ନୂଆଦିଲ୍ଲୀ: ନିଜ ଦଳର କିଛି ସମାଲୋଚକଙ୍କ ଦ୍ୱାରା ନିରନ୍ତର ସମାଲୋଚନାର ଶିକାର ହୋଇଆସୁଥିବା ଶଶି ଥରୁର ଆଜି ଏପରି ଏକ ବଡ଼ କଥା କହିଛନ୍ତି ଯାହା ସମାଲୋଚକଙ୍କ ମୁହଁକୁ ଚୁପ୍ କରିଦେଇଛି । ଥରୁର କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବାସ୍ତବରେ ଭାରତ ପାଇଁ ଏକ ପ୍ରାଇମ୍ ଆସେଟ୍ ବା ପ୍ରମୁଖ ସମ୍ପତ୍ତି । ଥରୁରଙ୍କ ଏପ୍ରକାର ବୟାନ୍ କଂଗ୍ରେସରେ ଏକ ପ୍ରକାର ହଟଚମଟ ସୃଷ୍ଟି କରିଛି । ତେବେ ଏହି ଅବସରରେ ସେ ଏବେ କଂଗ୍ରେସ ଛାଡିବାକୁ ଚିନ୍ତା କରୁଛନ୍ତି କି ବୋଲଇ ଏକ ପ୍ରଶ୍ନର ଉତ୍ତରରେ ସେ କହିଥିଲେ ଯେ, ସେ କଂଗ୍ରେସକୁ ଭଲପାଆନ୍ତି । କଂଗ୍ରେସର ବିଚାରଧାରା ବେଶ୍ ଉଚ୍ଚକୋଟୀର ଏବଂ ଦେଶ ତଥା ଜାତି ସ୍ୱାର୍ଥସମ୍ବଳିତ । ସେ କଂଗ୍ରେସ ଛାଡିବା କଥା ମନକୁ ମଧ୍ୟ ଆଣିପାରିବେ ନାହିଁ । କିନ୍ତୁ ସେ କାହାର ବିଚାରଧାରାକୁ ପରିବର୍ତ୍ତନ କରିପାରିବେ ନାହିଁ । ୧୬ ବର୍ଷ ଧରି କଂଗ୍ରେସ ପ୍ରତି ସେ ବିଶ୍ୱସ୍ତ ରହିଆସିଛନ୍ତି ଏବଂ ଆଗକୁ ମଧ୍ୟ ରହିବେ । ତେବେ ଦଳରେ ଥିବା ତାଙ୍କ ସହ ମତଭେଦ ରଖୁଥିବା କିଛି ବ୍ୟକ୍ତିଙ୍କ ପ୍ରସଙ୍ଗରେ ଆଲୋଚନା କରାଯାଇପାରିବ ।
କଂଗ୍ରେସ ସାଂସଦ ଶଶି ଥରୁର ଯିଏକି ‘ଅପରେସନ ସିନ୍ଦୂର’ ପରେ ଗତ ମାସରେ ଆମେରିକା, ବ୍ରାଜିଲ ଏବଂ ଅନ୍ୟ ତିନୋଟି ଦେଶରେ ଶାସକ ବିଜେପିର ଆତଙ୍କବାଦ ବିରୋଧୀ କୂଟନୈତିକ ଅଭିଯାନର ନେତୃତ୍ୱ ନେଇଥିଲେ । ଏହି ସମୟରେ ଥରୁର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ “ଊର୍ଜା, ଗତିଶୀଳତା ଏବଂ (ଅନ୍ୟ ଦେଶ ସହିତ) ଜଡିତ ହେବାର ଇଚ୍ଛା’ ପାଇଁ ଅଧିକ ସମର୍ଥନ ପାଇଁ ଆହ୍ୱାନ କରିଥିଲେ । ବିଦେଶରେ ଥରୁର୍ଙ୍କ ଅପରେସନ ସିନ୍ଦୂର’ ଏବଂ ପ୍ରଧାନମନ୍ତ୍ରୀ ମୋଦୀଙ୍କ ପ୍ରଶଂସାକୁ ନେଇ ତାଙ୍କ ନିଜ ଦଳର କଂଗ୍ରେସର କିଛି ବରିଷ୍ଠ ନେତା ତାଙ୍କୁ ବିଜେପିର ମୁଖପାତ୍ର, ବିଜେପିର ପ୍ରଶଂସକ, ମୋଦୀଙ୍କ ପ୍ରଶଂସକ ଆଦି କହି ସମାଲୋଚନା କରିଆସୁଛନ୍ତି । ଏପରିକି କେରଳରେ ଅନୁଷ୍ଠିତ ହୋଇଯାଇଥିବା ସଦ୍ୟ ଉପନିର୍ବାଚନ ପାଇଁ ମଧ୍ୟ ତାଙ୍କୁ ପ୍ରଚାରକ ଟିମ୍ରେ ମଧ୍ୟ ସାମିଲ କରାଯାଇନଥିଲା କିମ୍ବା ଡକା ମଧ୍ୟ ଯାଇନଥିଲା ।










