27.1 C
Bhubaneswar
Wednesday, March 25, 2026
Homeଦେଶ ବିଦେଶବ୍ୟାରିକେଡ୍ ଭାଙ୍ଗିଲେ ଆଶାୟୀ ଛାତ୍ରଛାତ୍ରୀ; ୪ର୍ଥ ଦିନରେ ମୁଣ୍ଡ ନୁଆଁଇଲା ୟୁପିପିଏସ୍‌ସି

ବ୍ୟାରିକେଡ୍ ଭାଙ୍ଗିଲେ ଆଶାୟୀ ଛାତ୍ରଛାତ୍ରୀ; ୪ର୍ଥ ଦିନରେ ମୁଣ୍ଡ ନୁଆଁଇଲା ୟୁପିପିଏସ୍‌ସି

ଲକ୍ଷ୍ନୌ: ଶେଷରେ ଛାତ୍ରଛାତ୍ରୀଙ୍କ ଦାବି ସମ୍ମୁଖରେ ଉତ୍ତରପ୍ରଦେଶ ଲୋକସେବା ଆୟୋଗ (ୟୁପିପିଏସ୍‌ସି)କୁ ନତମସ୍ତକ ହେବାକୁ ପଡ଼ିଛି। ପିଲାମାନଙ୍କ ଦାବିକୁ ମାନିବାକୁ ବାଧ୍ୟ ହୋଇଛି ରାଜ୍ୟ ଲୋକସେବା ଆୟୋଗ। ପରୀକ୍ଷାଗୁଡ଼ିକୁ ଗୋଟିଏ ତାରିଖ ଏବଂ ଗୋଟିଏ ସିଫ୍ଟରେ ହିଁ ଆୟୋଜନ କରିବାକୁ ଆଶାୟୀମାନେ କରୁଥିବା ଦାବିରେ ଆୟୋଗ ସହମତି ପ୍ରକାଶ କରିଛି। ଏଥିସହ ଆଗକୁ (ଡିସେମ୍ବରରେ) ଅନୁଷ୍ଠିତ ହେବାକୁ ଥିବା (ତାରିଖ ନିର୍ଦ୍ଧାରିତ ହୋଇସାରିଥିବା) ପ୍ରତିଯୋଗିତା ମୂଳକ ପରୀକ୍ଷା ଆରଓ (ରିଭ୍ୟୁ ଅଫିସର) ଏବଂ ଏଆରଓ (ଆସିଷ୍ଟାଣ୍ଟ ରିଭ୍ୟୁ ଅଫିସର)କୁ ସ୍ଥଗିତ ରଖିଛି ଆୟୋଗ।
ଗତ ୪ଦିନ ଧରି ପ୍ରୟାଗରାଜ ସ୍ଥିତ ୟୁପିପିଏସ୍‌ସି ଅଫିସ୍ ସମ୍ମୁଖରେ ଛାତ୍ରଛାତ୍ରୀମାନେ ନିଜ ଦାବିରେ ଅଡିବସିବା ସହ ଧାରଣା ପୂର୍ବକ ବିକ୍ଷୋଭ ପ୍ରଦର୍ଶନ କରିଆସୁଥିଲେ। ତେବେ ଆଜି ୪ର୍ଥ ଦିନରେ ରାଜ୍ୟ ସରକାରଙ୍କ ପରାମର୍ଶ କ୍ରମେ ୟୁପିପିଏସ୍‌ସି ପକ୍ଷରୁ ଛାତ୍ରଛାତ୍ରୀମାନଙ୍କ ଦାବି ସ୍ୱୀକାର କରାଯାଇଥିବା ସ୍ପଷ୍ଟ କରାଯାଇଛି। ୟୁପିପିଏସ୍‌ସି ସଚିବ ଅଶୋକ କୁମାର, ବିକ୍ଷୋଭକାରୀ ଛାତ୍ରଛାତ୍ରୀମାନଙ୍କ ଗହଣକୁ ଯାଇଛନ୍ତି ଏବଂ ସେମାନଙ୍କୁ ଆଶ୍ୱସ୍ତ କରିବା ପୂର୍ବକ ଘୋଷଣା କରି କହିଛନ୍ତି ଯେ, ୟୁପିପିଏସ୍‌ସି ଆଶାୟୀଙ୍କ ଦାବିକୁ ଦୃଷ୍ଟିରେ ପିସିଏସ୍ (ପ୍ରୋଭିନ୍‌ସିଆଲ୍ ସିଭିଲ୍ ସର୍ଭିସେସ୍‌) ପରୀକ୍ଷାକୁ କେବଳ ଗୋଟିଏ ସିଫ୍ଟରେ ହିଁ ଆୟୋଜନ କରାଯିବ ବୋଲି ନିଷ୍ପତ୍ତି ନିଆଯାଇଛି। ସେହିପରି ଆରଓ ଏବଂ ଏଆରଓ ପରୀକ୍ଷାକୁ ବର୍ତ୍ତମାନ ସମୟ ପାଇଁ ସ୍ଥଗିତ ରଖାଯାଉଛି। ତେବେ ଏହି ପରୀକ୍ଷା ଆୟୋଜନ ପାଇଁ ଏକ କମିଟି ଗଠନ କରାଯାଇଛି। କମିଟି ସବୁଦିଗରୁ ବିଚାରବିମର୍ଶ କରିବା ପରେ ଯେଉଁ ରିପୋର୍ଟ ଦାଖଲ କରିବ ତଦନୁସାରେ ପରୀକ୍ଷା ଆୟୋଜନ କରାଯିବ।
ନିକଟରେ ୟୁପିପିଏସ୍‌ସି ପକ୍ଷରୁ ରିଭ୍ୟୁ ଅଫିସର ଏବଂ ଆସିଷ୍ଟାଣ୍ଟ ରିଭ୍ୟୁ ଅଫିସର (ଆରଓ-ଏଆରଓ) ପରୀକ୍ଷା ସହ ପିସିଏସ୍ ପରୀକ୍ଷାକୁ ମଧ୍ୟ ବିଭିନ୍ନ ତାରିଖରେ ଏବଂ ଏକାଧିକ ସିଫ୍ଟରେ ଆୟୋଜନ କରାଯିବା ଉପରେ ବିଚାର କରାଯାଉଥିବା ନେଇ ସୂଚନା ଦିଆଯାଇଥିଲା। ତେବେ ଆୟୋଗର ଏପ୍ରକାର ସୂଚନାକୁ ନେଇ ଗତ ସୋମବାର (୧୧ ତାରିଖ) ଠାରୁ ୟୁପିପିଏସ୍‌ସି ଆଶାୟୀମାନେ ଆନ୍ଦୋଳନକୁ ଓହ୍ଲାଇଥିଲେ ଏବଂ ଆଜି ପର୍ଯ୍ୟନ୍ତ ୟୁପିପିଏସ୍‌ସି କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଆସୁଥିଲେ। ତେବେ ଆଜି ୟୁପିପିଏସ୍‌ସି ପକ୍ଷରୁ ପିସିଏସ୍ (ପ୍ରୋଭିନ୍‌ସିଆଲ୍ ସିଭିଲ୍ ସର୍ଭିସେସ୍‌) ପରୀକ୍ଷାକୁ କେବଳ ଗୋଟିଏ ସିଫ୍ଟରେ ହିଁ ଆୟୋଜନ କରାଯିବା ନେଇ ସ୍ପଷ୍ଟ କରାଯିବା ପରେ ଛାତ୍ରଛାତ୍ରୀମାନେ ସାମାନ୍ୟ ଆଶ୍ୱସ୍ତ ହୋଇଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking