25.1 C
Bhubaneswar
Friday, November 8, 2024
Homeଓଡିଶାରୋଡମ୍ୟାପ ପ୍ରସ୍ତୁତ କରିବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ

ରୋଡମ୍ୟାପ ପ୍ରସ୍ତୁତ କରିବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ

୨୦୨୯-୩୦ ସୁଦ୍ଧା ବିଦ୍ୟୁତ ଚାହିଦା ପ୍ରାୟ ୧୦ ହଜାର ମେଗା ୱାଟ୍‌ରେ ପହଞ୍ଚିବ

ଭୁବନେଶ୍ୱର: ରାଜ୍ୟରେ ପ୍ରାୟ ୧ କୋଟି ବିଦ୍ୟୁତ ଉପଭୋକ୍ତା ଅଛନ୍ତି।ସେମାନଙ୍କ ପାଇଁ ନିରବଚ୍ଛିନ୍ନ ଓ ନିର୍ଭରଯୋଗ୍ୟ ବିଦ୍ୟୁତ ଯୋଗାଣ ବ୍ୟବସ୍ଥା ଅପରିହାର୍ଯ୍ୟ । ଦୃତ ଶିଳ୍ପାୟନ, ଆର୍ଥିକ ଅଭିବୃଦ୍ଧି ଯୋଗୁଁ ରାଜ୍ୟରେ ବିଦ୍ୟୁତ ଚାହିଦା ଦ୍ରୁତ ଗତିରେ ବଢୁଛି। ଆସନ୍ତା ପାଞ୍ଚ ବର୍ଷ ଅର୍ଥାତ ୨୦୨୯-୩୦ ବେଳକୁ ବିଦ୍ୟୁତ ଚାହିଦା ପ୍ରାୟ ୧୦ ହଜାର ମେଗା ୱାଟ୍‌ରେ ପହଞ୍ଚିବ।ତେଣୁ ବିଦ୍ୟୁତ ଉତ୍ପାଦନ, ସରବରାହ ଓ ବିତରଣ ବ୍ୟବସ୍ଥାର ରୋଡମ୍ୟାପ ପ୍ରସ୍ତୁତ କରିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ।

ଶୁକ୍ରବାର ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାଜ୍ୟରେ ବିଦ୍ୟୁତ ବ୍ୟବସ୍ଥା ସମ୍ପର୍କରେ ସମୀକ୍ଷା କରି ଏହା କହିଛନ୍ତି। ଏହି ସମୀକ୍ଷାରେ ଶକ୍ତି ବିଭାଗ ଉପରେ ନ୍ୟସ୍ତଥିବା ଶକ୍ତି ଉତ୍ପାଦନ, ବିଦ୍ୟୁତ ସରବରାହ ଓ ବଣ୍ଟନ ବ୍ୟବସ୍ଥା ଉପରେ ସେ ବିଷଦ ଆଲୋଚନା କରିଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ୨୦୨୯-୩୦ ବେଳକୁ ରାଜ୍ୟରେ ପିକ୍ ଡିମାଣ୍ଡ ପ୍ରାୟ ୧୦ ହଜାର ମେଗା ୱାଟ୍‌ ରହିବ। ଏହି ଚାହିଦା ପୂରଣ କରିବା ପାଇଁ ଏକ ରୋଡ୍ ମ୍ୟାପ ପ୍ରସ୍ତୁତ କରିବା ଆବଶ୍ୟକ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। ଏଥିପାଇଁ ନୂଆ ପ୍ରାଇମେରୀ ସବ୍‌ ଷ୍ଟେସନ, ନୂଆ ୩୩ କେଭି ଏବଂ ୧୧ କେଭି ଲାଇନ୍‌ ଆଦି ଭିତ୍ତିଭୂମିର ବିକାଶ ଆବଶ୍ୟକ। ଏଥି ସହିତ ବର୍ତ୍ତମାନ କାର୍ଯ୍ୟକ୍ଷମ ଥିବା ୩୩/୧୧ କେଭି ଫିଡର ଗୁଡିକୁ ସୁଦୃଢ କରିବା ଏବଂ ଉଚ୍ଚ କ୍ଷମତା ସମ୍ପନ୍ନ ଟ୍ରାନ୍ସଫର୍ମର ବସାଇବା ଉପରେ ବୈଠକରେ ଆଲୋଚନା ହୋଇଥିଲା। ବଜେଟ୍‌ରେ ବିଦ୍ୟୁତ କ୍ଷେତ୍ରପାଇଁ ଆବଶ୍ୟକୀୟ ବ୍ୟୟ ବରାଦ କରି ରାଜ୍ୟକୁ ସଦାସର୍ବଦା ଶକ୍ତି କ୍ଷେତ୍ରରେ ବଳକା ରଖିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି।

ବିଦ୍ୟୁତ ବିତରଣ ସମ୍ପର୍କିତ ସମସ୍ତ ଅଭିଯୋଗର ସମୟାନୁଯାୟୀ ସମାଧାନ, ଅକ୍ଷୟ ଶକ୍ତିର ବିକାଶ ଏବଂ ବ୍ୟବହାର ବୃଦ୍ଧି, ପ୍ରାକୃତିକ ବିପର୍ଯ୍ୟୟ ନିରୋଧୀ ବିଦ୍ୟୁତ ଭିତ୍ତିଭୂମି ନିର୍ମାଣ, ବିଦ୍ୟୁତ କ୍ଷେତ୍ର ପାଇଁ ଦକ୍ଷ ଏବଂ ଆବଶ୍ୟକୀୟ ମାନବ ସମ୍ବଳ ନିଯୁକ୍ତ କରିବାକୁ ମୁଖ୍ୟମନ୍ତ୍ରୀ ଉପସ୍ଥିତ ଅଧିକାରୀମାନଙ୍କୁ ପରାମର୍ଶ ଦେବା ସହିତ ବାତ୍ୟ ‘ଦାନା’ ପରବର୍ତ୍ତୀ ସମୟରେ ତୁରନ୍ତ ବିଦ୍ୟୁତ ଯୋଗାଣ ସ୍ବାଭାବିକ କରିଥିବାରୁ ଶକ୍ତି ବିଭାଗ ତଥା ସମସ୍ତ ବିତରକ କମ୍ପାନୀଙ୍କୁ ସାଧୁବାଦ ଜଣାଇଥିଲେ। ବୈଠକରେ ଉପ ମୁଖ୍ୟମନ୍ତ୍ରୀ ତଥା କୃଷି ଓ କୃଷକ ସଶକ୍ତିକରଣ ଏବଂ ଶକ୍ତି ମନ୍ତ୍ରୀ କନକ ବର୍ଦ୍ଧନ ସିଂହ ଦେଓ ଉପସ୍ଥିତ ଥିଲେ। ଅନ୍ୟମାନଙ୍କ ମଧ୍ୟରେ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା, ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ମୁଖ୍ୟ ଶାସନ ସଚିବ ନିକୁଞ୍ଜ ବିହାରୀ ଧଳ, ଶକ୍ତି ବିଭାଗର ପ୍ରମୁଖ ଶାସନ ସଚିବ ହେମନ୍ତ ଶର୍ମା, ଓପିଟିସିଏଲ ଓ ଓଏଚପିସିର ନିର୍ଦ୍ଦେଶକ ବୃନ୍ଦ, ସମସ୍ତ ବିତରଣ କମ୍ପାନୀର ସିଇଓ ମାନେ ଯୋଗଦେଇ ଥିଲେ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking