ନୂଆଦିଲ୍ଲୀ: ଯୁଦ୍ଧବିରତି ଚାଲିଥିବା ବେଳେ ପୁଣି ଥରେ ମଧ୍ୟପ୍ରାଚ୍ୟରେ ଉତ୍ତେଜନା ବୃଦ୍ଧି। ଆମେରିକା-ଇରାନ ପୁଣି ଆରମ୍ଭ ସାମରିକ ସଂଘର୍ଷ । ମେ ୭ ତାରିଖରେ ହର୍ମୁଜ ପ୍ରଣାଳୀ ଦେଇ ଓମାନ ଉପସାଗର ଆଡକୁ ଯାଉଥିବା ଆମେରିକୀୟ ନୌସେନା ଉପରେ ଇରାନ ଆକ୍ରମଣ କରିଥିଲା । ଆମେରିକା ମଧ୍ୟ ଏହାର ପାଲଟା ଜବାବ ଦେଇଥିଲା । ଆମେରିକାର କେନ୍ଦ୍ରୀୟ କମାଣ୍ଡ ଅନୁଯାୟୀ, ସେମାନେ ଇରାନର ଏହି ଆକ୍ରମଣକୁ ପ୍ରତିହତ କରିଛନ୍ତି ଏବଂ ଆମେରିକୀୟ ଜାହାଜର କୌଣସି କ୍ଷତି ହୋଇନାହିଁ। ଆମେରିକା ପକ୍ଷରୁ ଇରାନର କାଶେମ, ବନ୍ଦର ଆବାସ ଏବଂ ମିନାବ ସହରରେ ଥିବା ସାମରିକ ଘାଟିଗୁଡ଼ିକ ଉପରେ ଆକ୍ରମଣ କରାଯାଇଛି ।ଆମେରିକୀୟ ସେନା ଇରାନର କ୍ଷେପଣାସ୍ତ୍ର ଓ ଡ୍ରୋନ୍ ଲଞ୍ଚ ସ୍ଥଳ, କମାଣ୍ଡ ଆଣ୍ଡ କଣ୍ଟ୍ରୋଲ ସେଣ୍ଟର ଏବଂ ଗୁପ୍ତଚର ନିରୀକ୍ଷଣ କେନ୍ଦ୍ରଗୁଡ଼ିକୁ ଧ୍ୱଂସ କରିଛି । ରାଷ୍ଟ୍ରପତି ଟ୍ରମ୍ପ ଏହି ଆକ୍ରମଣକୁ ଇରାନର ଦୁଃସାହସ ବିରୁଦ୍ଧରେ ଏକ ଜବାବ ବୋଲି କହିଛନ୍ତି । ଆମେରିକାର ଆକ୍ରମଣ ପରେ ଇରାନ ନିଜର ରାଜଧାନୀ ତେହେରାନରେ ବାୟୁ ପ୍ରତିରକ୍ଷା ପ୍ରଣାଳୀକୁ ସକ୍ରିୟ କରିଛି । ତେହରାନ୍ ଅଭିଯୋଗ କରିଛି ଯେ ଆମେରିକା ପ୍ରଥମେ ସେମାନଙ୍କର ଏକ ଟ୍ୟାଙ୍କର ଉପରେ ଆକ୍ରମଣ କରିଥିଲା ଏବଂ ପରେ ସାଧାରଣ ନାଗରିକ ଅଞ୍ଚଳକୁ ଟାର୍ଗେଟ କରିଛି । ଆଇଆରଜିସି ଏହି ଆକ୍ରମଣର କଡ଼ା ଜବାବ ଦେବ ବୋଲି ଚେତାବନୀ ଦେଇଛି। ଦାବି କରାଯାଉଛି ଯେ ଇରାନର କ୍ଷେପଣାସ୍ତ୍ର ମାଡ଼ରେ ଆମେରିକୀୟ ୟୁନିଟଗୁଡ଼ିକର ବହୁତ କ୍ଷତି ହୋଇଛି ।










