ଭୁବନେଶ୍ବର: ଆସନ୍ତାକାଲିଠୁ ରୁ ୨୭ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ୱରରେ ଆୟୋଜିତ ହେବ ଷଷ୍ଠ ‘ଓଡ଼ିଶା ଟ୍ରାଭେଲ ବଜାର- ୨୦୨୫’ । ଶିଳ୍ପ ସଂଘ ଫିକି ସହଭାଗିତାରେ ରାଜ୍ୟ ପର୍ଯ୍ୟଟନ ବିଭାଗ ପକ୍ଷରୁ ୨ଟି ଘରୋଇ ହୋଟେଲରେ ଅନୁଷ୍ଠିତ ହେବ ଏହି ଟ୍ରାଭେଲ ବଜାର । ସମ୍ମିଳନୀରେ ଅଂଶଗ୍ରହଣ ଦେଶ ତଥା ବିଦେଶର ବହୁ ଟ୍ରାଭେଲ ଓ ଟୁର ଅପରେଟର, ଇଭେଣ୍ଟ ମ୍ୟାନେଜମେଣ୍ଟ କମ୍ପାନୀ ସାମିଲ ହେବେ । ଆଜି ଭୁବନେଶ୍ଵରରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି ପର୍ଯ୍ୟଟନ ମନ୍ତ୍ରୀ ତଥା ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ରାଜ୍ୟରେ ଖୁବଶୀଘ୍ର ଆସିବ ସ୍ଵତନ୍ତ୍ର ୱେଡିଂ ଓଡ଼ିଶା ପଲିସି । ଏଥିରେ ରାଜ୍ୟରେ ଟେମ୍ପୁଲ ୱେଡ଼ିଂ, ଡେଷ୍ଟିନେସନ୍ ୱେଡ଼ିଂ ଆଦିକୁ ପ୍ରୋତ୍ସାହିତ କରିବା ଲାଗି ବହୁ ବ୍ୟବସ୍ଥା ରହିବ । ଭିତ୍ତିଭୂମି ବିକାଶ ହେବ । ଆଜି ଷଷ୍ଠ ଓଡ଼ିଶା ଟ୍ରାଭେଲ ବଜାର ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି ପର୍ଯ୍ୟଟନ ସଚିବ ବଲୱନ୍ତ ସିଂହ ଓ ପର୍ଯ୍ୟଟନ ମନ୍ତ୍ରୀ ପ୍ରଭାତୀ ପରିଡ଼ା।
ଉପମୁଖ୍ୟମନ୍ତ୍ରୀ କହିଛନ୍ତି, ” ଓଡ଼ିଶା ଟ୍ରାଭେଲ ବଜାର ୨୦୨୫’ ରେ ଅଷ୍ଟ୍ରେଲିଆ, ବ୍ରିଟେନ, ଜର୍ମାନୀ, ବେଲଜିୟମ, ଦକ୍ଷିଣ ଆଫ୍ରିକା, ସ୍ପେନ, ସିଙ୍ଗାପୁର ଭଳି ୧୭ଟି ରାଷ୍ଟ୍ରରୁ ୩୦ରୁ ଅଧିକ ବିଦେଶୀ ଟୁର୍ ଅପରେଟର ଓ ଭାରତର ୩୦ ସହରର ଶହେରୁ ଅଧିକ ଘରୋଇ ଟୁର ଅପରେଟର ଏଥିରେ ଭାଗ ନେବେ । ଓଡ଼ିଶାକୁ ଦେଶର ଏକ ସର୍ବଶ୍ରେଷ୍ଠ ଗନ୍ତବ୍ୟସ୍ଥଳି ଭାବେ ଉପସ୍ଥାପିତ କରିବା ଉଦ୍ଦେଶ୍ୟରେ ଏଥିରେ ରାଜ୍ୟରେ ଥିବା ପର୍ଯ୍ୟଟନ ସୁବିଧା ସୁଯୋଗ ଉପରେ ବିସ୍ତୃତ ଭାବେ ଆଲୋଚନା ହେବ । ଏହାସହ ବିଭିନ୍ନ ଅଂଶୀଦାରଙ୍କ ମଧ୍ୟରେ ବି ଟୁ ବି ଓ ବି ଟୁ ଜି ଆଲୋଚନା ମଧ୍ୟ ହେବ । ଟ୍ରାଭେଲ୍ ବଜାର ସମୟରେ ବିଭାଗ ହୋମ ଷ୍ଟେ ପଲିସି, ଆଡଭେଞ୍ଚର୍ ସ୍ପୋର୍ଟ ପଲିସି ଆଣିବ । ଏହାଦ୍ବାରା ରାଜ୍ୟରେ ବହୁ ଉଦ୍ୟୋଗୀ ସୃଷ୍ଟି ହେବା ସହ ଏହି କାର୍ଯ୍ୟକ୍ରମ ଏକ ଅଗ୍ରଣୀ ଆନ୍ତର୍ଜାତୀୟ ଭ୍ରମଣ ଗନ୍ତବ୍ୟସ୍ଥଳୀ ଭାବେ ଓଡିଶାର ସ୍ଥିତିକୁ ସୁଦୃଢ କରିବାକୁ ଲକ୍ଷ୍ୟ ରଖିଛି । ”










