ସମ୍ବଲପୁର: ସମ୍ବଲପୁର କମାଣ୍ଡ ଏରିଆ ଡେଭଲପମେଣ୍ଟ ଅଥରିଟି(କାଡା) ମଣ୍ଡଳର ନିର୍ବାହୀ ଯନ୍ତ୍ରୀ ପଦ୍ମଲୋଚନ ନାୟକଙ୍କୁ ଓଡ଼ିଶା ଭିଜିଲାନ୍ସ ଦ୍ୱାରା ଗିରଫ କରାଯାଇଛି ଏବଂ ଆଜି ତାଙ୍କୁ ଆୟ ବର୍ହିଭୂତ ସମ୍ପତ୍ତି ଠୁଳ କରିବା ଅଭିଯୋଗରେ ସମ୍ବଲପୁରର ସ୍ୱତନ୍ତ୍ର ବିଚାରପତି, ଭିଜିଲାନ୍ସଙ୍କ କୋର୍ଟକୁ ପଠାଯାଉଛି। ଏହି ସମ୍ପର୍କରେ, ସମ୍ବଲପୁର ଭିଜିଲାନ୍ସ ପିଏସ୍ ମାମଲା , ଦୁର୍ନୀତି ନିବାରଣ ଆଇନ, ୨୦୧୮ ଅଧୀନରେ ନିର୍ବାହୀ ଯନ୍ତ୍ରୀଙ୍କ ବିରୋଧରେ ରୁଜୁ କରାଯାଇଛି।ସୂଚନାନୁଯାୟୀ, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ସମ୍ବଲପୁର କମାଣ୍ଡ ଏରିଆ ଡେଭଲପମେଣ୍ଟ ଅଥରିଟି(କାଡା) ମଣ୍ଡଳର ନିର୍ବାହୀ ଯନ୍ତ୍ରୀ ପଦ୍ମଲୋଚନ ନାୟକଙ୍କ ୭ ଠିକଣାରେ ମଙ୍ଗଳବାର ଭିଜିଲାନ୍ସ ବିଭାଗ ପକ୍ଷରୁ ଚଢ଼ଉ କରାଯାଇଥିଲା। ସମ୍ବଲପୁର, କଟକ, ବାଲେଶ୍ୱର ଓ ମାଲକାନଗିରି ସମେତ ମୋଟ ୭ଟି ସ୍ଥାନରେ ହୋଇଥିବା ଏହି ଚଢ଼ଉରୁ କୋଟି କୋଟି ଟଙ୍କାର ସ୍ଥାବର ଓ ଅସ୍ଥାବର ସମ୍ପତ୍ତି ଠାବ ହୋଇଥିବା ସୂଚନା ମିଳିଛି।
ଭିଜିଲାନ୍ସ ବିଭାଗର ପ୍ରାଥମିକ ଯାଞ୍ଚରେ କଟକରେ ଥିବା ୧୮,୮୪୦ ବର୍ଗଫୁଟ ବିଶିଷ୍ଟ ବହୁତଳ କୋଠା ସମେତ ୩ଟି ଦାମୀ କୋଠା ଘର, ଭୁବନେଶ୍ୱର, କଟକ, ଯାଜପୁର, ବାଲେଶ୍ୱର ଓ ପୁରୀରେ ମୋଟ ୧୮ଟି ମୂଲ୍ୟବାନ ପ୍ଲଟ, ୩.୪୫ ଲକ୍ଷ ଟଙ୍କା ନଗଦ, ୩ଟି ଚାରିଚକିଆ ଓ ଗୋଟିଏ ଦୁଇଚକିଆ ଯାନ, ୨ଟି ଜେସିବି ମେସିନ, ଟ୍ରାକ୍ଟର, ଟ୍ୟାଙ୍କର, ଟ୍ରେଲର ଏବଂ ପ୍ରାୟ ୨୦ ଲକ୍ଷ ଟଙ୍କାର ସୁନାଗହଣା ଠାବ ହୋଇଛି। ଏହାଛଡ଼ା ବହୁ ମୂଲ୍ୟବାନ ଘରକରଣା ସାମଗ୍ରୀ ମଧ୍ୟ ଠାବ ହୋଇଛି। ଭିଜିଲାନ୍ସର ୪ ଜଣ ଡିଏସପି, ୧୩ ଇନ୍ସପେକ୍ଟର ଓ ୭ ଏଏସଆଇଙ୍କ ସମେତ ଏକ ବଡ଼ ଟିମ୍ ଏହି ଚଢ଼ଉରେ ସାମିଲ ହୋଇଥିଲେ। ସମ୍ବଲପୁର ସ୍ଥିତ କାର୍ଯ୍ୟାଳୟ ଓ ଧନୁପାଲିର ଭଡ଼ାଘର ସହ କଟକ ବିଦ୍ୟାଧରପୁରରେ ଥିବା ୩ ମହଲା ବିଶିଷ୍ଟ ଘର, ବାଲେଶ୍ୱର ଜିଲା ବସ୍ତା ବ୍ଲକ ମୁକୁଳିସି ପଞ୍ଚାୟତ ଅନ୍ତର୍ଗତ ଦୁନ୍ଦଠାରେ ଥିବା ୨ ମହଲା ଘର ଏବଂ ସହଯୋଗୀମାନଙ୍କ ଘର ସମେତ ୭ଟି ସ୍ଥାନରେ ଏକାସାଙ୍ଗରେ ତଲାସି ଚାଲିଥିଲା। ତଦନ୍ତ ସମୟରେ ଶ୍ରୀ ନାୟକଙ୍କ ବିଦେଶ ଗସ୍ତ, ବିଶେଷକରି ଶ୍ରୀଲଙ୍କା ଯାତ୍ରା ଏବଂ ଜୁଆ ଖେଳ ସହ ସମ୍ଭାବ୍ୟ ସମ୍ପୃକ୍ତି ନେଇ ମଧ୍ୟ ଭିଜିଲାନ୍ସ ଖୋଳତାଡ଼ କରୁଛି।










