ଭୁବନେଶ୍ୱର: ସଡ଼କ ଦୁର୍ଘଟଣାକୁ ରୋକିବା ପାଇଁ ସୁପ୍ରିମ କୋର୍ଟଙ୍କ କଠୋର ନିର୍ଦ୍ଦେଶ ପରେ ସଡ଼କ ସୁରକ୍ଷାକୁ ନେଇ ଓଡିଶାରେ ଆଲର୍ଟ । ରାଜ୍ୟର ବାଣିଜ୍ୟ ଓ ପରିବହନ ବିଭାଗ ସମସ୍ତ ବିଭାଗ, ଜିଲ୍ଲା ପ୍ରଶାସନ ଓ ପୁଲିସକୁ ଏହି ନିର୍ଦ୍ଦେଶଗୁଡ଼ିକୁ କଡ଼ାଭାବେ ପାଳନ କରିବାକୁ ଆଦେଶ ଦେଇଛି । କୋର୍ଟ ନିର୍ଦ୍ଦେଶ ଅନୁସାରେ, ଜାତୀୟ ରାଜପଥ କଡ଼ରେ ଅନଧିକୃତ ପାର୍କିଂକୁ ସମ୍ପୂର୍ଣ୍ଣ ନିଷେଧ କରାଯିବ । କେବଳ ନିର୍ଦ୍ଦିଷ୍ଟ ଲେ-ବାୟ କିମ୍ବା ୱେସାଇଡ୍ ଆମେନିଟିରେ ଯାନ ପାର୍କିଂ କରାଯାଇପାରିବ । ଏହାକୁ କଡାଭାବେ ପାଳନ କରିବା ପାଇଁ ATMS, ସିସିଟିଭି, ଜିପିଏସ ଓ ଇ-ଚାଲାନ୍ ବ୍ୟବସ୍ଥାକୁ ସକ୍ରିୟ କରାଯିବ । ସେଥିପାଇଁ ରାଜପଥ କଡ଼ରେ ଥିବା ଅବୈଧ ଢାବା, ଦୋକାନ ଓ ଅନ୍ୟାନ୍ୟ କାଠାକୁ ୬୦ ଦିନ ମଧ୍ୟରେ ହଟାଇବାକୁ ନିର୍ଦ୍ଦେଶ ମିଳିଛି । ଏହା ସହିତ ପ୍ରତ୍ୟେକ ଜିଲ୍ଲାରେ ‘ଡିଷ୍ଟ୍ରିକ୍ଟ ହାଇୱେ ସେଫ୍ଟି ଟାସ୍କ ଫୋର୍ସ’ ଗଠନ କରାଯିବ ଓ ପୁଲିସ, ପ୍ରଶାସନ ଓ ଏନଏଚଏଆଇ ମଧ୍ୟରେ ସମନ୍ୱୟ ବଢ଼ାଯିବ । ହାଇୱେରେ ନିୟମିତ ପ୍ୟାଟ୍ରୋଲିଂ, ନିରୀକ୍ଷଣ ଓ ଅବୈଧ ଦଖଳ ହଟାଇବା ଉପରେ ଜୋର ଦିଆଯିବ । ସେହିପରି ପ୍ରତି ୭୫ କି.ମି.ରେ ଆମ୍ବୁଲାନ୍ସ, କ୍ରେନ୍ ଓ ବିଶ୍ରାମ କେନ୍ଦ୍ର ବ୍ୟବସ୍ଥା କରାଯିବା ସହ ଦୁର୍ଘଟଣା ପ୍ରବଣ ସ୍ଥାନଗୁଡିକୁ ଚିହ୍ନଟ କରି ସେଠାରେ ହାଇ-ମାଷ୍ଟ ଲାଇଟ୍, ସ୍ପିଡ୍ କ୍ୟାମେରା ଓ ସଚେତନତା ସାଇନ୍ ବୋର୍ଡ୍ ଲଗାଯିବ । ସମସ୍ତ ବିଭାଗକୁ ୬୦ ରୁ ୭୫ ଦିନ ମଧ୍ୟରେ କାର୍ଯ୍ୟାନୁଷ୍ଠାନ ରିପୋର୍ଟ ଦେବାକୁ କୁହାଯାଇଛି । ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଖୁବ୍ ଶୀଘ୍ର ଏହା ଉପରେ ସମୀକ୍ଷା ବୈଠକ ହେବାର ସୂଚନା ମିଳିଛି ।










