକ୍ରମଣ ଜାରି ରଖିଛି । ସୋମବାର ବିଳମ୍ବିତ ରାତିରେ ରୁଷ୍‌, ୟୁକ୍ରେନ୍‌ର ରାଜଧାନୀ କିଭ୍ ଉପରେ ପ୍ରଚଣ୍ଡ ଆକ୍ରମଣ କରିଥିବା ଏବଂ ଏଥିରେ ୯ଜଣ ମୃତ୍ୟୁବରଣ କରିଥିବା ସୂଚନା ମିଳିଛି । ସେହିପରି ଏହି ଆକ୍ରମଣରେ ଅନ୍ୟ ୧୫ରୁ ଅଧିକ ଆହତ ମଧ୍ୟ ହୋଇଥିବା କୁହାଯାଉଛି । ୟୁକ୍ରେନ୍ ବାୟୁସେନା କହିଛି ଯେ, ରୁଷ୍ ପ୍ରାୟ ୩୫୨ଟି ଡ୍ରୋନ୍ ଦ୍ୱାରା ୟୁକ୍ରେନ୍‌ର ୪ଟି ଅଞ୍ଚଳରେ ଆକ୍ରମଣ କରିଥିଲା । ତେବେ ୟୁକ୍ରେନ୍ ସେନା ଏଥିମଧ୍ୟରୁ ୩୩୯ଟି ଡ୍ରୋନ୍ ଓ ୧୬ଟି କ୍ଷେପଣାସ୍ତ୍ର ମଧ୍ୟରୁ ୧୫ଟିକୁ ଖସାଇ ଦେଇଥିଲା ।

ରିପୋର୍ଟ ଅନୁସାରେ କିଭ୍ ଓ ଏହାର ଆଖପାଖ ଅଞ୍ଚଳରେ ରୁଷ୍ ଡ୍ରୋନ୍ ଓ କ୍ଷେପଣାସ୍ତ୍ର ମାଡ଼ କରିଛି । ରୁଷ୍ ଆକ୍ରମଣରେ ଆବାସିକ ଅଞ୍ଚଳରେ ନିଆଁ ଲାଗିଯିବାରୁ ଅନେକ ଘରଦ୍ୱାର ତଥା ଧନସମ୍ପତ୍ତି ନଷ୍ଟ ହୋଇଛି । ମେଟ୍ରୋ ଷ୍ଟେସନ୍ ବୋମା ଆଶ୍ରୟସ୍ଥଳର ପ୍ରବେଶପଥ ମଧ୍ୟ ନଷ୍ଟ ହୋଇ ଯାଇଥିଲା । ତେବେ କ୍ଷତିଗ୍ରସ୍ତ ଅଞ୍ଚଳ ଏବଂ ଧ୍ୱଂସ ପାଇଯାଇଥିବା ବିଲ୍ଡିଂଗୁଡ଼ିକରୁ ପ୍ରଭାବିତ ଲୋକଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଥିବା ୟୁକ୍ରେନ୍ ଅଧିକାରୀମାନେ କହିଛନ୍ତି । ସେହିପରି ଆମେରିକା ଦୂତାବାସଠାରୁ ମାତ୍ର ଏକ କିଲୋମିଟର ଦୂର କିଭ୍ର ବ୍ୟସ୍ତବହୁଳ ଶେଭଚେନକିଭସ୍କି ଜିଲ୍ଲାର ଏକ ଆପାର୍ଟମେଣ୍ଟ ବ୍ଲକ୍‌ର ଭଗ୍ନାବଶେଷରୁ ଉଦ୍ଧାରକାରୀମାନେ ମୃତଦେହଗୁଡ଼ିକ ବାହାର କରାଯାଇଥିବା ଆଭ୍ୟନ୍ତରୀଣ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି । ତେବେ ଆଉ କିଛି ଲୋକ କିମ୍ବା ମୃତଦେହ ଏବେ ବି ଭଗ୍ନାବଶେଷ ତଳେ ଦବି ରହିଥିବା ଆଶଙ୍କା କରାଯାଉଥିବା ମନ୍ତ୍ରଣାଳୟ ଦର୍ଶାଇଛି ।

ଯୁଦ୍ଧର ଅନ୍ତ ଘଟାଇବା ପାଇଁ ହୋଇଥିବା ଆଲୋଚନାରେ କିଛି ସୁଫଳ ମିଳି ନ ଥିବାରୁ ମସ୍କୋ ନିକଟ ସପ୍ତାହରେ କିଭ୍ ଓ ୟୁକ୍ରେନ୍‌ର ଅନ୍ୟାନ୍ୟ ସହର ଉପରେ ଡ୍ରୋନ୍ ଓ କ୍ଷେପଣାସ୍ତ୍ର ଆକ୍ରମଣକୁ ଜୋରଦାର କରିଛି । ଅନ୍ୟପକ୍ଷେ ଆଜି ଠାରୁ ନେଦରଲ୍ୟାଣ୍ଡ୍‌ରେ ଆରମ୍ଭ ହେଉଥିବା ନାଟୋ ସମ୍ମିଳନୀରେ ୟୁକ୍ରେନ୍ ଯୁଦ୍ଧ ପ୍ରସଙ୍ଗ ଉଠାଇବ ବୋଲି ଆଭ୍ୟନ୍ତରୀଣ ମନ୍ତ୍ରୀ ଇହୋର କ୍ଲିମେନକୋ କହିଛନ୍ତି । ପ୍ରକାଶ, ଗତ ସପ୍ତାହରେ ରୁଷ୍ କିଭ୍‌୍ ଉପରେ ସବୁଠାରୁ ଭୟଙ୍କର ଆକ୍ରମଣ କରିଥିଲା, ଯେଉଁଥିରେ ପ୍ରାୟ ୨୮ ଜଣଙ୍କ ମୃତ୍ୟୁ ଘଟିଥିଲା ଏବଂ ୧୫୦ରୁ ଅଧିକ ଲୋକ ଆହତ ହୋଇଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking