ଢାକା: ଗତ ୪/୫ ମାସ ଧରି ବାଂଲାଦେଶରେ ଯାହାକିଛି ଘଟିଯାଇଛି ବା ବର୍ତ୍ତମାନ ସମୟରେ ଯାହାକିଛି ଘଟୁଛି ସେସବୁ ପଛରେ ନୋବେଲ ଶାନ୍ତି ପୁରସ୍କାର ବିଜେତା ତଥା ବାଂଲାଦେଶର ନୂଆ ଶାସକ ଭାବେ ନିଯୁକ୍ତ ମହମ୍ମଦ ୟୁନୁସ୍ଙ୍କର ହାତ ରହିଛି। ଏପରିକି ବାଂଲାଦେଶରେ ଦୀର୍ଘ ୨ ମାସ ଧରି ଚାଲିଥିବା ଆନ୍ଦୋଳନ ଏବଂ ଶେଖ ହସିନାଙ୍କ ସରକାରଙ୍କର ପତନ ଆଦି ଘଟଣାରେ ମଧ୍ୟ ୟୁନୁସ୍ଙ୍କ ଷଡଯନ୍ତ୍ର ରହିଛି। ଏଭଳି ଅଭିଯୋଗ ନିଜେ ଶେଖ୍ ହସିନା କରିଛନ୍ତି। ନିଜ ଦଳ ଆୱାମୀ ପାର୍ଟି ଲିଗ୍ର ଏକ ଭର୍ଚ୍ଚୁଆଲ କାର୍ଯ୍ୟକ୍ରମକୁ ହସିନା ସମ୍ବୋଧିତ କରିବା ଅବସରରେ କହିଛନ୍ତି ଯେ, ବାଂଲାଦେଶବାସୀ ଖୁବ୍ ଶାନ୍ତିପ୍ରିୟ। କିନ୍ତୁ ସେମାନଙ୍କୁ ସରକାର, ଦେଶର ଆଇନ୍ କାନୁନ ଏବଂ ପ୍ରଶାସନ ବିରୋଧରେ ବାରମ୍ବାର ଭଡକାଇବାକୁ ଚେଷ୍ଟା କରାଯାଇଥିଲା। ସଂରକ୍ଷଣକୁ କେନ୍ଦ୍ର କରି ତାଙ୍କ ସରକାରଙ୍କ ବିରୋଧରେ ଦେଶରେ ଯେଉଁ ଆନ୍ଦୋଳନ ସୃଷ୍ଟି ହୋଇଥିଲା ସେଥିପାଇଁ କେବଳ ଜଣେ ବ୍ୟକ୍ତି ହିଁ ଦାୟୀ। ସେ ହେଉଛନ୍ତି ମହମ୍ମଦ ୟୁନୁସ।
ୟୁନୁସ୍ ହିଁ ଦେଶରେ ଏପ୍ରକାର ଏକ ବଡ଼ ଧରଣର ଆନ୍ଦୋଳନ ପାଇଁ ଷଡଯନ୍ତ୍ର କରିଥିଲେ ଏବଂ ଜନସାଧାରଣଙ୍କୁ ତାଙ୍କ ସରକାରଙ୍କ ବିରୋଧରେ ଉସୁକାଇଥିଲେ। ୟୁନୁସ୍ ତାଙ୍କୁ (ଶେଖ ହସିନା) ବାଂଲାଦେଶର ପ୍ରଧାନମନ୍ତ୍ରୀ ପଦରୁ ହଟାଇବା ପାଇଁ ପ୍ଲାନ୍ ଏ-ବି- ଏବଂ ସି’କୁ ପ୍ରସ୍ତୁତ କରିଥିଲେ। ସୁପ୍ରିମକୋର୍ଟଙ୍କ ହସ୍ତକ୍ଷେପ ସତ୍ତ୍ୱେ ଦେଶରେ ସଂରକ୍ଷଣ ବିରୋଧୀ ଆନ୍ଦୋଳନ ହିଂସାତ୍ମକ ରୂପ ନେଇଥିଲା। ଏପରିକି ଛାତ୍ରମାନଙ୍କ ସମସ୍ତ ଦାବିକୁ ମଧ୍ୟ ତାଙ୍କ ସରକାର ସ୍ୱୀକାର କରିବା ପରେ ମଧ୍ୟ ସେମାନଙ୍କ ଆନ୍ଦୋଳନ ଜାରି ରହିଥିଲା। ତାଙ୍କୁ ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେବାକୁ ପଡ଼ିଥିଲା ଏବଂ ଦେଶ ଛାଡିବାକୁ ତାଙ୍କୁ ବାଧ୍ୟ କରାଯାଇଥିଲା। ଶେଖ୍ ହସିନା ଗତ ଅଗଷ୍ଟ ମାସରେ ଭାରତ ଚାଲିଆସିବା ପରଠାରୁ ବାଂଲାଦେଶରେ ଅବସ୍ଥା କ୍ରମାଗତ ଭାବେ ବଦଳୁଛି। ଦେଶର ସାମ୍ପ୍ରତିକ ପରିସ୍ଥିତି ଖରାପ ହେବାରେ ଲାଗିଛି। ଆୱାମୀ ଲିଗ୍ ସରକାରଙ୍କୁ ବହିଷ୍କାର କରିବା ପରେ ସେନା ମଧ୍ୟବର୍ତ୍ତୀକାଳୀନ ସରକାର ଗଠନ କରି ନୋବେଲ ବିଜେତା ମହମ୍ମଦ ୟୁନୁସଙ୍କୁ ଏହାର ମୁଖ୍ୟ କରିଥିଲେ।










