ସମ୍ବଲପୁର: ତେତ୍ରିଶ କୋଟି ଦେବାଦେବୀ, ଯକ୍ଷ, ଗନ୍ଧର୍ବ, କିନ୍ନର, ଦାନବ ଓ ମାନବଙ୍କ ଉପସ୍ଥିତିରେ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି ଦେବାଧିଦେବ ମହାଦେବ ଏବଂ ମାତା ପାର୍ବତୀ। ସମ୍ପୂର୍ଣ୍ଣ ମାନବୀୟ ରୀତିନୀତିରେ ବିବାହ ପାଣିଗ୍ରହଣ ପରେ ବିବାହ ମଣ୍ଡପରେ ଦେବଦମ୍ପତି ଭକ୍ତଙ୍କୁ ଦର୍ଶନ ଦେଇଥିଲେ । ଶୁକ୍ରବାର ସନ୍ଧ୍ୟାରେ କନ୍ୟା ପିତାମାତା ମହାଦେବଙ୍କ ସହ ଝିଅ ପାର୍ବତୀଙ୍କୁ ବିଦାୟ ଦେଇଥିଲେ । ମନ୍ଦିରରେ ପହଞ୍ଚିବା ପରେ ନବ ବିବାହିତ ଦମ୍ପତିଙ୍କର ପରମ୍ପରା ଅନୁସାରେ ଆଳତି ଓ ବନ୍ଦାଣ କରାଯାଇଥିଲା । ପରେ ନବବିବାହିତ ଦେବଦମ୍ପତିଙ୍କ ନଗର ପରିକ୍ରମା ଶୋଭାଯାତ୍ରା ବାହାରିଥିଲା ।
ନନ୍ଦପଡ଼ା ଓ ଝାଡ଼ୁଆପଡ଼ାର ରୁପାରେ ତିଆରି ମୁଖ ପରଭା ଏଥର ବି ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି। ବିଭିନ୍ନ କମିଟିର ଶୋଭାଯାତ୍ରାରେ ୧୦ ହଜାରରୁ ଅଧିକ କଳାକାର ସାମିଲ ହୋଇ ସେମାନଙ୍କ କଳା ପ୍ରଦର୍ଶନ କରିଛନ୍ତି। ଦେଶର ବିଭିନ୍ନ କୋଣରୁ ଆସିଥିବା ଭଳିକି ଭଳି ନୃତ୍ୟ, ବାଦ୍ୟ, ଗୀତ ଓ ସାଂସ୍କୃତିକ ଦଳ ଗୁଡ଼ିକ ଦର୍ଶକଙ୍କୁ ବିମୋହିତ କରିଛନ୍ତି। କେବଳ ସେତିକି ନୁହେଁ ବରଂ କମିଟିଗୁଡ଼ିକ ପକ୍ଷରୁ ପ୍ରସ୍ତୁତ କରାଯାଇଥିବା ବିଭିନ୍ନ ପ୍ରଜ୍ଞାପନ ମେଢ଼ ଦର୍ଶକଙ୍କୁ ଆକୃଷ୍ଟ କରିଛି। ମହାଦେବ ଓ ମାତା ପାର୍ବତୀଙ୍କ ଯୁଗଳଦର୍ଶନ ପାଇଁ ସମ୍ବଲପୁରରେ ଲକ୍ଷାଧିକ ଲୋକଙ୍କ ସମାଗମ ହୋଇଛି । ଶୋଭାଯାତ୍ରାରେ ମହାଦେବଙ୍କ ନଗର ଭ୍ରମଣ ପ୍ରାତଃ ୫ଟା ଯାଏଁ ଚାଲିଥିଲା। ପରେ ପୂର୍ବ ନିର୍ଦ୍ଧାରିତ ସ୍ଥାନରେ ବିଶ୍ରାମ ନେଇଥିଲେ ଭକ୍ତ ଓ ଭଗବାନ। ପୁଣି ଆଜି ସକାଳ ପ୍ରାୟ ୧୦ ଟାରୁ ନଗର ଭ୍ରମଣରେ ବାହାରିବେ ଦେବ ଦମ୍ପତି।









