ଭୁବନେଶ୍ୱର: ବ୍ୟାଙ୍କକକ୍ଠାରେ ଅନୁଷ୍ଠିତ ବିଶ୍ୱ ପାରା ତୀରନ୍ଦାଜି ସିରିଜ୍ ୨୦୨୬ରେ ଓଡ଼ିଶାର ପାରା ତୀରନ୍ଦାଜ ପାୟଲ ନାଗ ଦୁଇଟି ସ୍ୱର୍ଣ୍ଣ ପଦକ ଜିତିବା ସହ ଆଗାମୀ ଏସୀୟ ପାରା ଗେମ୍ସ ୨୦୨୬ ପାଇଁ ଯୋଗ୍ୟତା ଅର୍ଜନ କରିଛନ୍ତି । ଏହି ଅସାଧାରଣ ସଫଳତା ପାଇଁ ଆଜି ଓଡ଼ିଶା ସରକାରଙ୍କ କ୍ରୀଡ଼ା ଓ ଯୁବସେବା ବିଭାଗ ପକ୍ଷରୁ ତାଙ୍କୁ ଭବ୍ୟ ସମ୍ବର୍ଦ୍ଧନା ଦିଆଯାଇଛି । ସମ୍ବର୍ଦ୍ଧନା ଉତ୍ସବରେ ପାୟଲଙ୍କୁ ପ୍ରୋତ୍ସାହନ ସ୍ୱରୂପ ୫,୪୬,୬୬୬ ଟଙ୍କା ଏବଂ କ୍ରୀଡ଼ା ସରଞ୍ଜାମ କିଣିବା ପାଇଁ ଅତିରିକ୍ତ ୩,୨୩,୧୦୦ ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରାଯାଇଛି ।
କ୍ରୀଡ଼ା ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜ ପାୟଲଙ୍କୁ ପ୍ରସଂଶା କରି କହିଥିଲେ ଯେ :
“ପାୟଲଙ୍କ ସଫଳତା ଠାରୁ ତାଙ୍କର ସଂଘର୍ଷ ଓ ଇଚ୍ଛାଶକ୍ତି ଢେର ଅଧିକ । ସମସ୍ତ ପ୍ରତିକୂଳ ପରିସ୍ଥିତି ଆଗରେ ତାଙ୍କର ଦୃଢ଼ ମନୋବଳ ଆଜିର ଯୁବପିଢ଼ି ପାଇଁ ସବୁଠାରୁ ବଡ଼ ପ୍ରେରଣା । ସମାଜ ବିଶ୍ୱାସ ହରାଇଥିବା ବେଳେ ଜଣେ ମା’ର ଅଖଣ୍ଡ ବିଶ୍ୱାସ ହିଁ ପାୟଲଙ୍କୁ ଏହି ସଫଳତା ଆଣିଦେଇଛି ।”
କଣ୍ଟାବାଞ୍ଜି ବିଧାୟକ ଶ୍ରୀ ଲକ୍ଷ୍ମଣ ବାଗ ନିଜ ବକ୍ତବ୍ୟରେ ପାୟଲଙ୍କୁ କହିଥିଲେ ଯେ :
“ପାୟଲ ନାଗ କେବଳ ଜଣେ ଖେଳାଳି ନୁହଁନ୍ତି, ସେ ହେଉଛନ୍ତି ସାହସ ଓ ସଫଳତାର ଜୀବନ୍ତ ପ୍ରତୀକ । ସେ ଶାରୀରିକ ପ୍ରତିକୂଳତାକୁ ଦୁର୍ବଳତା ନଭାବି ନିଜର ଶକ୍ତିରେ ପରିଣତ କରିଛନ୍ତି ।”
ପାରା ତୀରନ୍ଦାଜ ପାୟଲ ନାଗ ଖୁସି ହୋଇ ଓଡିଶା ସରକାରଙ୍କୁ ଧନ୍ୟବାଦ ଜଣାଇ କହିଥିଲେ ଯେ :
“ଏକ ଭୟଙ୍କର ଦୁର୍ଘଟଣା ପରେ ସମାଜ ମତେ ଅଲୋଡ଼ା ଭାବିଥିଲା, କିନ୍ତୁ ସେହି ଅନ୍ଧକାର ସମୟରେ ମୋ ମା’ଙ୍କ ବିଶ୍ୱାସ ମୋର ସବୁଠାରୁ ବଡ଼ ସାହସ ସାଜିଥିଲା । ସରକାର ଓ ମନ୍ତ୍ରୀଙ୍କ ଠାରୁ ମିଳିଥିବା ଏହି ପ୍ରୋତ୍ସାହନ ମତେ ଦେଶ ପାଇଁ ଆହୁରି କଠିନ ପରିଶ୍ରମ କରିବାକୁ ପ୍ରେରଣା ଦେଉଛି ।”
ରାଜ୍ୟ ସରକାର ଆଗାମୀ ଦିନରେ ପାୟଲଙ୍କ ଭଳି ପ୍ରତିଭାବାନ ପାରା-ଆଥଲେଟ୍ମାନଙ୍କୁ ସମସ୍ତ ପ୍ରକାର ଆର୍ଥିକ ଓ ଭିତ୍ତିଭୂମି ସହାୟତା ଯୋଗାଇଦେବାକୁ ପ୍ରତିଶ୍ରୁତିବଦ୍ଧ ବୋଲି ବିଭାଗ ପକ୍ଷରୁ କୁହାଯାଇଛି । ଏହି ଅବସରରେ କ୍ରୀଡ଼ା ବିଭାଗର ଅତିରିକ୍ତ ଶାସନ ସଚିବ ଶ୍ରୀ ବିଜୟ କୁମାର ସ୍ବାଇଁ, ଶ୍ରୀ ଅଶୋକ କୁମାର ପଣ୍ଡା, ଶ୍ରୀ ସୁଧାକର ନାଏକ ଓ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ରହି ପାୟଲଙ୍କୁ ଉତ୍ସାହିତ କରିଥିଲେ ।










