ଭୁବନେଶ୍ୱର: ଆଜି ଓଡ଼ିଶା ପ୍ରଦେଶ କଂଗ୍ରେସ ସେବାଦଳର ରାଜ୍ୟ କାର୍ଯ୍ୟକାରିଣୀ ବୈଠକ କଂଗ୍ରେସ ଭବନ, ଭୁବନେଶ୍ୱର ଠାରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ସେବାଦଳ ଅଧ୍ୟକ୍ଷ ଶ୍ରୀ ଶୁଭେନ୍ଦୁ ମହାନ୍ତି ଅଧ୍ୟକ୍ଷତା କରି କହିଲେ ଯେ ସେବାଦଳ କଂଗ୍ରେସ ଦଳର ଏକ ଆଗୁଆ ବାହିନୀ । ଦଳୀୟ ସଂଗଠନର ପ୍ରତ୍ୟେକ କାର୍ଯ୍ୟକ୍ରମରେ ସେବାଦଳ ଅଂଶଗ୍ରହଣ କରି ତାର ପରାକାଷ୍ଠା ଦେଖାଇଛି । ଆଗାମୀ ଦିନରେ ସେବାଦଳକୁ କିଭଳି ଆହୁରି ସୁଦୃଢ଼ କରାଯାଇପାରିବ ସେ ସମ୍ପର୍କରେ ସେ ଉପସ୍ଥିତ ପଦାଧିକାରୀଙ୍କ ମତାମତ ଆହ୍ୱାନ କରିଥିଲେ । ଏହି କାର୍ଯ୍ୟକ୍ରମରେ ନିଜର ମତ ରଖି ପୂର୍ବତନ ମନ୍ତ୍ରୀ ଶ୍ରୀ ପଞ୍ଚାନନ କାନୁନଗୋ ଓ ଶ୍ରୀ ସୁରେଶ କୁମାର ରାଉତରାୟ ଏବଂ ପୂର୍ବତନ ବିଧାୟକ ଶ୍ରୀ ଚିନ୍ମୟ ପ୍ରସାଦ ବେହୁରା କହିଲେ ଯେ ସ୍ୱାଧୀନତା ପୂର୍ବରୁ କଂଗ୍ରେସ ଦଳର ଏକ ଅଙ୍ଗ ଭାବରେ ସେବାଦଳ କାର୍ଯ୍ୟକରି ଆସୁଛି । ବର୍ତ୍ତମାନ ପ୍ରତ୍ୟେକ ପଞ୍ଚାୟତ ଓ ଗ୍ରାମରେ ସେବାଦଳର କର୍ମୀମାନେ ସକ୍ରୀୟ ଭାବରେ କାର୍ଯ୍ୟକରୁଛନ୍ତି । ଏହାକୁ ଅଧିକ ସଂଗଠିତ କରିବାକୁ ନୂତନ କର୍ମୀମାନଙ୍କୁ ଚୟନ କରି ପ୍ରଶିକ୍ଷଣ ଶିବିର ଆୟୋଜନ ହେବା ନିହାତି ଦରକାର । ସେବାଦଳ ଦୃଢ଼ିଭୁତ ହୋଇପାରିଲେ କଂଗ୍ରେସ ସୁଦୃଢ଼ ହେବବୋଲି ମତ ଦେଇଥିଲେ । ସେବାଦଳ ପ୍ରଭାରୀ ଶ୍ରୀ ନରେନ୍ଦ୍ର ଭଟ୍ଟି କହିଲେ ଯେ ଅତିତରେ ସେବାଦଳ ଅନେକ ପରାକାଷ୍ଠା ଦେଖାଇଛି । ବର୍ତ୍ତମାନ ନୂତନ ଯୁବକ ଯୁବତୀ ମାନଙ୍କୁ ପ୍ରଶିକ୍ଷିତ କରାଯାଇ ସେମାନଙ୍କୁ ସେବାଦଳର ନୀତି, ନିୟମ ଓ ଶୃଙ୍ଖଳା ସମ୍ପର୍କରେ ଅବଗତ କରାଯିବା ଦରକାର । ସେଥିପାଇଁ ପ୍ରଥମେ ରାଜ୍ୟସ୍ତରରେ ପ୍ରତ୍ୟେକ ଜିଲ୍ଲାରୁ ୧୦ ରୁ ୧୫ ଜଣ ଶିବିରାର୍ଥୀଙ୍କୁ ପ୍ରଶିକ୍ଷଣ ଦିଆଯିବ ଓ ପରେ ପ୍ରତ୍ୟେକ ଜିଲ୍ଲାୱାରି ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହେବାପାଇଁ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା । ଅନ୍ୟମାନଙ୍କ ମଧ୍ୟରେ ସଦାଶିବ ମହାପାତ୍ର, ମୁନୁ ସରାଫ, ବିଜୟଲକ୍ଷ୍ମୀ ମହାପାତ୍ର, ମନୋଜ ସାହୁ, ପ୍ରୀତିଷ ପଟ୍ଟନାୟକ, ଅବିନାଶ ମିଶ୍ର ପ୍ରମୁଖ ଗଠନମୂଳକ ପରାମର୍ଶ ପ୍ରଦାନ କରିଥିଲେ । କାର୍ଯ୍ୟକ୍ରମ ପ୍ରାରମ୍ଭରେ କଂଗ୍ରେସ ଭବନ ପରିସରରେ ଦଳୀୟ ପତାକା ଉତ୍ତୋଳନ କରାଯାଇଥିଲା । ଏହି କାର୍ଯ୍ୟକ୍ରମକୁ ଶ୍ରୀ ଜ୍ୟୋତିଷ କୁମାର ସାହୁ ପରିଚାଳନା କରିଥିଲେ ଏବଂ ଏମଡି ସାହାଦୁଲ୍ଲା, ଉଷାରାଣୀ ବେହେରା ଓ କୁଳମଣି ସାହୁ ସହଯୋଗ କରିଥିଲେ । ବୈଠକରେ ପରଲୋକ ଗମନ କରିଥିବା ସେବାଦଳର ପଦାଧିକାରୀ ଓ କର୍ମକର୍ତ୍ତାଙ୍କ ସ୍ମୃତି ଉଦ୍ଦେଶ୍ୟରେ ନଳିନୀ ବେହେରା ଶୋକ ପ୍ରସ୍ତାବ ଆଗତ କରିଥିଲେ । ପରଲୋକଗତ ଆତ୍ମାର ସଦଗତି ନିମନ୍ତେ ଦୁଇମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା । ଶେଷରେ ଜାତୀୟ ସଂଗୀତ ଗାନ କରାଯାଇ ସଭା ସାଂଗ କରାଯାଇଥିଲା । ପରେ ସେବାଦଳର ଏକ ଶୋଭାଯାତ୍ରା କଂଗ୍ରେସ ଭବନରୁ ବାହାରି ସହର ପରିକ୍ରମା କରିଥିଲେ । ଏହି କାର୍ଯ୍ୟକ୍ରମକୁ କଂଗ୍ରେସ ନେତା ଶ୍ରୀ ଦୀପକ କୁମାର ସାହୁ ଓ ମିହିର ରଞ୍ଜନ ଆଚାର୍ଯ୍ୟ ସହଯୋଗ କରିଥିଲେ ।










