ଇମ୍ଫାଲ: ନିଜ ସମ୍ପ୍ରଦାୟର ୬ଜଣ (୩ ମହିଳା ଓ ୩ ଶିଶୁ)ଙ୍କୁ ଅପହରଣ କରିନିଆଯିବା ଏବଂ ୫ ଦିନ ମଧ୍ୟରେ ସମସ୍ତଙ୍କ ମୃତଦେହ ଉଦ୍ଧାର ହେବା ଘଟଣାକୁ ନେଇ ମଣିପୁରର ଅନ୍ୟତମ କୁଖ୍ୟାତ ତଥା ସଶସ୍ତ୍ର ଗୋଷ୍ଠୀ ମୈତେଇ ସମ୍ପ୍ରଦାୟ ଏବେ ମାତ୍ରାଧିକ ପ୍ରତିଶୋଧ ପରାୟଣ ହୋଇପଡିଛି। ମୈତେଇ ଗୋଷ୍ଠୀଙ୍କ ବିରୋଧୀ ଗୋଷ୍ଠୀ ଭାବେ ପରିଚିତ କୁକି ସମ୍ପ୍ରଦାୟ ପକ୍ଷରୁ ଏହି ହତ୍ୟାକାଣ୍ଡ ଭିଆଯାଇଛି। ତେବେ ଏହାକୁ ନେଇ ସମ୍ପୂର୍ଣ୍ଣ ମଣିପୁର ଅଶାନ୍ତ ହୋଇପଡିଛି। ଏହି ଘଟଣା ପରେ ବିଶେଷକରି ଜିରିବାମରେ ହିଂସା ଅଣାୟତ୍ତ ହୋଇଛି। ଏଥିପାଇଁ ସରକାର ପାଞ୍ଚଟି ଜିଲ୍ଲାରେ ଅନିର୍ଦ୍ଦିଷ୍ଟ କାଳ ପାଇଁ କର୍ଫ୍ୟୁ ଲାଗୁ କରାଯାଇଛି। ରାଜ୍ୟର ୭ଜିଲ୍ଲାରେ ଇଣ୍ଟରନେଟ୍ ସେବାକୁ ସ୍ଥଗିତ ରଖାଯାଇଛି। ଇମ୍ଫାଲ ପଶ୍ଚିମ, ଇମ୍ଫାଲ ପୂର୍ବ, ବିଷ୍ଣୁପୁର, ଥୋବାଲ୍, କାକଚିଙ୍ଗ, କୋଙ୍ଗପୋକପି ଏବଂ ଚୁଡ଼ାଚାନ୍ଦପୁର ଜିଲ୍ଲାରେ ୨ ଦିନ ପାଇଁ ଇଣ୍ଟରନେଟ୍ ବନ୍ଦ ରହିଛି। କେବଳ ସେତିକି ନୁହେଁ ପରିସ୍ଥିତିକୁ ଦୃଷ୍ଟିରେ ରଖି ମଣିପୁରର ୬ଟି ଥାନା ଅଞ୍ଚଳରେ କେନ୍ଦ୍ର ସରକାର ସଶସ୍ତ୍ର ବାହିନୀ ସ୍ୱତନ୍ତ୍ର କ୍ଷମତା ଅଫ୍ସ୍ପା ଆଇନକୁ ପୁନଃ ଲାଗୁ କରିଛନ୍ତି।
ରିପୋର୍ଟ ଅନୁସାରେ ରବିବାର ମୈତେଇ ନାଗରିକ ଅଧିକାରୀ ସମାଜ ଗୋଷ୍ଠୀ ତଥା ମଣିପୁର ଅଖଣ୍ଡତାର ସମନ୍ୱୟ କମିଟିର ମୁଖପାତ୍ର ଖୁରୈଜମ୍ ଅଥୌବ ରାଜ୍ୟ ସରକାରଙ୍କୁ ୨୪ ଘଣ୍ଟିଆ ଅଲ୍ଟିମେଟମ୍ ଦିଆଯାଇଛି। ଏହି ସମୟ ସୁଦ୍ଧା ଅନ୍ୟତମ ସଶସ୍ତ୍ର ତଥା ବିରୋଧୀ ଗୋଷ୍ଠୀ କୁକି ଗୋଷ୍ଠୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଗଲେ ପରିସ୍ଥିତି ଭୟାବହ ହେବ ବୋଲି ମୈତେଇ ଗୋଷ୍ଠୀ ଚେତାବନୀ ଦେଇଛି। ସେହିପରି ଖୁରୈଜମ୍ କହିଛନ୍ତି, ଏହି ସମସ୍ୟାର ଶୀଘ୍ର ସମାଧାନ ପାଇଁ ରାଜ୍ୟ ତଥା ସମସ୍ତ ବିଧାୟକ ଏକାଠି ହୋଇ କିଛି ନିର୍ଣ୍ଣାୟକ ପଦକ୍ଷେପ ନେବା ଉଚିତ୍। ଯଦି ମଣିପୁରର ଲୋକମାନଙ୍କୁ ସନ୍ତୁଷ୍ଟ କରିବା ପାଇଁ କୌଣସି ନିଷ୍ପତ୍ତି ନିଆନଯାଏ ତେବେ ସେମାନଙ୍କୁ ଲୋକଙ୍କ ଅସନ୍ତୋଷର ଶିକାର ହେବାକୁ ପଡ଼ିବ।
ଗତକାଲି ରାଜ୍ୟ ସରକାରଙ୍କ ମନ୍ତ୍ରିମଣ୍ଡଳରେ ଥିବା ୩ ମନ୍ତ୍ରୀ ଏବଂ ୬ ବିଧାୟକଙ୍କ ଘର ଉପରେ ମଧ୍ୟ ଆକ୍ରମଣ କରାଯାଇଥିଲା। ଏପରିକି ମୁଖ୍ୟମନ୍ତ୍ରୀ ବିରେନ୍ ସିଂହ ଏବଂ ତାଙ୍କ ବିଧାୟକ ଜ୍ୱାଇଁଙ୍କ ଘର ଉପରକୁ ମଧ୍ୟ ଆକ୍ରମଣ କରାଯାଇଥିଲା। ତେବେ ଆଜି ମୈତେଇ ଗୋଷ୍ଠୀ ପକ୍ଷରୁ ରାଜ୍ୟ ସରକାରଙ୍କ ଉଦ୍ଦେଶ୍ୟରେ ଏପ୍ରକାର ଅଲ୍ଟିମେଟମ୍ ଦିଆଯାଇଛି। ସୂଚନାଯୋଗ୍ୟ, ଶନିବାର ସନ୍ଧ୍ୟାରେ ଏକାଧିକ ଉଗ୍ରବଦୀ ମୁଖ୍ୟମନ୍ତ୍ରୀ ବିରେନ ସିଂହଙ୍କ ଘରେ ପଶିବାକୁ ଉଦ୍ୟମ କରିଥିଲେ। ହେଲେ ସେଠାରେ ମୁତୟନ ସୁରକ୍ଷାକମୀ ସେମାନଙ୍କୁ ଅଟକା ଦେଇଥିଲେ। ଲୁହ ବୁହା ଗ୍ୟାସ ପ୍ରୟୋଗ କରିବା ସହ ଫାଙ୍କା ଗୁଳିଚାଳନା କରିଥିଲେ। ଏହାପରେ ସେମାନେ ଛତ୍ରଭଙ୍ଗ ଦେଇଥିଲେ। ଜିରିବାମ୍ ଘଟଣାକୁ ନେଇ ଏବେ ରାଜ୍ୟର ଅଧିକାଂଶ ପ୍ରାନ୍ତରେ ବ୍ୟାପକ ପୋଡାଜଳା ଜାରି ରହିଛି। ଏହି ନୃଶଂସ ଘଟଣା ପରେ ଉତ୍ତ୍ୟକ୍ତ ସ୍ଥାନୀୟ ଲୋକେ ରାଜରାସ୍ତାକୁ ଓହ୍ଲାଇ ଲଗାତାର ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି।