19.1 C
Bhubaneswar
Friday, December 19, 2025
Homeଓଡିଶାଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ, ସଂଖ୍ୟାଲଘୁ ଓ ପଛୁଆ ବର୍ଗ କଲ୍ୟାଣ ବିଭାଗର...

ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ, ସଂଖ୍ୟାଲଘୁ ଓ ପଛୁଆ ବର୍ଗ କଲ୍ୟାଣ ବିଭାଗର କାର୍ଯ୍ୟାବଳୀ ସମୀକ୍ଷା କଲେ ରାଜ୍ୟପାଳ

ଭୁବନେଶ୍ୱର: ପେସା ଆକ୍ଟ, ଜଙ୍ଗଲ ଅଧିକାର ଆଇନ୍ ଏବଂ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ, ସଂଖ୍ୟାଲଘୁ ଓ ପଛୁଆ ବର୍ଗ କଲ୍ୟାଣ ବିଭାଗ ଅନ୍ତର୍ଗତ ବିଭିନ୍ନ ଯୋଜନାର ସଫଳ ତଦାରଖ ଓ କାର୍ଯ୍ୟାନ୍ୱୟନ ନିମନ୍ତେ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ଟାସ୍କ ଫୋର୍ସ ଗଠନ କରିବାକୁ ରାଜ୍ୟପାଳ ଡ. ହରି ବାବୁ କମ୍ଭମ୍‌ପାଟି ଗୁରୁତ୍ୱାରୋପ କରି ପରାମର୍ଶ ଦେଇଛନ୍ତି। ମଇ ୨ ତାରିଖ ଦିନ ରାଜଭବନର ନ୍ୟୁ ଅଭିଷେକ ହଲ୍‌ଠାରେ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ, ସଂଖ୍ୟାଲଘୁ ଓ ପଛୁଆ ବର୍ଗ କଲ୍ୟାଣ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ ଉପସ୍ଥିତିରେ ବିଭାଗର କାର୍ଯ୍ୟାବଳୀ ସମୀକ୍ଷା କରିବା ଅବସରରେ ରାଜ୍ୟପାଳ ଏହି ପରାମର୍ଶ ଦେଇଛନ୍ତି। ପେସା ଆକ୍ଟ, ଜଙ୍ଗଲ ଅଧିକାର ଆଇନ ଏବଂ ଏହା ସହ ଜଡିତ କାର୍ଯ୍ୟକ୍ରମର କାର୍ଯ୍ୟାନ୍ୱୟନରେ ବିଭିନ୍ନ ବିଭାଗର ସଂପୃକ୍ତି ଉପରେ ଆଲୋକପାତ କରି ରାଜ୍ୟପାଳ କହିଥିଲେ ଯେ, “ଏକ ଉଚ୍ଚସ୍ତରୀୟ ଟାସ୍କ ଫୋର୍ସ ଗଠନ ହେଲେ ଉତ୍ତମ ସମନ୍ୱୟ, ମିଳିତ ଯୋଜନା ସହିତ କାର୍ଯ୍ୟାନ୍ୱୟନ ଫଳରେ ବିଭିନ୍ନ ସମସ୍ୟାର ସମାଧାନ ହୋଇପାରିବ।

ଜନଜାତି ପରାମର୍ଶଦାତା ପରିଷଦ, ଲଘୁ ଜଙ୍ଗଲଜାତ ଦ୍ରବ୍ୟ ପାଇଁ ମୂଲ୍ୟାୟନ ଏବଂ ବଜାର ସଂଯୋଗ, ଜାତୀୟ ଅନୁସୂଚିତ ଜନଜାତି କମିଶନ, ଜଙ୍ଗଲ ଅଧିକାର ଆଇନ୍‌, ପେସା ଆକ୍ଟ, ପଭିଟିଜି ସଶକ୍ତିକରଣ ଏବଂ ଜୀବିକା ଉନ୍ନତି ଅନ୍ତର୍ଗତ କାର୍ଯ୍ୟକ୍ରମ / ଯୋଜନାର ସ୍ଥିତି ଓ ଅଗ୍ରଗତି ସଂପର୍କରେ ସମୀକ୍ଷା କରିବା ସହିତ ପ୍ରଧାନମନ୍ତ୍ରୀ ଆଦି ଆଦର୍ଶ ଗ୍ରାମ ଯୋଜନା, ପିଏମ୍‌-ଜନମନ ଏବଂ ଧରତି ଆବା ଜନଜାତୀୟ ଗ୍ରାମ ଉତ୍କର୍ଷ ଅଭିଯାନ ଭଳି ପ୍ରମୁଖ ସରକାରୀ ଯୋଜନା ଗୁଡ଼ିକର କାର୍ଯ୍ୟକାରିତା ସମ୍ପର୍କରେ ସମୀକ୍ଷା କରିଥିଲେ।

ରାଜ୍ୟରେ ପେସା ଆକ୍ଟର କାର୍ଯ୍ୟକାରିତାକୁ ତ୍ୱରାନ୍ୱିତ କରିବା ଉପରେ ରାଜ୍ୟପାଳ ଗୁରୁତ୍ୱାରୋପ କରିଥିଲେ। ବିଧି ଅନୁଯାୟୀ ଜନଜାତି ପରାମର୍ଶ ଦାତା ପରିଷଦ ବୈଠକ ନିୟମିତ ଡକାଇବା ପାଇଁ ବିହିତ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଥିଲେ। ଯଥାସମୟରେ ବିଭାଗର ବାର୍ଷିକ ରିପୋର୍ଟ ଦାଖଲ, ପାଣ୍ଠି ବିନିଯୋଗରେ ଉନ୍ନତି ଆଣି ଶତ ପ୍ରତିଶତ ପାଣ୍ଠି ବିନିଯୋଗ କରିବା ପାଇଁ ଯତ୍ନବାନ ହୋଇ ବିହିତ ପଦକ୍ଷେପ ଗ୍ରହଣ କରିବାକୁ ସଂପୃକ୍ତ କତ୍ତୃପକ୍ଷଙ୍କୁ କହିଥିଲେ। ଜନଜାତି ଶିକ୍ଷା ସହିତ ଜଡିତ ପ୍ରସଙ୍ଗ, ଛାତ୍ର /ଛାତ୍ରୀ ନିବାସର ଭିତ୍ତିଭୂମି /ଛାତ୍ରବୃତ୍ତି, ଖାଲି ପଡ଼ିଥିବା ଶିକ୍ଷକ ପଦବୀ ପୂରଣ, ଦକ୍ଷତା ବିକାଶ କାର୍ଯ୍ୟକ୍ରମ, ଜନଜାତି ଅଧ୍ୟୁଷିତ ଅଂଚଳରେ ମୋବାଇଲ ଟାୱାର ନେଟୱାର୍କ ସଂପର୍କରେ ରାଜ୍ୟପାଳ ସମୀକ୍ଷା କରିବା ସହିତ କୋରାପୁଟ କଫି ପାଇଁ ବଜାର ସଂଯୋଗ ଏବଂ ଶିମିଳିପାଳ ଜୈବ ମଣ୍ଡଳର ସ୍ଥିତି ସଂପର୍କରେ ପଚାରି ବୁଝିଥିଲେ।

ଏହି ବୈଠକରେ ଗୃହ, ଜଙ୍ଗଲ, ପରିବେଶ ଏବଂ ଜୟବାୟୁ ପରିବର୍ତ୍ତନ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁ, ରାଜସ୍ୱ ଏବଂ ବିପର୍ଯ୍ୟୟ ପରିଚାଳନା ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଦେଓ ରଂଜନ କୁମାର ସିଂହ, ରାଜ୍ୟପାଳଙ୍କ ପ୍ରମୁଖ ଶାସନ ସଚିବ ଏନ୍‌ବିଏସ ରାଜପୁତ୍‌, ଅନୁସୂଚିତ ଜନଜାତି ଓ ଜାତି ଉନ୍ନୟନ, ସଂଖ୍ୟାଲଘୁ ଓ ପଛୁଆ ବର୍ଗ କଲ୍ୟାଣ ବିଭାଗର ପ୍ରମୁଖ ଶାସନ ସଚିବ ସଂଜୀବ କୁମାର ମିଶ୍ର, ନିର୍ଦ୍ଦେଶକ ଡା. ପୋମା ଟୁଡୁ, ଅତିରିକ୍ତ ସଚିବ ନାରାୟଣ ଚନ୍ଦ୍ର ଧଳ, ନିର୍ଦ୍ଦେଶକ ଲକ୍ଷଣ କୁମାର ମଲ୍ଲିକ, ପଂଚାୟତିରାଜ ଓ ପାନୀୟ ଜଳ ବିଭାଗର କମିଶନର ତଥା ଶାସନ ସଚିବ ଗିରିଶ ଏସ.ଏନ୍‌., ନିର୍ଦ୍ଦେଶକ ମହେଶ୍ୱର ସ୍ୱାଇଁ, ଏସ୍‌.ଆଇ.ଆର.ଡି ନିର୍ଦ୍ଦେଶକ ଏସ୍‌.କେ.ମୀନାଙ୍କ ସମେତ ବିଭାଗୀୟ ବରିଷ୍ଠ ଅଧିକାରୀ ଯୋଗଦେଇଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking