ଭୁବନେଶ୍ୱର : ସ୍ଥାୟୀ ଭବିଷ୍ୟତ ଓ ଦେଶର ଆର୍ଥିକ ସୁରକ୍ଷାକୁ ସୁଦୃଢ଼ କରିବା ଦିଗରେ ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ‘ଅର୍ଥନୈତିକ ଆତ୍ମସୁରକ୍ଷା’ ପରାମର୍ଶ ପାଳନ କରିବାକୁ ଓଡ଼ିଶାର ମାନ୍ୟବର ରାଜ୍ୟପାଳ ଡ଼. ହରି ବାବୁ କମ୍ଭମପାଟି ଜନସାଧାରଣଙ୍କୁ ଆହ୍ୱାନ ଜଣାଇଛନ୍ତି । ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନକୁ ପୂର୍ଣ୍ଣ ସମର୍ଥନ ଜଣାଇ ରାଜ୍ୟପାଳ କହିଛନ୍ତି ଯେ, ଦେଶର ଦୀର୍ଘକାଳୀନ ସମୃଦ୍ଧି ଏବଂ ରଣନୈତିକ ସ୍ୱାର୍ଥକୁ ସୁରକ୍ଷା ଦେବା ପାଇଁ ଅର୍ଥନୈତିକ ସ୍ଥିରତା ଏବଂ ଆତ୍ମନିର୍ଭରଶୀଳତା ଏକାନ୍ତ ଆବଶ୍ୟକ । ରାଜ୍ୟପାଳ ଉଲ୍ଲେଖ କରିଛନ୍ତି ଯେ, ସଚେତନ ଭାବେ ଜନସାଧାରଣଙ୍କ ଅଂଶଗ୍ରହଣ ଏବଂ ଦାୟିତ୍ୱପୂର୍ଣ୍ଣ ଭାବରେ ବ୍ୟବହାର ଦେଶର ଅର୍ଥନୀତିକୁ ସୁଦୃଢ଼ କରିବାରେ ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ଦେବ। ଲୋକ ଭବନ ଓଡ଼ିଶାର ସ୍ଥାୟୀତ୍ୱ ପ୍ରତି ପ୍ରତିବଦ୍ଧତା ଉପରେ ଆଲୋକପାତ କରି ରାଜ୍ୟପାଳ ଉଲ୍ଲେଖ କରିଛନ୍ତି ଯେ, ତାଙ୍କ କାରକେଡରେ ଥିବା ସମସ୍ତ ଯାନ ବିଦ୍ୟୁତ ଚାଳିତ I ଏଥି ସହିତ ଲୋକ ଭବନ ସମ୍ପୂର୍ଣ୍ଣ ଭାବେ ସୌରଶକ୍ତିରେ ପରିଚାଳିତ ହେଉଥିବାରୁ ଏହା ଏକ ମଡେଲ ନେଟ୍-ଜିରୋ କ୍ୟାମ୍ପସ ଭାବରେ ଉଭା ହୋଇଛି।
ଲୋକ ଭବନର କର୍ମଚାରୀମାନେ ପେଟ୍ରୋଲ ଓ ଡିଜେଲ ଯାନ ପରିବର୍ତ୍ତେ ବୈଦ୍ୟୁତିକ ଯାନକୁ ବ୍ୟବହାର କରିବାକୁ ଉତ୍ସାହିତ କରାଯାଉଛି । ଲୋକ ଭବନରେ କର୍ମଚାରୀମାନେ ସେମାନଙ୍କର ଯାନ ମାଗଣାରେ ଚାର୍ଜ କରିବାର ସୁବିଧା ଉପଲବ୍ଧ କରାଯାଇଛି ବୋଲି ମଧ୍ୟ ରାଜ୍ୟପାଳ ଉଲ୍ଲେଖ କରିଛନ୍ତି ।ଏ ସମ୍ପର୍କରେ ରାଜ୍ୟପାଳ କହିଛନ୍ତି ଯେ, ପ୍ରତି ସପ୍ତାହରେ ଅତି କମରେ ଗୋଟିଏ ଦିନ “ଦହନ ଇଞ୍ଜିନ-ମୁକ୍ତ ଦିବସ” ପାଳନ କରିବା ପାଇଁ ରାଜ୍ୟର ସମସ୍ତ ବିଶ୍ୱବିଦ୍ୟାଳୟର କୁଳପତିମାନଙ୍କୁ ନିର୍ଦ୍ଦେଶ ଦେବା ପାଇଁ ପଦକ୍ଷେପ ନିଆଯାଉଛି। ଛାତ୍ରଛାତ୍ରୀ ଏବଂ ଯୁବପିଢ଼ି ସେମାନଙ୍କ ଦୈନନ୍ଦିନ ଜୀବନରେ ସାଇକେଲ, ବୈଦ୍ୟୁତିକ ଯାନ ଏବଂ ସାଧାରଣ ପରିବହନକୁ ଅଧିକରୁ ଅଧିକ ଭାବେ ବ୍ୟବହାର କରିବାକୁ ଉତ୍ସାହିତ କରିବା ପାଇଁ ରାଜ୍ୟପାଳ ଗୁରୁତ୍ୱାରୋପ କରିଛନ୍ତି।ସରକାରୀ ଅଧିକାରୀ ଏବଂ କର୍ମଚାରୀମାନଙ୍କୁ ସରକାରୀ ଯାନର ଅନାବଶ୍ୟକ ବ୍ୟବହାରକୁ କମ କରିବା ଏବଂ ଇନ୍ଧନ ସଂରକ୍ଷଣ ପ୍ରୟାସରେ ସକ୍ରିୟ ଭାବରେ ସହଯୋଗ କରିବାକୁ ମଧ୍ୟ ରାଜ୍ୟପାଳ ପରାମର୍ଶ ଦେଇଛନ୍ତି ।
ସୁନା କ୍ରୟକୁ ଅତି କମରେ ଗୋଟିଏ ବର୍ଷ ପାଇଁ ସ୍ଥଗିତ ରଖିବା ଏବଂ ରନ୍ଧନ ତୈଳ ବ୍ୟବହାର ହ୍ରାସ କରିବା ପାଇଁ ପ୍ରଧାନମନ୍ତ୍ରୀ ନାଗରିକମାନଙ୍କୁ କରିଥିବା ନିବେଦନକୁ ଉଲ୍ଲେଖ କରି ରାଜ୍ୟପାଳ କହିଛନ୍ତି ଯେ, ଇନ୍ଧନ ସଂରକ୍ଷଣ, ସ୍ୱଦେଶୀ ଉତ୍ପାଦକୁ ପ୍ରୋତ୍ସାହିତ କରିବା, ପ୍ରାକୃତିକ କୃଷିକୁ ପ୍ରୋତ୍ସାହିତ କରିବା ଏବଂ ରନ୍ଧନ ତୈଳ ବ୍ୟବହାର ହ୍ରାସ କରିବା କେବଳ ସଂରକ୍ଷଣର କାର୍ଯ୍ୟ ନୁହେଁ ବରଂ ଏହା ରାଷ୍ଟ୍ରକୁ ମଜବୁତ ଏବଂ ସୁରକ୍ଷା ଦେବା ପାଇଁ ଅତ୍ୟାବଶ୍ୟକ ପଦକ୍ଷେପ ବୋଲି କହିଛନ୍ତି। ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ପରାମର୍ଶ ପାଳନ କରିବାକୁ ଏବଂ ଦାୟିତ୍ୱ ଓ ଦେଶପ୍ରେମର ମନୋଭାବ ସହିତ ଜାତୀୟ ମିଶନରେ ସମାଜର ସମସ୍ତ ବର୍ଗର ନାଗରିକମାନଙ୍କୁ ଯୋଗଦେବାକୁ ରାଜ୍ୟପାଳ ଆହ୍ୱାନ ଜଣାଇଛନ୍ତି । ଇନ୍ଧନ ସଂରକ୍ଷଣ ଏବଂ ଏହାର ଅନାବଶ୍ୟକ ବ୍ୟବହାର ହ୍ରାସ କରିବା ଦିଗରେ ପ୍ରତିଟି ସଚେତନ ପଦକ୍ଷେପ ଦେଶର ଆର୍ଥିକ ସ୍ଥିରତା ଏବଂ ସାମୂହିକ ଭବିଷ୍ୟତକୁ ସୁଦୃଢ଼ କରିଥାଏ। ଦାୟିତ୍ୱପୂର୍ଣ୍ଣ ଭାବରେ ସ୍ଥାୟୀ ଅଭ୍ୟାସଗୁଡ଼ିକୁ ଗ୍ରହଣ କରି ଆମେ ଆଗାମୀ ପିଢ଼ି ପାଇଁ ଏକ ଆତ୍ମନିର୍ଭରଶୀଳ, ସୁରକ୍ଷିତ ଏବଂ ସମୃଦ୍ଧ ଭାରତ ଗଠନରେ ଯୋଗଦାନ ଦେଇପାରିବା ବୋଲି ରାଜ୍ୟପାଳ କହିଛନ୍ତି।










