31.1 C
Bhubaneswar
Wednesday, March 25, 2026
Homeଦେଶ ବିଦେଶଆମେରିକୀୟ ଗୁଇନ୍ଦା ରିପୋର୍ଟ ଲିକ୍‌; ଇରାନ୍‌କୁ ଧ୍ୱଂସ କରିବାକୁ ପ୍ରସ୍ତୁତ ଆଇଡିଏଫ୍‌

ଆମେରିକୀୟ ଗୁଇନ୍ଦା ରିପୋର୍ଟ ଲିକ୍‌; ଇରାନ୍‌କୁ ଧ୍ୱଂସ କରିବାକୁ ପ୍ରସ୍ତୁତ ଆଇଡିଏଫ୍‌

ଜେରୁଜେଲମ୍‌: ଇସ୍ରାଏଲ ସେନାର ସାମରିକ ଆଭିମୁଖ୍ୟ ସମ୍ପର୍କୀତ ଏକ ଆମେରିକୀୟ ଗୁଇନ୍ଦା ରିପୋର୍ଟ (ସାମରିକ ଡକ୍ୟୁମେଣ୍ଟ) ଲିକ୍ ହୋଇଛି। ଏଥିରେ ଇସ୍ରାଏଲ ବର୍ତ୍ତମାନ ଇରାନ ଉପରେ ଏକ ବଡ଼ ଆକ୍ରମଣ କରିବାକୁ ପୂର୍ଣ୍ଣ ପ୍ରସ୍ତୁତି କରିସାରିଥିବା ନେଇ ଦର୍ଶାଯାଇଛି। ଇରାନ୍ ଉପରେ ଏକ ଭୟଙ୍କର ଆକ୍ରମଣ ପୂର୍ବକ ଇରାନ୍‌କୁ ଧ୍ୱଂସ କରିଦେବା ପାଇଁ ଇସ୍ରାଏଲ୍ ସେନାର ଯୋଜନା ସମ୍ପର୍କୀତ କିଛି ସମ୍ବେଦନଶୀଳ ତଥ୍ୟ ଏବେ ସାମ୍ନାକୁ ଆସିଛି। ମଧ୍ୟପ୍ରାଚ୍ୟରେ ସାମ୍ପ୍ରତିକ ଯୁଦ୍ଧର କଳାବାଦଲ ଢ଼ାଙ୍କି ହୋଇ ରହିଛି। ଏପରି ସ୍ଥଳେ ଏପ୍ରକାର ରିପୋର୍ଟ ସାମ୍ନାକୁ ଆସିବା ପରେ ବିଶ୍ୱସ୍ତରରେ ଆଲୋଡନ ସୃଷ୍ଟି ହୋଇଛି। ଅନ୍ୟପକ୍ଷେ ଏହା ଉପରେ ଆମେରିକାର ଏଜେନ୍ସିଗୁଡ଼ିକ ଅନୁସନ୍ଧାନ ଆରମ୍ଭ କରିଥିବା ସୂଚନା ମିଳିଛି।

ଇସ୍ରାଏଲ ବର୍ତ୍ତମାନ ମଧ୍ୟପ୍ରାଚ୍ୟର ଏକାଧିକ ମୋର୍ଚ୍ଚାରେ ଯୁଦ୍ଧ ଲଢୁଛି। ଇସ୍ରାଏଲର ଆକ୍ରମଣରେ ହମାସ ମୁଖ୍ୟ ୟାହିୟା ସିନୱାରଙ୍କ ମୃତ୍ୟୁ ପରେ ଇରାନର ସର୍ବୋଚ୍ଚ ନେତା ଅୟୋତୋଲ୍ଲା ଅଲି ଖାମେନଇ କହିଛନ୍ତି ଯେ, ହମାସ ସମାପ୍ତ ହୋଇନାହିଁ। ହମାସ୍ ପ୍ରତି ଇରାନ୍‌ର ସମର୍ଥନ ରହିଥିବା ବେଳେ ଏହାକୁ ନେଇ ଇସ୍ରାଏଲ୍ -ଇରାନ୍ ଏବେ ମୁହାଁମୁହିଁ ପରିସ୍ଥିତିରେ ରହିଛନ୍ତି। ବିଶେଷକରି ୧ ଅକ୍ଟୋବର ୨୦୨୪ରେ ଇରାନ ପ୍ରାୟ ୨୦୦କ୍ଷେପଣାସ୍ତ୍ର ସହିତ ଇସ୍ରାଏଲ ଉପରେ ଆକ୍ରମଣ କରିଥିଲା। ଇରାନ୍ ପକ୍ଷରୁ ଇସ୍ରାଏଲ୍ ଉପରେ ହୋଇଥିବା ଏହି ଆକ୍ରମଣର ଜବାବ ଦେବା ଉଦ୍ଦେଶ୍ୟରେ ଇସ୍ରାଏଲ୍ ସେନା ବାହିନୀ ଏହି ଯୋଜନା ପ୍ରସ୍ତୁତ କରିଛି। ଇରାନ୍ ଆକ୍ରମଣର ଜବାବ ଏପର୍ଯ୍ୟନ୍ତ ଦେଇନଥିବା ଇସ୍ରାଏଲ ପାଇଁ ହମାସ ପରେ ଇରାନ୍ ହିଁ ପରବର୍ତ୍ତୀ ଟାର୍ଗେଟ୍ ବୋଲି ଇସ୍ରାଏଲ୍ ସେନାବାହିନୀ (ଆଇଡିଏଫ୍‌)ର ସାମରିକ କାର୍ଯ୍ୟକଳାପଗୁଡିକ ସମ୍ପର୍କରେ ଲିକ୍ ହୋଇଥିବା ଏହି ତଥ୍ୟରେ ଉଲ୍ଲେଖ ରହିଛି। ପ୍ରକାଶ, ଦୁଇଟି ଡକ୍ୟୁମେଣ୍ଟ ମଧ୍ୟରୁ ଗୋଟିକରେ ଇସ୍ରାଏଲ ବାୟୁସେନା ଇରାନ ଉପରେ ଆକ୍ରମଣ ପାଇଁ ପ୍ରସ୍ତୁତି ଜାରି ରଖିଥିବା ସହ କ୍ଷେପଣାସ୍ତ୍ରର ପୁନଃ ସ୍ଥାପନର ସ୍ଥିତି ଏଥିରେ ଦର୍ଶାଯାଇଛି। ସେହିପରି ଦ୍ୱିତୀୟ ଡକ୍ୟୁମେଣ୍ଟରେ ଅସ୍ତ୍ରଶସ୍ତ୍ର ଏବଂ ଅନ୍ୟାନ୍ୟ ସାମରିକ ସମ୍ପତ୍ତିକୁ ରଣନୀତିକ ସ୍ଥାନକୁ ସ୍ଥାନାନ୍ତର ପ୍ରସ୍ତୁତି ସମ୍ପର୍କରେ ଦର୍ଶାଯାଇଛି।

ନ୍ୟୁୟର୍କ ଟାଇମ୍ସ ଏନେ ଏକ ବିସ୍ତୃତ ରିପୋର୍ଟ ପ୍ରକାଶ କରିଛି। ଏଥିରେ ଆମେରିକାର ସାଟେଲାଇଟ୍ ନ୍ୟାସନାଲ୍ ଜିଓସ୍ପାଟିଆଲ୍‌-ଇଣ୍ଟେଲିଜେନ୍ସ ଏଜେନ୍ସି (ଏନ୍‌ଜିଏ) ଏପରି କିଛି ଚିତ୍ର କଏଦ କରିଛି, ଯେଉଁଥିରେ ଇସ୍ରାଏଲ୍ ସେନାର ପ୍ରସ୍ତୁତିକୁ ଦେଖିଲେ ଏକ ବଡ଼ ପଦକ୍ଷେପ ନେବାକୁ ଯୋଜନା କରାଯାଉଥିବା ସ୍ପଷ୍ଟ ଜଣାପଡୁଛି। ପ୍ରକାଶ, ୧୫ ଏବଂ ୧୬ ଅକ୍ଟୋବର ୨୦୨୪ରେ, ଏହିପରି ଦୁଇଟି ଡକ୍ୟୁମେଣ୍ଟ ଇରାନକୁ ସମର୍ଥନ କରୁଥିବା ଅନେକ ଟେଲିଗ୍ରାମ ଆକାଉଣ୍ଟ ଦ୍ୱାରା ମଧ୍ୟ ଅଂଶୀଦାର କରାଯାଇଥିଲା। ଇସ୍ରାଏଲର ସାମରିକ କାର୍ଯ୍ୟକଳାପଗୁଡିକ ଏହି ଦଲିଲଗୁଡ଼ିକରେ ସମ୍ପୂର୍ଣ୍ଣ ବିସ୍ତୃତ ଭାବରେ ଦର୍ଶାଯାଇଛି। ସେଥିରୁ ସ୍ପଷ୍ଟ ହେଉଛି ଯେ ଇସ୍ରାଏଲ ବର୍ତ୍ତମାନ ଇରାନ ଉପରେ ଏକ ବଡ଼ ଧରଣର ଆକ୍ରମଣ କରିବାକୁ ଯୋଜନା କରୁଛି। ତେବେ ଏହି ଗୁପ୍ତଚର ଦଲିଲ ଲିକ୍ ହେବାର ଖବର ପାଇବା ପରେ ଆମେରିକାର ଗୁପ୍ତଚର ଏଜେନ୍ସି, ପ୍ରତିରକ୍ଷା ବିଭାଗ ପେଣ୍ଟାଗନ୍ ଏବଂ ଏଫ୍‌ବିଆଇ ମିଳିତ ଭାବେ ଏହାର ଅନୁସନ୍ଧାନ ଆରମ୍ଭ କରିଛନ୍ତି। ଦୁଇ ଦେଶ ମଧ୍ୟରେ ବଢୁଥିବା ତିକ୍ତତା ମଧ୍ୟରେ ଏପ୍ରକାର ଗୁରୁତ୍ୱପୂର୍ଣ୍ଣ ଡକ୍ୟୁମେଣ୍ଟ ଲିକ୍ ହେବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚନା କରାଯାଉଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking