16.1 C
Bhubaneswar
Saturday, December 20, 2025
Homeଦେଶ ବିଦେଶବାଂଲାଦେଶରେ ପୁଣି ହିଂସାକାଣ୍ଡ ଆରମ୍ଭ: ହସିନାଙ୍କ ପୈତୃକ ଘର ଜାଳିଦେଲେ ଉପଦ୍ରବକାରୀ

ବାଂଲାଦେଶରେ ପୁଣି ହିଂସାକାଣ୍ଡ ଆରମ୍ଭ: ହସିନାଙ୍କ ପୈତୃକ ଘର ଜାଳିଦେଲେ ଉପଦ୍ରବକାରୀ

ଢ଼ାକା: କିଛି ଦିନର ନିରବତା ପରେ ବାଂଲାଦେଶରେ ପୁଣି ଅଶାନ୍ତ ପରିବେଶ ସୃଷ୍ଟି ହୋଇଛି। ଦେଶର ବିଭିନ୍ନ ପ୍ରାନ୍ତରେ ପୋଡାଜଳା ସାଙ୍ଗକୁ ହିଂସକ ସ୍ଥିତି ଉତ୍ପନ୍ନ ହୋଇଛି। ତେବେ ଏସବୁ ମଧ୍ୟରେ ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ୍ ହସିନାଙ୍କ ଢ଼ାକା ସ୍ଥିତ ପୈତୃକ ବାସଭବନ (ଶେଖ୍ ମୁଜିବୁର ରେହମାନ୍ ଭବନ)କୁ ଭଙ୍ଗାରୁଜା କରିବା ସହ ନିଆଁ ଲଗାଇଦେଇଛନ୍ତି କିଛି ଉପଦ୍ରବକାରୀମାନେ। ଶେଖ୍ ହସିନା ବାଂଲାଦେଶୀ ନାଗରିକଙ୍କୁ ଅନ୍‌ଲାଇନ୍ ମାଧ୍ୟମରେ ସମ୍ବୋଧିତ କରୁଥିବା ବେଳେ ଏପରି କାଣ୍ଡ ଘଟିଥିବା ଜଣାପଡିଛି। ରିପୋର୍ଟ ଅନୁସାରେ ଶେଖ୍ ହସିନା ବୁଧବାର ରାତି ୯ଟା ସମୟରେ ଦେଶବାସୀଙ୍କ ଉଦ୍ଦେଶ୍ୟରେ ଭାଷଣ ଦେବା ମାତ୍ରେ ବାଂଲାଦେଶରେ ଯୋଜନାବଦ୍ଧ ହିଂସା ଆରମ୍ଭ ହୋଇଯାଇଥିଲା। ହଜାର ହଜାର ଲୋକ ସୋସିଆଲ ମିଡିଆରେ ବୁଲଡୋଜର ଶୋଭାଯାତ୍ରା ଡାକରା ଦେଇ ମୁଜିବୁର ଭବନକୁ ଘେରିଯାଇଥିଲେ। ଉପଦ୍ରବକାରୀମାନେ ଏଠାରେ ବ୍ୟାପକ ଭଙ୍ଗାରୁଜା କରିବା ପରେ ନିଆଁ ଲଗାଇଦେଇଥିଲେ। ତେବେ ଏସବୁ ଘଟଣାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ୍ ହେବା ପରେ ଏହା ଉପରେ ନିଜ ପ୍ରତିକ୍ରିୟା ରଖିଛନ୍ତି ଶେଖ୍ ହସିନା।

ଭିଡିଓ ସାମ୍ନାକୁ ଆସିବା ପରେ ଭାବପ୍ରବଣ ହୋଇପଡିଥିବା ହସିନା କହିଛନ୍ତି, ସେମାନେ ଏକ ନିର୍ମିତ କୋଠାକୁ ଭାଙ୍ଗିପାରିବେ କିନ୍ତୁ ଇତିହାସ ନୁହଁ। ସେମାନେ ଏହା ମଧ୍ୟ ମନେ ରଖିବା ଦରକାର ଯେ ଇତିହାସ ଏହାର ପ୍ରତିଶୋଧ ନେଇଥାଏ। ବାଂଲାଦେଶରେ ଏବେ ଯେଉଁ ଅନ୍ଧକାର ଘଟିଛି ତାହା ଦିନେ ଶେଷ ହେବ ଏବଂ ପୁଣିଥରେ ନୂଆ ସୂର୍ଯ୍ୟୋଦୟ ହେବ। ତେବେ ସେ ଏହି ପରିପ୍ରେକ୍ଷୀରେ ବାଂଲାଦେଶର ସ୍ୱାଧୀନତା ସଂଗ୍ରାମରେ ଐତିହାସିକ ଗୁରୁତ୍ୱ ବହନ କରୁଥିବା ୩୨ ଧାନମଣ୍ଡି ସ୍ଥିତ ବାସଭବନ ଉପରେ ଆକ୍ରମଣ ପଛରେ କ’ଣ ଉଦ୍ଦେଶ୍ୟ ବୋଲି ବାଂଲାଦେଶର ନୂଆ ତଥା ମହମ୍ମଦ ୟୁନୁସଙ୍କ ନେତୃତ୍ୱାଧୀନ ସରକାରକୁ ପ୍ରଶ୍ନ କରିଛନ୍ତି। ହସିନା କହିଛନ୍ତି, ସେ ବାଂଲାଦେଶର ଲୋକଙ୍କଠାରୁ ନ୍ୟାୟ ଚାହୁଁଛନ୍ତି। ସେ ଓ ତାଙ୍କ ପରିବାର କ’ଣ ଦେଶ ପାଇଁ କିଛି କରିନାହାନ୍ତି। ତେବେ ସେମାନଙ୍କୁ ଏତେ ଅସମ୍ମାନ କାହିଁକି କରାଯାଉଛି। ତାଙ୍କ ସ୍ମୃତିକୁ ମଧ୍ୟ ଆଜି ନଷ୍ଟ କରିଦିଆଯାଉଛି। ହସିନାଙ୍କ ବାପା ଶେଖ୍ ମୁଜିବୁର ରେହମାନ ବାଂଲାଦେଶ ମୁକ୍ତି ସଂଗ୍ରାମର ଅନ୍ୟତମ ପୁରୋଧା ଥିଲେ। ପରେ ସେ ବାଂଲାଦେଶର ପ୍ରଧାନମନ୍ତ୍ରୀ ତଥା ରାଷ୍ଟ୍ରପତି ପଦ ଅଳଙ୍କୃତ କରିଥିଲେ। କହି ରଖୁଛୁ ଯେ ତେବେ ବାଂଲାଦେଶ ସ୍ୱାଧୀନ ହେବାର କିଛି ବର୍ଷ ପରେ ଅର୍ଥାତ୍ ୧୯୭୫ରେ ଶେଖ୍ ମୁଜିବୁର ରେହମାନଙ୍କୁ ହତ୍ୟା କରାଯାଇଥିଲା। ପରେ ଢାକାରେ ତାଙ୍କ ବାସଭବନକୁ ଏକ ସ୍ମାରକୀ ସଂଗ୍ରହାଳୟରେ ପରିଣତ କରାଯାଇଥିଲା। ବାଂଲାଦେଶ ଗଠନ କ୍ଷେତ୍ରରେ ତାଙ୍କ ଅବଦାନକୁ ଦୃଷ୍ଟିରେ ରଖି ତାଙ୍କୁ ସମ୍ମାନ ପୂର୍ବକ ‘ବଙ୍ଗବନ୍ଧୁ’ ଉପାଧିରେ ସମ୍ମାନିତ କରାଯାଇଥିଲା।

ଦେଶରେ ଛାତ୍ର ଆନ୍ଦୋଳନ ତେଜିବା ପରେ ଶେଖ୍ ହସିନା ୨୦୨୪ ମସିହା ଅଗଷ୍ଟ ମାସରେ ତାଙ୍କ ଆୱାମୀ ଲିଗର ୧୬ ବର୍ଷର ଶାସନ ତଥା କ୍ଷମତାକୁ ଛାଡି ଭାରତ ଚାଲିଆସିଛନ୍ତି। ସେ ବାଂଲାଦେଶ ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେଇସାରିଛନ୍ତି। ସମ୍ପ୍ରତି ସେ ନିଜ ଭଉଣୀଙ୍କ ସହ ଭାରତରେ କେଉଁ ଏକ ଗୁପ୍ତ ସ୍ଥାନରେ ରହୁଛନ୍ତି। ଅନ୍ୟପକ୍ଷେ ମହମ୍ମଦ ୟୁନୁସ ଏବଂ ତାଙ୍କ ସରକାର ବାରମ୍ବାର ଭାରତକୁ ଶେଖ୍ ହସିନାଙ୍କୁ ବାଂଲାଦେଶ ପ୍ରତ୍ୟର୍ପଣ ପାଇଁ ଚାପ ପକାଇବାରେ ଲାଗିଛନ୍ତି। ଏହାକୁ ନେଇ ଦୁଇ ଦେଶ ଭାରତ-ବାଂଲାଦେଶ ମଧ୍ୟରେ କୂଟନୈତିକ ସମ୍ପର୍କ ମଧ୍ୟ ବେଶ୍ ଖରାପ ହେବାରେ ଲାଗିଛି। ଅନ୍ୟପକ୍ଷେ ପତନ କରି ଛାତ୍ର ନେତୃତ୍ୱାଧୀନ ଏକ ବିଶାଳ ପ୍ରତିବାଦ ପରେ ବାଂଲାଦେଶ ଛାଡି ଆସି ଭାରତରେ ରହୁଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking