18.1 C
Bhubaneswar
Friday, December 19, 2025
Homeଓଡିଶାଆହୁରି ୭ ଦିନ କାଳବୈଶାଖୀ; ଓଡ଼ିଶାକୁ ନାହିଁ ବାତ୍ୟା ଭୟ

ଆହୁରି ୭ ଦିନ କାଳବୈଶାଖୀ; ଓଡ଼ିଶାକୁ ନାହିଁ ବାତ୍ୟା ଭୟ

ଭୁବନେଶ୍ୱର: “ଓଡ଼ିଶାକୁ ନାହିଁ ବାତ୍ୟା ଭୟ। ବଙ୍ଗୋସାଗରରେ ବାତ୍ୟା ଓ ଓଡ଼ିଶାରେ ଏହାର ପ୍ରଭାବକୁ ନେଇ ଆଇଏମ୍‌ଡି ତରଫରୁ କିଛି ଆକଳନ କରାଯାଇ ନାହିଁ। ଆଗାମୀ ୫ ଦିନ ମଧ୍ୟରେ ବାତ୍ୟା ହେବାର କୌଣସି ସମ୍ଭାବନା ନାହିଁ। ବାତ୍ୟାର ନିୟାମକ ସ୍ପଷ୍ଟ ହେଲେ ଆଇଏମ୍‌ଡି ପକ୍ଷରୁ ଆଗୁଆ ସୂଚନା ଦିଆଯିବ। ବାତ୍ୟା ହେବା ନେଇ ଆସୁଥିବା ଖବରରେ କୌଣସି ସତ୍ୟତା ନାହିଁ। ଏଭଳି ଗୁଜବଠାରୁ ଦୂରେଇ ରହିବାକୁ ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି। ସେପଟେ କାଳବୈଶାଖୀ ବର୍ଷା ଆସନ୍ତା ୭ ଦିନ ଯାଏ ରାଜ୍ୟରେ ରହିବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। ଉପକୂଳରେ ଗୁଳୁଗୁଳି ଅଣାୟତ୍ତ କରିବ। ଉତ୍ତର ଉପକୂଳ ଜିଲ୍ଲାଗୁଡ଼ିକୁ ୟେଲୋ ୱାର୍ଣ୍ଣିଂ ଦେଇଛି ପାଣିପାଗ ବିଜ୍ଞାନ କେନ୍ଦ୍ର। ଏହାସହ କାଳବୈଶାଖୀ ବର୍ଷା ମଧ୍ୟ ରହିବ। ଫଳରେ ଦିନର ତାପମାତ୍ରାରେ ବିଶେଷ ବୃଦ୍ଧି ହେବ ନାହିଁ। ଆସନ୍ତା ୨୪ ଘଣ୍ଟାରେ ପଶ୍ଚିମ ଆଭ୍ୟନ୍ତରୀଣ ଜିଲ୍ଲାଗୁଡ଼ିକୁ ବାଦ୍ ଦେଲେ ଅନ୍ୟ ସମସ୍ତ ଜିଲ୍ଲା କାଳବୈଶାଖୀରେ ପ୍ରଭାବିତ ହେବ।

ହାଲୁକା ବର୍ଷାର ସମ୍ଭାବନା ସହ ୨ ଦିନ ଯାଏ ଉଷ୍ମ ଓ ଆର୍ଦ୍ର ସ୍ଥିତି ପାଇଁ ସତର୍କ ସୂଚନା ଦେଇଛି ପାଣିପାଗ ବିଭାଗ। ଆସନ୍ତାକାଲି ଭଦ୍ରକ, ବାଲେଶ୍ୱର, କେନ୍ଦ୍ରାପଡ଼ା, ଯାଜପୁର, ଖୋର୍ଦ୍ଧା, ପୁରୀ, ଜଗତସିଂହପୁର, କଟକ, ନୟାଗଡ଼, ଗଞ୍ଜାମ ଓ ଗଜପତି ଜିଲ୍ଲାରେ ଗରମ ଓ ଗୁଳୁଗୁଳି ଅନୁଭୂତ ହେବ। ଏସବୁ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ସେହିପରି ହାଲୁକା ବର୍ଷା ସହ ବଜ୍ରପାତକୁ ନେଇ ମୟୂରଭଞ୍ଜ, କେନ୍ଦୁଝର, ଦେବଗଡ଼, ସୁନ୍ଦରଗଡ଼, ବରଗଡ଼, ସମ୍ବଲପୁର, ଝାରସୁଗୁଡ଼ା, କନ୍ଧମାଳ, ରାୟଗଡ଼ା, ଗଞ୍ଜାମ, ଗଜପତି, କୋରାପୁଟ ଓ ମାଲକାନଗିରି ଜିଲ୍ଲାକୁ ପାଣିପାଗ ବିଭାଗ ୟେଲୋ ୱାର୍ଣ୍ଣିଂ ଜାରି କରିଛି। ଏସବୁ ଜିଲ୍ଲାରେ ଘଣ୍ଟାପ୍ରତି ପବନର ବେଗ ୩୦-୪୦ କିମି ରହିବ। ୨୨ ତାରିଖରେ ପବନର ବେଗ ବଢ଼ି ୪୦ରୁ ୫୦ କିମି ହୋଇପାରେ। ଏହାସହ ବିଜୁଳି ଘଡ଼ଘଡ଼ି ପାଇଁ ମୟୂରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ଼, ବରଗଡ଼, ଝାରସୁଗୁଡ଼ା, କନ୍ଧମାଳ, କଳାହାଣ୍ଡି, ରାୟଗଡ଼ା, ଗଞ୍ଜାମ, ଗଜପତି, କୋରାପୁଟ ଓ ମାଲକାନଗିରି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି। ୨୩ ତାରିଖରେ ମୟୂରଭଞ୍ଜ, କେନ୍ଦୁଝର, ଗଞ୍ଜାମ, ଗଜପତି, ମାଲକାନଗିରି, ରାୟଗଡ଼ା ଓ କୋରାପୁଟ ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି ସହ ଝଟକା ପବନର ବେଗ ଘଣ୍ଟାପ୍ରତି ୪୦-୫୦ କିମି ରହିବାର ସମ୍ଭାବନାକୁ ନେଇ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।

୨୪ ତାରିଖରେ ହାଲୁକା ବର୍ଷା ସହ ବିଜୁଳି ଘଡ଼ଘଡ଼ି ଓ ଝଟକା ପବନର ବେଗ ୪୦-୫୦ କିମି ବହିବାର ସମ୍ଭାବନା ରହିଛି। ଏଥିପାଇଁ କେନ୍ଦୁଝର, ସୁନ୍ଦରଗଡ଼, ମୟୂରଭଞ୍ଜ, ଗଞ୍ଜାମ, ଗଜପତି, ମାଲକାନଗିରି, ରାୟଗଡ଼ା, କୋରାପୁଟ, କନ୍ଧମାଳ, କଳାହାଣ୍ଡି ଓ ନବରଙ୍ଗପୁର ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ। ସେପଟେ କେରଳ ଛୁଇଁବ ମୌସୁମୀ। ଏଥିପାଇଁ ପାଗ ଅନୁକୂଳ ହେଉଛି। ଆଗାମୀ ୪ରୁ ୫ ଦିନ ମଧ୍ୟରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ କେରଳ ଉପକୂଳ ଛୁଇଁବା ପାଇଁ ପାଗ ସମ୍ପୂର୍ଣ୍ଣ ଅନୁକୂଳ ରହିଥିବା ପାଣିପାଗ ବିଭାଗ କହିଛି। ଫଳରେ ଏଥର ଶୀଘ୍ର ମୌସୁମୀ ଆସିବା ଆକଳନ ସତ ହେଉଛି। ସାଧାରଣତଃ ଜୁନ୍ ଦ୍ୱିତୀୟ ସପ୍ତାହରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଓଡ଼ିଶାରେ ପ୍ରବେଶ କରିଥାଏ। କିନ୍ତୁ ଏଥର କେରଳ ମୌସୁମୀ ସଅଳ ଆସିଲେ ଓଡ଼ିଶା ବି ଶୀଘ୍ର ଆସିବ ବୋଲି ଆକଳନ କରାଯାଉଛି। ଅନ୍ୟପଟେ ଗତ ୨୪ ଘଣ୍ଟା ମଧ୍ୟରେ କିଛି କିଛି ସ୍ଥାନରେ କାଳବୈଶାଖୀ ବର୍ଷା ହୋଇଥିବା ବେଳେ ଝାରସୁଗୁଡ଼ା ଜିଲ୍ଲାରେ ସର୍ବାଧିକ ୫୫.୪ ମିମି ବର୍ଷା ରେକର୍ଡ କରାଯାଇଛି। ସେହିପରି ସର୍ବାଧିକ ତାପମାତ୍ରା ସମ୍ବଲପୁରରେ ୪୨ ଡିଗ୍ରୀ ରେକର୍ଡ ହୋଇଥିବା ବେଳେ ରାଜ୍ୟର ଆଉ ୪ରୁ ଅଧିକ ସ୍ଥାନରେ ୪୦ ଡିଗ୍ରୀରୁ ଅଧିକ ତାପମାତ୍ରା ରେକର୍ଡ଼ ହୋଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking