28.3 C
Bhubaneswar
Friday, June 26, 2026
Homeଓଡିଶାସମ୍ବିଧାନର ଆତ୍ମାକୁ ଦଳିଚକଟି ଜରୁରୀକାଳିନ ପରିସ୍ଥିତି ଲଦି ଦେଇଥିଲା କଂଗ୍ରେସ : ବିଜେପି

ସମ୍ବିଧାନର ଆତ୍ମାକୁ ଦଳିଚକଟି ଜରୁରୀକାଳିନ ପରିସ୍ଥିତି ଲଦି ଦେଇଥିଲା କଂଗ୍ରେସ : ବିଜେପି

ଭୁବନେଶ୍ୱର: ସମ୍ବିଧାନ ହତ୍ୟା ଦିବସ ଭାରତୀୟ ଗଣତନ୍ତ୍ରର ଏକ କଳା ଅଧ୍ୟାୟ । ଦେଶରେ ଗଣତନ୍ତ୍ର ଓ ସମ୍ବିଧାନକୁ କଂଗ୍ରେସ ବାରମ୍ବାର ହତ୍ୟା କରିବାକୁ ଚେଷ୍ଟା କରିଛି । ୫୧ ବର୍ଷ ପୂବେ କଂଗ୍ରେସ ପକ୍ଷରୁ ଲଗାଯାଇଥିବା ଜରୁରୀକାଳୀନ ପରସ୍ଥିତି ହେଉଛି ଏହାର ପ୍ରମୁଖ ଉଦାହରଣ । ତତ୍‌କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ୧୯୭୫ମସିହା ଜୁନ୍‌୨୫ ମଧ୍ୟରାତ୍ରିରେ ଭାରତରେ ପ୍ରଥମଥର ପାଇଁ ଜରୁରୀକାଳିନ ପରିସ୍ଥିତି ଘୋଷଣା କରିଥିଲେ । ୧୯୭୧ ମସିହା ସାଧାରଣ ନିର୍ବାଚନରେ ସେ ସରକାରୀକଳର ଅପବ୍ୟବହାର କରି ତାଙ୍କ ପ୍ରତିଦ୍ୱନ୍ଦ୍ୱୀ ରାଜ ନାରାୟଣଙ୍କୁ ପରାସ୍ତ କରିଥିଲେ ବୋଲି ଉଲ୍ଲେଖ କରି ଆହ୍ଲାବାଦ ହାଇକୋର୍ଟ ତାଙ୍କ ସଭ୍ୟପଦ ନାକଚ କରିଥିଲେ । ଏହି ସମୟରେ ନିଜକୁ ପ୍ରଧାନମନ୍ତ୍ରୀ ପଦରେ ବେଆଇନ ଭାବେ କାର୍ଯ୍ୟ କରିବା ପାଇଁ ଶ୍ରୀମତୀ ଗାନ୍ଧୀ ଅସାମ୍ବିଧାନିକ ଭାବେ ୩୫୬ ଧାରାର ପ୍ରୟୋଗ କରି ୧୯୭୫ରେ ଜରୁରିକାଳୀନ ପରିସ୍ଥିତ ଘୋଷଣା କରିଥିଲେ । ୨୧ମାସ ଧରି ୧୯୭୭ ମାର୍ଚ୍ଚ ପର୍ଯ୍ୟନ୍ତ କଂଗ୍ରେସ ସରକାର ଭାରତରେ ସ୍ୱେଚ୍ଛାଚାରୀ ଶାସନ ଚଳାଇ ସମ୍ବିଧାନର ମୁଖବନ୍ଧକୁ ପରିବର୍ତନ କରିଦେଇଥିଲା । ଏହି ସମୟରେ ସମ୍ବିଧାନରେ ଉଲ୍ଲେଖ ଥିବା ବ୍ୟକ୍ତିର ସ୍ୱାଧୀନତା, ଗଣମାଧ୍ୟମର ସ୍ୱାଧୀନତା, ନ୍ୟାୟପାଳିକାର ସ୍ୱତନ୍ତ୍ରତା ସମେତ ମୌଳିକ ଅଧିକାରକୁ ହତ୍ୟା କରି ଅଗଣତାନ୍ତ୍ରିକ ଭାବେ ଶାସନ କ୍ଷମତାକୁ ଅକ୍ତିଆର କରିବାର ପ୍ରୟାସ କରାଯାଇଥିଲା । ବିଶେଷ ଭାବେ ଗଣମାଧ୍ୟମ ଓ ଛାତ୍ର ଆନ୍ଦୋଳନକୁ ଅଗଣତାନ୍ତ୍ରିକ ଭାବେ ଦମନ କରାଯାଇଥିଲା । ଏହି ଜରୁରୀକାଳିନ ପରିସ୍ଥିତିକୁ ବିରୋଧ କରୁଥିବା ୩ଲକ୍ଷରୁ ଊର୍ଦ୍ଧ୍ୱ ଲୋକଙ୍କୁ ଅଣକଂଗ୍ରେସ ରାଜନୈତିକ ଦଳର ନେତୃବୃନ୍ଦ, ସତ୍ୟାଗ୍ରହୀ, ବୁଦ୍ଧିଜୀବୀ ଏବଂ ପତ୍ରକାରମାନଙ୍କୁ “ମିଶା ଆଇନ” ବଳରେ ଜୋର ଜବରଦସ୍ତ ଜେଲରେ ଭର୍ତି କରାଯାଇଥିଲା । ଜୟପ୍ରକାଶ ନାରାୟଣଙ୍କ ସମେତ ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ୱର୍ଗତଃ ଅଟଳ ବିହାରୀ ବାଜପେୟୀ, ଲାଲକୃଷ୍ଣ ଆଡଭାନୀ, ମୋରାଜୀ ଦେଶାଇ, ଜର୍ଜ ଫର୍ଣ୍ଣାଣ୍ଡେଜ, ଚୌଧୁରୀ ଚରଣ ସିଂହ, ବିଜୟାରାଜେ ସିନ୍ଧିଆ, ଅଶ୍ୱିନୀ ଚୌବେ, ଅରୁଣ ଜେଟଲୀ ପ୍ରମୁଖ କାରାବାରଣ କରିଥିଲେ । ସେହିପରି ଓଡିଶାରେ ମଧ୍ୟ ଡ. ହରେକୃଷ୍ଣ ମହତାବ, ବିଜୁ ପଟ୍ଟନାୟକ, ନବକୃଷ୍ଣ ଚୌଧୁରୀ, ରବି ରାୟ ପ୍ରମୁଖଙ୍କ ସମେତ ୧୨୦୦ରୁ ଉର୍ଦ୍ଧ୍ୱ ସତ୍ୟାଗ୍ରହୀ ଏବଂ ୩୦୦ରୁ ଊର୍ଦ୍ଧ୍ୱ ଛାତ୍ର, ଯୁବ ଓ ରାଜନେତାଙ୍କୁୁ ଗିରଫ କରାଯାଇ ଜେଲରେ ଭର୍ତି କରିଦିଆଯାଇଥିଲା । ଦେଶର ନିର୍ଦ୍ଦିଷ୍ଟ ଗୋଟିଏ ପରିବାର ଶାସନ କ୍ଷମତାରେ ରହିବା ପାଇଁ ଦେଶର କୋଟି କୋଟି ଲୋକଙ୍କ ସାମ୍ବିଧାନିକ ଅଧିକାରକୁ ଜଳାଞ୍ଜଳି ଦିଆଯାଇଥିଲା । ସମ୍ବିଧାନର ଆତ୍ମାକୁ ଦଳିଚକଟି ଦେଶବାସୀଙ୍କ ଉପରେ ଜରୁରୀକାଳିନ ପରିସ୍ଥିତି ଲଦି ଦିଆଯାଇ ନାଗରିକମାନଙ୍କ ମୈାଳିକ ଅଧିକାରକୁ ଛଡାଇ ନିଆଯାଇଥିଲା । ସାରା ଦେଶକୁ ଭୟ ଓ ଦମନର ଅନ୍ଧକାର ଭିତରକୁ ଠେଲି ଦିଆଯାଇଥିଲା । ସମ୍ବିଧାନକୁ ହତ୍ୟା କରିଥିବା ପାପୀମାନେ ଏବେ ସମ୍ବିଧାନ ରକ୍ଷାର ଫମ୍ପା ସ୍ଳୋଗାନ ଦେଉଛନ୍ତି । ସ୍ୱାଧିନତା ପରବର୍ତୀ ଭାରତ ବର୍ଷର ଇତିହାସରେ ଜରୁରୀକାଳିନ ପରିସ୍ଥିତ ଏକ “ଅଲିଭା କଳାଦାଗ” ବୋଲି ରାଜ୍ୟ ପ୍ରଭାରୀ ଶ୍ରୀ ବିଜୟପାଲ ସିଂ ତୋମାର କହିଛନ୍ତି । ନିଜ ଦଳର ଅଭ୍ୟନ୍ତରୀଣ ଗଣତନ୍ତ୍ରକୁ ହତ୍ୟା କରିଥିବା ଏବଂ ପରିବାରବାଦ୍ ରାଜନୀତିରେ ବିଶ୍ୱାସ କରୁଥିବା ଆଜି କିଛି ରାଜନୈତିକ ଦଳ ଗଣତନ୍ତ୍ରକୁ ହତ୍ୟା କରିଥିବା ସେହି କଂଗ୍ରେସ ଦଳ ସହ ହାତ ମିଶାଇଛନ୍ତି । ଅତୀତର ଭୁଲ ପାଇଁ କଂଗ୍ରେସ ଦଳ ଏପର୍ଯ୍ୟନ୍ତ କ୍ଷମା ପ୍ରାର୍ଥନା କରି ନଥିବାବେଳେ ନିଜ ସ୍ୱାର୍ଥ ହାସଲ ପାଇଁ ହୀନ ରାଜନୀତି କରିବାକୁ ଆରମ୍ଭ କରିଦେଇଛି । ଏତେ ବର୍ଷ ପରେ ବି କଂଗ୍ରେସ ଦଳରେ କୌଣସି ସୁଧାର ଆସିନାହିଁ, ଯେଉଁଥିପାଇଁ ଏହି ଦଳକୁ ଲୋକେ ଆଜି ପ୍ରତ୍ୟାଖ୍ୟାନ କରିଦେଇଛନ୍ତି । ଓଡ଼ିଶା ଓ ଓଡ଼ିଆ ବିରୋଧି ବୋଲି କଂଗ୍ରେସ ଦଳ ବହୁ ଥର ପ୍ରମାଣିତ ହୋଇସାରିଛି ବୋଲି ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ସଦସ୍ୟ ତଥା ପୂର୍ବତନ ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତି କହିଛନ୍ତି ।

ଗଣତନ୍ତ୍ରର ମୂଲ୍ୟବୋଧକୁ ଯୁବପିଢୀମାନଙ୍କ ଭିତରେ ଉଜ୍ଜିବୀତ ରଖିବା ପାଇଁ ବିଜେପି ପକ୍ଷରୁ ପ୍ରତିବର୍ଷ ଆଜିର ଏହି ଦିନକୁ “ସମ୍ବିଧାନ ହତ୍ୟା ଦିବସ ବା କଳା ଦିବସ” ଭାବେ ପାଳନ କରାଯାଉଛି । ଆଜି ଭୁବନେଶ୍ୱରରେ ଆୟୋଜିତ “ସମ୍ବିଧାନ ହତ୍ୟା ଦିବସ” କାର୍ଯ୍ୟକ୍ରମରେ ଜିଲ୍ଲା ସଭାପତି ନିରଞ୍ଜନ ମିଶ୍ର ଅଧ୍ୟକ୍ଷତା କରିଥିଲେ । ମୁଖ୍ୟ ଅତିଥିଭାବେ ଶ୍ରୀ ବିଜୟପାଲ ସିଂ ତୋମାର, ସମ୍ମାନିତ ଅତିଥିଭାବେ ପୂର୍ବତନ ମନ୍ତ୍ରୀ ଶ୍ରୀ ଅରବିନ୍ଦ ଢାଲି, ରାଜ୍ୟ ସାଧାରଣ ସଂପାଦକ ଶାରଦା ପ୍ରସାଦ ଶତପଥୀ, ରାଜ୍ୟ ସଂପାଦକ ଶ୍ରୀ ସରୋଜ କର, ରାଜ୍ୟ ସଂପାଦିକା ଡ. ପ୍ରିତୀ ପ୍ରତିଭା ଭୋଳ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଶ୍ରୀ ଜଗନ୍ନାଥ ପ୍ରଧାନ, ପ୍ରିୟଦର୍ଶୀ ମିଶ୍ର, ମୁଖ୍ୟବକ୍ତା ଭାବେ ପୂର୍ବତନ ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତି, ବରିଷ୍ଠ ନେତା ଶ୍ରୀ ଭୂବନାନନ୍ଦ ତ୍ରିପାଠୀ ଯୋଗଦେଇଥିଲେ । ସୁସ୍ଥ ଗଣତନ୍ତ୍ର ପାଇଁ ଗଣମାଧ୍ୟମର ଭୂମିକା ଅନେକ ରହିଛି । ସେହିପରି ରାଜନୈତିକ ଦଳ ଏବଂ ଗଣମାଧ୍ୟମର ଭୂମିକା ମଧ୍ୟ ନିହାତି ମହତ୍ୱପୂର୍ଣ୍ଣ । ଜରୁରୀକାଳିନ ପରିସ୍ଥିତି ସମୟରେ ସମସ୍ତେ ଅନେକ ସଂଘର୍ଷ କରିଛନ୍ତି । ଏହି ସମୟରେ କାରବରଣ କରିଥିବା ଭୁବନାନନ୍ଦ ତ୍ରିପାଠୀ, ହରିହର ସାହୁ, ଗଦାଧର ବିଶ୍ୱାଳଙ୍କୁ ଆୟୋଜିତ କାର୍ଯ୍ୟକ୍ରମରେ ସମ୍ବର୍ଦ୍ଧିତ କରାଯାଇଥିଲା । ଏହି କାର୍ଯ୍ୟକ୍ରମ ଶେଷରେ ରାଜ୍ୟ ଉପସଭାପତି ଶ୍ରୀ ବିଷ୍ଣୁ ଦାସ ଧନ୍ୟବାଦ ଜ୍ଞାପନ କରିଥିଲେ । ଏଥିସହ ଆଜି ରାଜ୍ୟର ବିଭିନ୍ନ ଜିଲ୍ଲା ସମେତ ଅନେକ ସ୍ଥାନରେ ବିଜେପି ତରଫରୁ “ସମ୍ବିଧାନ ହତ୍ୟା ଦିବସ ବା କଳା ଦିବସ” ପାଳନ କରାଯାଇଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking