କେନ୍ଦୁଝର : କେନ୍ଦୁଝର ଘଟଗାଁ ନିକଟସ୍ଥ ମସିଣାବିଲା ଛକରେ ସଡକ ଦୁର୍ଘଟଣା । ଯାତ୍ରୀବାହୀ ବସକୁ ଧକ୍କା ଦେଲା ଦ୍ରୁତଗାମୀ ଲୁହାପଥର ବୋଝେଇ ହାଇୱା । ମା ପଦ୍ମାବତୀ ନାମକ ଏକ ଯାତ୍ରୀବାହୀ ବସ ଓଲଟି ପଡିବାରୁ ୧୦ରୁ ଅଧିକ ଯାତ୍ରୀ ଗୁରୁତର ଆହତ ହୋଇଛନ୍ତି । ଗୁରୁବାର ରାତି ପ୍ରାୟ ୧୧ଟା ୪୫ ସମୟରେ ପାଣ୍ଡୁପାଣିରୁ ଭୁବନେଶ୍ୱର ଅଭିମୁଖେ ଯାଉଥିଲା ବସ । ମସିଣାବିଲା ଛକ ନିକଟରେ ଏକ ଲୁହାପଥର ବୋଝେଇ ହାଇୱା ବସଟିକୁ ପଛପଟୁ ପ୍ରଚଣ୍ଡ ଧକ୍କା ଦେଇଥିଲା । ଧକ୍କା ଏତେ ଜୋରଦାର ଥିଲା ଯେ, ବସଟି ରାସ୍ତା ଉପରେ ଓଲଟି ପଡିଥିଲା । ଦୁର୍ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଚାପା ଉତ୍ତେଜନା ପ୍ରକାଶ ପାଇଥିଲା । ଖବର ପାଇ ଘଟଗାଁ ପୋଲିସ, ଦମକଳ ବାହିନୀ ଏବଂ ଏନଏଚଆଇ ଆମ୍ବୁଲାନ୍ସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲେ । ସମସ୍ତଙ୍କ ମିଳିତ ସହଯୋଗରେ ବସ ମଧ୍ୟରୁ ଆହତ ଯାତ୍ରୀଙ୍କୁ ଉଦ୍ଧାର କରାଯାଇ ଘଟଗାଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଦୁର୍ଘଟଣା ଘଟାଇବା ପରେ ହାଇୱା ଚାଳକ ଜଣକ ଘଟଣାସ୍ଥଳରୁ ଫେରାର ହୋଇଯାଇଛନ୍ତି । ପୋଲିସ ଦୁର୍ଘଟଣାଗ୍ରସ୍ତ ହାଇୱା ଓ ବସକୁ ଜବତ କରିବା ସହ ଏକ ମାମଲା ରୁଜୁ କରି ଅଧିକ ତଦନ୍ତ ଜାରି ରହିଛି ।










