24.1 C
Bhubaneswar
Monday, February 9, 2026
Homeଓଡିଶାଓଡ଼ିଶା ସରକାର, ଓୟୁଏଟି ଓ ସିଆରଆରଆଇ ଦ୍ୱାରା ନୂତନ ସ୍ୱଳ୍ପ ଅବଧି, ଜଳବାୟୁ ସହନୀୟ ଏବଂ...

ଓଡ଼ିଶା ସରକାର, ଓୟୁଏଟି ଓ ସିଆରଆରଆଇ ଦ୍ୱାରା ନୂତନ ସ୍ୱଳ୍ପ ଅବଧି, ଜଳବାୟୁ ସହନୀୟ ଏବଂ ଉଚ୍ଚ ଅମଳକାରୀ ଫସଲ କିସମ ବିକଶିତ

– ଚାଷୀ ମାନଙ୍କ ଦ୍ୱାରା ବ୍ୟବହାର ପାଇଁ ଉପଲବ୍ଧ
– ମକା, ସୋରିଷ ଏବଂ ଧାନର ଉଚ୍ଚ ଅମଳକାରୀ ଏବଂ ଜଳବାୟୁ ସହନୀୟ କିସମ ବିକଶିତ।
– ଏହା ଚାଷୀଙ୍କ ଆୟ ବୃଦ୍ଧି କରିବ: କୃଷି ସଚିବ ଡକ୍ଟର ଅରବିନ୍ଦ ପାଢୀ

ଭୁବନେଶ୍ୱର: ରାଜ୍ୟରେ ବିଭିନ୍ନ କୃଷି ଫସଲ କିସମ ବିକଶିତ କରିବା ପାଇଁ କୃଷି ବିଭାଗ ପ୍ରମୁଖ ଶାସନ ସଚିବ ଡ଼ ଅରବିନ୍ଦ କୁମାର ପାଢୀଙ୍କ ଅଧ୍ୟକ୍ଷତାରେ ଆଜି ଓଡ଼ିଶା ରାଜ୍ୟ ବିହନ ଉପ-କମିଟି ବୈଠକ ଅନୁଷ୍ଠିତ ହୋଇଥିଲା । ଉକ୍ତ ବୈଠକରେ, ୩ ପ୍ରକାର ଅଣ-ଧାନ କିସମ ଯଥା ଓୟୁଏଟି କଳିଙ୍ଗ ମକା ୧ (ଖୁସି), ଓୟୁଏଟି କଳିଙ୍ଗ ସୋରିଷ ୨ (ସମୃଦ୍ଧି), ଓୟୁଏଟି କଳିଙ୍ଗ ସୋରିଷ ୩ (ସିଦ୍ଧି) ରାଜ୍ୟରେ ବିକଶିତ କରିବା ପାଇଁ ଅନୁମୋଦିତ ହୋଇଛି l ଓୟୁଏଟି କଳିଙ୍ଗ ସୋରିଷ ୨ (ସମୃଦ୍ଧି), ଓୟୁଏଟି କଳିଙ୍ଗ ସୋରିଷ ୩ (ସିଦ୍ଧି) ହେଉଛି ଦୁଇଟି ଉଚ୍ଚ ଅମଳକାରୀ ଏବଂ ଅଧିକ ପରିମାଣର ତେଲ ଥିବା ସୋରିଷ କିସମ। ସେହିପରି, ୪ ନମ୍ଵର… ଓୟୁଏଟି ର ଧାନ କିସମ ଯଥା ଓୟୁଏଟି କଳିଙ୍ଗ ଧାନ -୩ (ସମ୍ପଦ), ଓୟୁଏଟି କଳିଙ୍ଗ ଧାନ ୧୨ (ପରଜା), ଓୟୁଏଟି କଳିଙ୍ଗ ଧାନ ୧୨ A (ପଦ୍ମଜା), ଓୟୁଏଟି କଳିଙ୍ଗ ଧାନ ୧୪ (ଶ୍ରୀପଦା) ଏବଂ ସିଆରଆରଆଇ (CRRI), କଟକର ୭ ଟି ଧାନ କିସମ ଯଥା ସିଆର ଧାନ ୨୧୫ (ଇନ୍ଦୁମତୀ), ସିଆର ଧାନ ୩୨୫ (ସଲିଳା), ସିଆର ଧାନ ୩୩୪ (ସତ୍ୟଦେବ), ସିଆର ଧାନ ୩୩୫ (ଆଲୋକ), ସିଆର ଧାନ ୬୦୪ (କଳ୍ପନା), ସିଆର ଧାନ ୭୦୫ (ଗଙ୍ଗା) ଏବଂ ସିଆର ଧାନ ୯୧୨ (ଆଶୁତୋଷ ମେହେକ) ମଧ୍ୟ ରାଜ୍ୟରେ ବିକଶିତ କରାଯାଇଛି। ଏହି ଅଣ-ଧାନ ଏବଂ ଧାନ କିସମଗୁଡିକ ଚାଷୀଙ୍କ ଆୟ ବୃଦ୍ଧି କରିବାରେ ସାହାଯ୍ୟ କରିବ। ଏହା ବ୍ୟତୀତ ଏହି କିସମଗୁଡିକ ଚାଷ କରି ଆମେ ଆମର ଭବିଷ୍ୟତକୁ ଅଧିକ ସ୍ଥାୟୀ ଏବଂ ଜଳବାୟୁ ସହନୀୟ କରିବା ଦିଗରେ ଏକ ପଦକ୍ଷେପ ନେଇପାରିବା । ଆଗାମୀ ଖରିଫ ଋତୁରେ ଚାଷୀମାନେ ଏହି ସବୁ ଧାନ, ମକା, ଓ ସୋରିଷ କିସମ ଗୁଡିକୁ ବ୍ୟବହାର କରିପାରିବେ ବୋଲି କୃଷି ଓ କୃଷକ ସଶକ୍ତିକରଣ ବିଭାଗ ପ୍ରମୁଖ ଶାସନ ସଚିବ ଡ଼ ଅରବିନ୍ଦ କୁମାର ପାଢୀ କହିଛନ୍ତି।

କମିଟି ଦ୍ୱାରା ଏହା ମଧ୍ୟ ନିଷ୍ପତ୍ତି ନିଆଯାଇଛି ଯେ ଏକ ନୂତନ କିସମ ବିକଶିତ କରିବା ସମୟରେ ଜଳବାୟୁ ସ୍ଥିରତା, ସ୍ୱଳ୍ପ ଅବଧି ଏବଂ ପୁଷ୍ଟିକର ଦିଗକୁ ପ୍ରାଥମିକତା ଦିଆଯିବା ଉଚିତ। ଓୟୁଏଟି କଳିଙ୍ଗ ମକା ୧ (ଖୁସି) କିସମ ଖରିଫ ବର୍ଷା ଉପରେ ନିର୍ଭରଶୀଳ ଶୁଷ୍କ କାଳୀନ ଚାପ ପରିସ୍ଥିତିରେ ମଧ୍ୟ ଭଲ ପ୍ରଦର୍ଶନ କରିଥିଲା ଏବଂ ଏହା ନବରଙ୍ଗପୁର ଭଳି ମକା ଅଧ୍ୟୂଷିତ ଜିଲ୍ଲାରେ ଚାଷ ପାଇଁ ଉପଯୁକ୍ତ। ସେହିପରି, ଓୟୁଏଟି କଳିଙ୍ଗ ଧାନ-୩ (ସମ୍ପଦ) ଆଣ୍ଟିଅକ୍ସିଡାଣ୍ଟ ଗୁଣ ଥିବା ଧାନ ମୁଢି ଓ ଲିଆ ପାଇଁ ଉପଯୁକ୍ତ । ଧାନ ଆଧାରିତ ଫସଲ ପ୍ରଣାଳୀରେ ଏହି କିସମ ଭଲ ଭାବରେ ଫିଟ୍ ହୁଏ । ଓୟୁଏଟି କଳିଙ୍ଗ ଧାନ ୧୨ A (ପଦ୍ମଜା) ଏକ ଜୈବିକ-ଶକ୍ତିଶାଳୀ କିସମ, ଜୈବିକ ଚାଷ ପାଇଁ ଉପଯୁକ୍ତ ଅଟେ । ଓୟୁଏଟି କଳିଙ୍ଗ ଧାନ ୧୪ (ଶ୍ରୀପଦ) ମଧ୍ୟ ଏକ ଜୈବିକ-ଶକ୍ତିଶାଳୀ କିସମ ଯାହା ଲୌହ ଏବଂ ଆଣ୍ଟିଅକ୍ସିଡାଣ୍ଟରେ ଭରପୂର ଅଟେ । ଏହି କିସମଟି ଚାଷୀମାନେ କରୁଥିବା “ସ୍ୱର୍ଣ୍ଣ (MTU-7029) କିସମକୁ ବଦଳାଇପାରିବ । ସେହିପରି, ସିଆର ଧାନ ୨୧୫ (ଇନ୍ଦୁମତୀ) ଲୁଣିଆ ଅଞ୍ଚଳ ପାଇଁ ଉପଯୁକ୍ତ ଅଟେ । ରାଜ୍ୟର ଉପକୂଳବର୍ତ୍ତୀ ଜିଲ୍ଲାଗୁଡ଼ିକ ପାଇଁ ଏହା ବେଶ୍ ପସନ୍ଦଯୋଗ୍ୟ କିସମ ହୋଇପାରିବ। ଆଉ ଏକ କିସମ, ସିଆର ଧାନ ୬୦୪ (କଳ୍ପନା) ଚାରା ବା ତଳି ଅବସ୍ଥାରେ କମ୍ ତାପମାତ୍ରା ଏବଂ ପ୍ରଜନନ ଅବସ୍ଥାରେ ଅତ୍ୟଧିକ ଉତ୍ତାପ ସହ୍ୟ କରିପାରେ। ଏହା ସହିତ କାଣ୍ଡ ବିନ୍ଧା ପୋକ, ପତ୍ରମୋଡା ପ୍ରତି ମଧ୍ୟ ଏହା ପ୍ରତିରୋଧୀ । ସିଆର ଧାନ ୯୧୨ (ଆଶୁତୋଷ ମେହେକ) ଏକ ସୁଗନ୍ଧିତ କିସମ ଯାହା ପତ୍ରମୋଡା ଓ କାଣ୍ଡ ବିନ୍ଧା ପୋକ ପ୍ରତିରୋଧୀ ଅଟେ ।କୃଷି ଏବଂ ଖାଦ୍ୟ ଉତ୍ପାଦନ ନିର୍ଦ୍ଦେଶକ ଶ୍ରୀ ଶୁଭମ୍ ସକ୍ସେନା, ଓଡ଼ିଶା କୃଷି ଓ ବୈଷୟିକ ବିଶ୍ବବିଦ୍ୟାଳୟ, ସିଆରଆରଆଇ କଟକ ଏବଂ କୃଷି ବିଭାଗର ଅଧିକାରୀମାନେ ବୈଠକରେ ଉପସ୍ଥିତ ଥିଲେ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking