ଭୁବନେଶ୍ବର: ୧୯୩୬ରୁ ଭାରତୀୟ ସିନେମାକୁ ସମୃଦ୍ଧ କରିଛି ଓଡ଼ିଆ ଚଳଚ୍ଚିତ୍ର। ରାଜ୍ୟର ଦୂରଦୃଷ୍ଟି ସଂପନ୍ନ କଳାକାର ଓ ଟେକ୍ନିସିଆନ୍ ଯୋଗୁଁ ଏହା ସମ୍ଭବ ହୋଇପାରିଛି। ଓଡ଼ିଆ ସିନେମା କେବଳ ମନୋରଞ୍ଜନ ଦେଇ ନାହିଁ ବରଂ ସମାଜକୁ ଶିକ୍ଷିତ ଏକଜୁଟ୍ ଓ ସଶକ୍ତ କରିଛି। ତେଣୁ ରାଜ୍ୟ ସରକାର ଓଡ଼ିଆ ସିନେମା ନିର୍ମାଣ ପାଇଁ ସବ୍ସିଡି ପ୍ରଦାନ କରନ୍ତୁ। କାରଣ ଓଡ଼ିଆ ସିନେମା ଭାଷା ସଂସ୍କୃତିକୁ ସୁଦୃଢ଼ କରିବା ସହ ଅନେକ କଳାକାରଙ୍କୁ ରୋଜଗାର ମଧ୍ୟ ଦେଉଛି। ଆଜି ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ମେ ଫେୟାରଠାରେ ଆୟୋଜିତ ୩୨, ୩୩ ଓ ୩୪ ତମ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ପ୍ରଦାନ ଉତ୍ସବକୁ ଉଦ୍ଘାଟନ କରି ଏହା କହିଛନ୍ତି ରାଜ୍ୟପାଳ ରଘୁବର ଦାସ।