ପୁରୀ: ଦିନକ ପରେ ମହାପ୍ରଭୁଙ୍କ ପବିତ୍ର ସ୍ନାନପୂର୍ଣ୍ଣିମା । ଏଥିପାଇଁ ଶ୍ରୀକ୍ଷେତ୍ରରେ ଲକ୍ଷାଧିକ ଭକ୍ତଙ୍କ ସମାଗମ ହେବ। ପବିତ୍ର ଦେବସ୍ନାନ ପୂର୍ଣ୍ଣିମାରେ ଶ୍ରଦ୍ଧାଳୁ ମାନେ କେବଳ ଶ୍ରୀମନ୍ଦିର ସିଂହଦ୍ଵାର ଦେଇ ପ୍ରବେଶ କରି ସ୍ନାନ ମଣ୍ଡପରେ ଦର୍ଶନ ପରେ ଶ୍ରୀମନ୍ଦିରର ଅନ୍ୟ ତିନି ଦ୍ୱାର ଦେଇ ପ୍ରସ୍ଥାନ କରିବେ। ସେହିପରି ବଡ଼ଦାଣ୍ଡରେ ମାର୍କେଟ ଛକ ଠାରୁ ଶ୍ରୀମନ୍ଦିର ପର୍ଯ୍ୟନ୍ତ ହୋଇଥିବା ବ୍ୟାରିକେଡ଼ର କିଛି ଅଂଶ ଖୋଲା ରହିବ।ଫଳରେ ବ୍ୟାରିକେଡରେ ଥିବା ଭକ୍ତ ମଧ୍ୟ ବଡ଼ଦାଣ୍ଡରେ ଥାଇ ସ୍ନାନ ମଣ୍ଡପରେ ଶ୍ରୀବିଗ୍ରହଙ୍କୁ ଦର୍ଶନ କରିପାରିବେ। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡଃ ଅରବିନ୍ଦ ପାଢୀ ବରିଷ୍ଠ ଅଧିକାରୀଙ୍କ ସହ ଦେବସ୍ନାନ ପାଇଁ ଗ୍ରହଣ କରାଯାଇଥିବା ସମସ୍ତ ବ୍ୟବସ୍ଥାର ଟିକିନିଖି ସମୀକ୍ଷା କରିଛନ୍ତି । ବିଶେଷ କରି ମହାପ୍ରଭୁଙ୍କ ହାତୀ ବେଶ କିଭଳି ଭକ୍ତ ଶ୍ରଦ୍ଧାଳୁ ଭଲ ଭାବରେ ଦେଖିପାରିବେ ସେ ଦିଗରେ ଅଧିକ ଗୁରୁତ୍ଵ ଦିଆଯାଉଛି । ଶୃଙ୍ଖଳିତ ସ୍ନାନଯାତ୍ରା,ରଥଯାତ୍ରା ନୀତି କାନ୍ତି ସୁରୁଖୁରୁରେ ସମ୍ପାଦନ ପାଇଁ ସବୁ ସେବାୟତ ସହଯୋଗ କରିବେ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ଼ଃ ଅରବିନ୍ଦ ପାଢ଼ୀ କହିଛନ୍ତି।










