ଭୁବନେଶ୍ୱର: କେନ୍ଦ୍ର ସରକାରଙ୍କ ସଂଶୋଧିତ ଖଣି ଓ ଖଣିଜ(ବିକାଶ ଓ ନିୟନ୍ତ୍ରଣ ) ଏମ୍ଏମ୍ଡିଆର ଆଇନ-୨୦୨୬କୁ ତୁରନ୍ତ ପ୍ରତ୍ୟାହାର କରିବା, ରାଜ୍ୟର ଖଣି ରାଜସ୍ୱ ଼ଓ କର ଆଦାୟର ସାମ୍ବିଧାନିକ ଅଧିକାର ସୁରକ୍ଷା ପ୍ରଦାନ କରିବା, ଓଡ଼ିଶାରେ ବକେୟା ଖଣି ରାଜସ୍ୱ ଅଧିକାରକୁ ସୁରକ୍ଷା ଦେବା, କ୍ୟାପିଟିଭ ଖଣିଜର ବାଣିଜ୍ୟକ ବିକ୍ରି କରିବା ନୀତି କୁ ରଦ୍ଦ କରିବା, ଖଣି ଅଂଚଳର ବିସ୍ତାର କ୍ଷେତ୍ରରେ ଗ୍ରାମ ସଭା, ଆଦିବାସୀଙ୍କ ଅଧିକାର, ଜଙ୍ଗଲ ଅଧିକାର ଼ଓ ପରିବେଶ ଆଇନର ସମସ୍ତ ସୁରକ୍ଷା ଅକ୍ଷୁର୍ଣ୍ଣ ରଖିବା, ଆଦିବାସୀ ଓ ସ୍ଥାନୀୟ ଲୋକଙ୍କ ଜମି, ଜଙ୍ଗଲ, ଜଳ ଓ ଜୀବିକାର ଅଧିକାର ସୁରକ୍ଷିତ କରିବା, ନୂଆ ଖଣି ଖୋଲିବା ଉପରେ ରୋକ ଲଗାଇ ପୂର୍ବରୁ ଖୋଲାଯାଇଥିବା ଖଣିଗୁଡ଼ିକର ସାମାଜିକ, ଆର୍ଥିକ ଓ ପରିବେଶଗତ ସମୀକ୍ଷା କରିବା ଆଦି ଦାବିରେ ଏସ୍ୟୁସିଆଇ(କମ୍ୟୁନିଷ୍ଟ), ସିପିଆଇ(ଏମଏଲ)-ରେଡଷ୍ଟାର, ସିପିଆଇ (ଏମ.ଏଲ ), ସିପିଆଇ(ଏମ୍ଏଲ)ଏନ୍.ଡି ଦଳ ମାନଙ୍କର ମିଳିତ ଉଦ୍ୟୋଗରେ ଆଜି ରାଜ୍ୟ ସଚିବାଳୟ ସମ୍ମୁଖରେ ଏକ ପ୍ରତିବାଦ ବିକ୍ଷୋଭ ଅନୁଷ୍ଠିତ ହୋଇଯାଇଛି ।
ଏସ୍ୟୁସିଆଇ(କମ୍ୟୁନିଷ୍ଟ) ରାଜ୍ୟ ଅଫିସ ସଂପାଦିକା ସ୍ୱୟଂପ୍ରଭା ନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ପ୍ରତିବାଦ ସଭାରେ ଏସ୍ୟୁସିଆଇ(କମ୍ୟୁନିଷ୍ଟ) ରାଜ୍ୟ ସଂପାଦକ ମଣ୍ଡଳୀ ସଦସ୍ୟ ଛବି ମହାନ୍ତି, ବିଶ୍ୱାବସୁ ଦାସ, କ୍ଷୀରୋଦ କର, ସିପିଆଇ(ଏମଏଲ)-ରେଡଷ୍ଟାର ପକ୍ଷରୁ ପ୍ରମିଳା, ହେନା, ପଦ୍ମନାଭ ମାର୍ଥା, ସିପିଆଇ(ଏମ.ଏଲ) ପକ୍ଷରୁ ବାସୁଦେବ ଦାସ, ମୋହନ ନାଇଡୁ, ବଟକୃଷ୍ଣ ସ୍ୱାଇଁ, ସିପିଆଇ(ଏମ.ଏଲ) ଏନ.ଡି ପକ୍ଷରୁ ପ୍ରତାପ ପ୍ରଧାନ ପ୍ରମୁଖ ବକ୍ତବ୍ୟ ଉପସ୍ଥାପନ କରି କହିଛନ୍ତି, ଏମ୍ଏମ୍ଡିଆର ଆଇନ ଖଣିଜ ସମ୍ପଦ ଉପରେ କେନ୍ଦ୍ରର ନିୟନ୍ତ୍ରଣ ବଢ଼ାଇବା ସହ ବଡ଼ କର୍ପୋରେଟ୍ମାନଙ୍କୁ ଅଧିକ ସୁଯୋଗ ଦେବ । ଏହା ରାଜ୍ୟର ସାମ୍ବିଧାନିକ ଓ ଆର୍ଥିକ ଅଧିକାରକୁ ସଙ୍କୁଚିତ କରିବା ସହ ଆଦିବାସୀ, ଗ୍ରାମସଭା ଓ ଜଙ୍ଗଲ ନିର୍ଭର ଲୋକଙ୍କ ଅଧିକାରକୁ ବିପଦରେ ପକାଇବ । ସୁପ୍ରିମ କୋର୍ଟଙ୍କ ରାୟ ଅନୁଯାୟୀ ଓଡ଼ିଶା ପିଛିଲା ଖଣିଜ କର ବକେୟା ବାବଦରେ ପ୍ରାୟ ୧ ଲକ୍ଷ କୋଟିରୁ ଅଧିକ ରାଜସ୍ୱ ହରାଇବା ସହ ଆଗାମୀ ଦିନରେ ପ୍ରତିବର୍ଷ ପ୍ରାୟ ୧୨,୦୦୦ କୋଟି ରାଜସ୍ୱ ହରାଇବାର ଆଶଙ୍କା ରହିଛି । ଏଥିସହ ଖଣିଜ ଅଧିକାର ଓ ଖଣିଜବାହୀ ଭୂମି ଉପରେ ରାଜ୍ୟର ଅଧିକାର ମଧ୍ୟ ସଙ୍କୁଚିତ ହେବ । ୨୦୨୪ରେ ସୁପ୍ରିମକୋର୍ଟଙ୍କ ୯ ଜଣିଆ ସମ୍ବିଧାନ ପୀଠ ରାଜ୍ୟମାନଙ୍କ ଖଣିଜ ଅଧିକାର ଓ ଖଣିଜବାହୀ ଭୂମି ଉପରେ କର ଆଦାୟ କ୍ଷମତାକୁ ସ୍ୱୀକୃତି ପ୍ରଦାନ କରିବା କଥା ବକ୍ତାମାନେ ଦର୍ଶାଇଥିଲେ । ନୂତନ ଆଇନ ଏହାର ପ୍ରଭାବକୁ ସୀମିତ କରୁଛି ।
ଏଠାରେ ସୂଚନା ୪ବାମ ଦଳ ପକ୍ଷରୁ ସେପ୍ଟେମ୍ବର ଏକ ରୁ ଦଶ ତାରିଖ ମଧ୍ୟରେ ରାଜ୍ୟର ବହୁ ଅଞ୍ଚଳରେ ଏହି ଆଇନକୁ ବିରୋଧ କରି ହଜାର ହଜାର ଜନସାଧାରଣ ପ୍ରତିବାଦ ଆନ୍ଦୋଳନ ସଂଗଠିତ କରିଛନ୍ତି । ସେହି କ୍ରମରେ ଆଜି ୪ବାମ ଦଳ ଉଦ୍ୟୋଗରେ ଏହି ବିକ୍ଷୋଭ ପ୍ରତିବାଦ ସଭା ଭୁବନେଶ୍ୱରରେ ଅନୁଷ୍ଠିତ ହୋଇଛି । ଚାରି ବାମ ଦଳ ପକ୍ଷରୁ ଦାବି କରାଯାଇଛି ଏମ୍ଏମ୍ଡିଆର ଆଇନ ତୁରନ୍ତ ରଦ୍ଦ କରାଯାଉ, ରାଜ୍ୟର ଅଧିକାର ସୁରକ୍ଷିତ କରାଯାଉ, ଆଦିବାସୀ ଓ ଗ୍ରାମସଭା ଅଧିକାର ନିଶ୍ଚିତ କରାଯାଉ ଏବଂ ନୂଆ ଖଣି ଖୋଲିବା ଉପରେ ରୋକ ଲଗାଯାଉ । ଖଣିଜ ସମ୍ପଦ ଜନତାଙ୍କର-କର୍ପୋରେଟ୍ର ନୁହେଁ । ରାଜ୍ୟମାନଙ୍କ ଅଧିକାର, ଆଦିବାସୀଙ୍କ ଅଧିକାର ଓ ଭବିଷ୍ୟତ ପିଢ଼ିର ଅଧିକାର ଉପରେ ଏହି ଆକ୍ରମଣକୁ ଦେଶର ଶ୍ରମିକ, କୃଷକ, ଆଦିବାସୀ, ଦଳିତ ଓ ସମସ୍ତ ଗଣତାନ୍ତ୍ରିକ ଜନତା ଏକତ୍ରିତ ହୋଇ ପ୍ରତିରୋଧ କରିବାକୁ ଆହ୍ୱାନ ଦେଇଥିଲେ ।










