ଭୁବନେଶ୍ୱର: ପାରାଦୀପ ନିର୍ବାଚନ ମଣ୍ଡଳୀର ଢିଙ୍କିଆ, ନୂଆଗାଁର ଗଡ଼କୁଜଙ୍ଗରେ ନବୀନ ସରକାର ଅମଳରେ ଜେଏସ୍ଡବ୍ଲୁ ପ୍ଲାଣ୍ଟର ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇ ଶିଳାନ୍ୟାସ କରାଯାଇଥିଲା । ବର୍ତ୍ତମାନର ବିଜେପି ସରକାର ସମାନ ପ୍ରକଳ୍ପର ପୁନଃ ଶିଳାନ୍ୟାସ କରି ବାହାବା ନେବା ନିନ୍ଦନୀୟ ବୋଲି କହିଛି ବିଜୁ ଜନତା ଦଳ ।ଆଜି ଶଙ୍ଖ ଭବନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଦଳର ମୁଖପାତ୍ର ତଥା ଗଣମାଧ୍ୟମ ସଂଯୋଜକ ଡ଼ ଲେନିନ ମହାନ୍ତି, ଯେଉଁ ପୁଞ୍ଜିନିବେଶ ପୂର୍ବତନ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଣିଥିଲେ, ସେହି ଜେଏସ୍ଡବ୍ଲୁ ପ୍ଲାଣ୍ଟର ପୁନଃ ଶିଳାନ୍ୟାସ କରି ରାଜ୍ୟବାସୀଙ୍କୁ ଭୁଅାଁ ବୁଲାଉଥିବାରୁ ସରକାରଙ୍କ ଉପରେ ବର୍ଷିଥିଲେ ।ଡ଼ ଲେନିନ ମହାନ୍ତି କହିଥିଲେ, ନବୀନ ସରକାର ଅମଳରେ ‘ମେକ୍ ଇନ୍ ଓଡ଼ିଶା’ କାର୍ଯ୍ୟକ୍ରମରେ ପାରାଦୀପ ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ଢିଙ୍କିଆ ନୂଆଗାଁର ଗଡ଼କୁଜଙ୍ଗରେ ଜେଏସ୍ଡବ୍ଲୁ ପ୍ଲାଣ୍ଟ ପ୍ରତିଷ୍ଠା କରିବା ପାଇଁ ଚୁକ୍ତି ସ୍ୱାକ୍ଷର ହୋଇଥିଲା । ପୂର୍ବତନ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଜେଏସ୍ଡବ୍ଲୁର ପ୍ଲାଣ୍ଟର ଭିତ୍ତିପ୍ରସ୍ତର ସ୍ଥାପନା କରି ପ୍ରକଳ୍ପର ଶିଳାନ୍ୟାସ କରିଥିଲେ । ପୂର୍ବ ସରକାର କରିଥିବା କାମକୁ ବର୍ତ୍ତମାନର ବିଜେପି ସରକାର ନିଜ କାମ କହି ଡିଣ୍ଡିମ ପିଟିବା ଅତ୍ୟନ୍ତ ହାସ୍ୟାସ୍ପଦ । ରାଜ୍ୟକୁ ଲକ୍ଷ ଲକ୍ଷ କୋଟି ଟଙ୍କାର ପୁଞ୍ଜିନିବେଶ ଆସୁଥିବା କଥା ସରକାର କହୁଛନ୍ତି, ବାସ୍ତବରେ କେତେ ପୁଞ୍ଜିନିବେଶ ଆସିଛି ଓ କେତେ ପୁଞ୍ଜି ଗ୍ରାଉଣ୍ଡେଡ୍ ହୋଇଛି, ତାହା ଓଡ଼ିଶାବାସୀଙ୍କ ନିକଟରେ ଉପସ୍ଥାପନା କରନ୍ତୁ । ନିଯୁକ୍ତି ସୃଷ୍ଟି ନାଁରେ ଯୁବବର୍ଗଙ୍କୁ
ହତାଶ କରି ତାଙ୍କ ଭାବନା ସହିତ ନ ଖେଳନ୍ତୁ ସରକାର । ପ୍ରକଳ୍ପ ପ୍ରତିଷ୍ଠା ନାଁରେ ମିଛ କହିବାରୁ ନିବୃତ୍ତ ରୁହନ୍ତୁ ସରକାର ।ଡ଼ ମହାନ୍ତି ଆହୁରି କହିଥିଲେ, ରାଜ୍ୟକୁ ପୁଞ୍ଜିନିବେଶ ଆସିଲେ ପ୍ରମୁଖ ବିରୋଧୀ ଦଳ ହିସାବରେ ବିଜେଡି ସ୍ୱାଗତ କରିବ । କାହିଁକି ନା ପୁଞ୍ଜିନିବେଶ ଆସିବା ଦ୍ୱାରା ରାଜ୍ୟରେ ନିଯୁକ୍ତି ସୃଷ୍ଟି ହେବ, ଯାହା ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ବିଜେଡି ସରକାର କରୁଥିଲା । ବର୍ତ୍ତମାନ ସରକାରର ଶିଳ୍ପ ମନ୍ତ୍ରୀ ଶିଳ୍ପର ବିକାଶ ନାଁରେ ନିଜର ବିକାଶ ଅଧିକ କରୁଛନ୍ତି । ଯାହା ଜେଏସ୍ଡବ୍ଲୁ ପ୍ରତିଷ୍ଠିତ ହୋଇଥିବା ଅଞ୍ଚଳର ଜନସାଧାରଣ ଆଲୋଚନା କରୁଛନ୍ତି । ରାଜ୍ୟରେ କଞ୍ଚାମାଲ, ଭଲ ନେତୃତ୍ୱ ଓ ଆଇନଶୃଙ୍ଖଳା ପରିସ୍ଥିତି ଠିକ୍ ଥିଲେ ନିବେଶ ଆସେ । କିନ୍ତୁ ରାଜ୍ୟରେ ବିଗିଡ଼ିଯାଇଥିବା ଆଇନଶୃଙ୍ଖଳା ପରିସ୍ଥିତି ଯୋଗୁଁ ନୂତନ ପୁଞ୍ଜିନିବେଶ ପାଇଁ ଶିଳ୍ପପତି ମାନେ ମନ ବଳାଉ ନାହାନ୍ତି । ଅପରପକ୍ଷରେ ରାଜ୍ୟକୁ ନୂତନ ପୁଞ୍ଜି ଆଣିବା ବାହାନାରେ ରାଜ୍ୟ ତହବିଲ୍ରୁ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଇ, ଦେଶ ବିଦେଶ ଭ୍ରମଣ କରିବାରେ ମୁଖ୍ୟମନ୍ତ୍ରୀ, ମନ୍ତ୍ରୀ ଓ ସଚିବମାନେ ମାତିଛନ୍ତି । ଗଲା ୨ ବର୍ଷ ଭିତରେ ରାଜ୍ୟରେ ଦୁଷ୍କର୍ମ, ଗଣଦୁଷ୍କର୍ମ, ନାରୀ ନିର୍ଯାତନା ଉଦ୍ବେଗଜନକ ଭାବେ ବୃଦ୍ଧି ପାଇଛି । ପୋଲିସ୍ର ନିଷ୍କି୍ରୟତା ଯୋଗୁଁ ଭିଡ଼ ହିଂସା ଘଟି ନିରୀହ ଜୀବନ ଯାଉଛି । ଏନସିଆରବି ରିପୋର୍ଟ ଅନୁଯାୟୀ ଓଡ଼ିଶା ଏବେ ୧ ନମ୍ବର ସ୍ଥାନରେ ରହିଛି । ପୂର୍ବ ସରକାର କରିଥିବା କାମକୁ ପୁଣିଥରେ କରି ମୁଖ୍ୟମନ୍ତ୍ରୀ ବାହାବା ନେବା ପରିବର୍ତ୍ତେ, ପ୍ରଥମେ ରାଜ୍ୟରେ ଆଇନଶୃଙ୍ଖଳା ଠିକ୍ କରନ୍ତୁ । ନଚେତ ଓଡ଼ିଶାବାସୀ କେବେ କ୍ଷମା ଦେବେ ନାହିଁ ।










