29.1 C
Bhubaneswar
Saturday, October 5, 2024
Homeଓଡିଶାଶିକ୍ଷକମାନେ ହେଉଛନ୍ତି ମଣିଷ ଗଢ଼ା ଶିଳ୍ପୀ: ମୁଖ୍ୟମନ୍ତ୍ରୀ

ଶିକ୍ଷକମାନେ ହେଉଛନ୍ତି ମଣିଷ ଗଢ଼ା ଶିଳ୍ପୀ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ରାଜ୍ୟ ସରକାର ଆଜି ୧୬,୦୦୯ ଜଣ ଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କୁ ନିଯୁକ୍ତିପତ୍ର ଦେଇଛନ୍ତି। କଳିଙ୍ଗ ଷ୍ଟାଡିୟମରେ ଆୟୋଜିତ ନିଯୁକ୍ତି ସମାରୋହରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନବନିଯୁକ୍ତ ୧୬,୦୦୯ ଜଣ କନିଷ୍ଠ ଶିକ୍ଷକ-ଶିକ୍ଷୟିତ୍ରୀଙ୍କୁ ନିଯୁକ୍ତିପତ୍ର ହସ୍ତାନ୍ତର କରିବା ସହିତ ମାର୍ଗଦର୍ଶନ କରିଛନ୍ତି। ନବନିଯୁକ୍ତ କନିଷ୍ଠ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ନିଯୁକ୍ତିପତ୍ର ପ୍ରଦାନ କରିବା ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଛନ୍ତି, ଭାରତୀୟ ସାଂସ୍କୃତିକ ପରଂପରାରେ ଗୁରୁଙ୍କୁ ସ୍ବତନ୍ତ୍ର ସ୍ଥାନ ଦିଆଯାଇଥାଏ। ସନାତନ ପରଂପରା ଅନୁସାରେ ବିଦ୍ୟାର୍ଥୀମାନେ ଗୁରୁଙ୍କ ଆଶ୍ରମରେ ଶିକ୍ଷା ଗ୍ରହଣ କରୁଥିଲେ। ତେଣୁ ଗୁରୁଙ୍କୁ ବ୍ରହ୍ମା, ବିଷ୍ଣୁ ଓ ମହେଶ୍ବରଙ୍କ ସହିତ ତୁଳନା କରାଯାଇଥାଏ। ଆଜିର ଶିକ୍ଷା ବ୍ୟବସ୍ଥା ଆଧୁନିକତାର ବଶବର୍ତ୍ତୀ ହୋଇଛି। ଶିକ୍ଷା କ୍ଷେତ୍ରରେ ଶିକ୍ଷକଙ୍କ ଭୂମିକା ଅତୁଳନୀୟ। ଶିଶୁମାନଙ୍କୁ ଏକ ଭଲ ମଣିଷ ଭାବେ ଗଣିବା ଶିକ୍ଷକମାନେ ଦାୟିତ୍ବ ନେଇଥାନ୍ତି। ଆପଣମାନେ ହେଉଛନ୍ତି ମଣିଷ ଗଢ଼ା ଶିଳ୍ବୀ। ମଣିଷ ଭିତରେ ଦୟା, କ୍ଷମା, ସହନଶୀଳତା ଗୁଣ ରହିଛି। ଶିକ୍ଷକ ହେଉଛି ସବୁଠାରୁ ସମ୍ମାନସ୍ପଦ ବୃତ୍ତି। ବାପା-ମା ପିଲାମାନଙ୍କୁ ଜନ୍ମ ଦେଇଥାନ୍ତି। କିନ୍ତୁ ଶିକ୍ଷକମାନେ ପିଲାମାନଙ୍କୁ ଶିକ୍ଷା ଓ ସଂସ୍କାର ଦେଇ ପୂର୍ଣ୍ଣ ମଣିଷ କରିଥାନ୍ତି।

କନିଷ୍ଠ ଶିକ୍ଷକ-ଶିକ୍ଷୟିତ୍ରୀଙ୍କ ମାର୍ଗଦର୍ଶନ କାର୍ଯ୍ୟକ୍ରମରେ ଶ୍ରୀ ମାଝୀ କହିଛନ୍ତି, ରାଜ୍ୟ ସରକାର ଶିକ୍ଷା କ୍ଷେତ୍ରକୁ ଗୁରୁତ୍ବପୂର୍ଣ୍ଣ ବିଷୟ ମନେ କରିଛନ୍ତି। ଏଥି ପାଇଁ ଗତବର୍ଷର ବଜେଟ୍ ତୁଳନାରେ ଚଳିତ ଆର୍ଥିକ ବର୍ଷରେ ଭଲ ବଜେଟ୍ ଉପସ୍ଥାପନ କରିଛନ୍ତି। ଯଦିଓ ମୁଁ ଆଜି ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ବ ତୁଲାଉଛି। କିନ୍ତୁ ମୁଁ ଶିକ୍ଷକ ଭାବେ ଅତୀତରେ କାମ କରିଛି। ଶିକ୍ଷକଙ୍କର ଗୁରୁତ୍ବ ଭୂମିକାକୁ ଏଡାଇ ଦିଆଯାଇପାରିବ ନାହିଁ। ଓଡ଼ିଶାର ଭବିଷ୍ୟତ ଗଢ଼ିବା ପାଇଁ ସରକାର ନୂଆ ରୂପ ଦେବାକୁ ଉଦ୍ୟମ କରୁଛି।

ନବନିଯୁକ୍ତ ଶିକ୍ଷକ-ଶିକ୍ଷୟିତ୍ରୀମାନଙ୍କୁ ସମ୍ବୋଧିତ କରି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି, କିଛି ଲୋକଙ୍କ ଭାଗ୍ୟରେ ଥାଏ ବଡ଼ କାମ କରିବା ପାଇଁ। ଯେଉଁମାନେ ଶିକ୍ଷା କ୍ଷେତ୍ରରେ କାମ କରିବାକୁ ଚାହୁଁଛନ୍ତି ସେମାନଙ୍କ ହାତରେ ରାଜ୍ୟ ଓ ଦେଶର ଭବିଷ୍ୟତ ରହିଛି। ଜାତୀୟ ଶିକ୍ଷା ନୀତିରେ ମାତୃଭାଷା ମାଧ୍ୟମରେ ଶିକ୍ଷା ଦିଆଯିବାର ବ୍ୟବସ୍ଥା ରହିଛି। ଆପଣମାନେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପିଲାମାନଙ୍କୁ ମାତୃଭାଷାରେ ଶିକ୍ଷା ଦେବେ। ଆପଣମାନେ ଭୀଷ୍ମ ପୀତାମହଙ୍କ ଭଳି କାର୍ଯ୍ୟକରିବେ।

ଶ୍ରୀ ପ୍ରଧାନ କହିଛନ୍ତି, ଓଡ଼ିଆ ଭାଷାରେ ଶିକ୍ଷାଲାଭ କରି ମଧୁସୂଦନ ଦାସ, ଗୋପବନ୍ଧୁ ଦାସ ଓ ସୁଭାଷ ଚନ୍ଦ୍ର ବୋଷ ବଡ଼ ମଣିଷ ହୋଇଥିଲେ। ତାଙ୍କୁ ମଧ୍ୟ କେହି ଜଣେ ଓଡ଼ିଆ ଶିକ୍ଷକ ପାଠ ପଢ଼ାଇଥିଲେ। ବିକଶିତ ଭାରତ ଗଠନରେ ଶିକ୍ଷକମାନଙ୍କର ଭୂମିକା ରହିଛି। ଏଥି ପାଇଁ ପ୍ରଥମେ ବିକଶିତ ଓଡ଼ିଶା ଗଠନ କରିବାକୁ ପଡ଼ିବ। ଆପଣମାନଙ୍କର ପ୍ରଶିକ୍ଷଣ ଉପରେ ବିକଶିତ ଓଡ଼ିଶାର ଭାଗ୍ୟ ନିର୍ଦ୍ଧାରଣ କରୁଛି। ଓଡ଼ିଶାରେ ଏବେ ସରକାରୀ ଓ ଘରୋଇ ବିଦ୍ୟାଳୟରେ ୩ ଲକ୍ଷ ୩୪ ହଜାର ଶିକ୍ଷକ ଅଛନ୍ତି। ଆଜି ୧୬ ହଜାର ନୂଆ ବିନ୍ଧାଣୀ ଯୋଗ ଦେଇଛନ୍ତି। ରାଜ୍ୟରେ ଏବେ ସରକାରୀ, ସରକାରୀ ଅନୁଦାନପ୍ରାପ୍ତ ଓ ଘରୋଇ ସ୍କୁଲରେ ୭୬ ଲକ୍ଷ ୪୯ ହଜାର ପିଲା ପାଠ ପଢୁଛନ୍ତି। ଆପଣମାନେ ବାଜି ରାଉତଙ୍କ ୯୨ତମ ଜୟନ୍ତୀ ଅବସରରେ ନୂଆ ଦାୟିତ୍ବ ଗ୍ରହଣ କରୁଛନ୍ତି। ଏହା ଗୌରବର ବିଷୟ।

କେନ୍ଦୁଝରର ନବନିଯୁକ୍ତ ଶିକ୍ଷୟିତ୍ରୀ ଚିନ୍ମୟୀ କର କହିଛନ୍ତି, ନିଜର ଚେଷ୍ଟା, କଠିନ ପରିଶ୍ରମ ଦ୍ବାରା ଆମେ ଲକ୍ଷ୍ୟ ସ୍ଥଳରେ ପହଞ୍ଚିପାରିବା। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶିକ୍ଷକ ଭାବେ କ୍ୟାରିୟର ଆରମ୍ଭ କରିଥିଲେ। ଆମେ ନିଷ୍ଠାର ସହିତ ଶିକ୍ଷାଦାନ କଲେ ପିଲାମାନଙ୍କର ସର୍ବାଙ୍ଗୀନ ଉନ୍ନତି ହୋଇପାରିବ। ସ୍ଥାନୀୟ କଳିଙ୍ଗ ଷ୍ଟାଡିୟମରେ ଆୟୋଜିତ କାର୍ଯ୍ୟକ୍ରମରେ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ, କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ, ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା, ଶିକ୍ଷା ସଚିବ ଶାଳିନୀ ପଣ୍ଡିତ, ଶାଳିନୀ ପଣ୍ଡିତ, ଓସେପା ପ୍ରକଳ୍ପ ନିର୍ଦ୍ଦେଶିକା ଅନନ୍ୟା ଦାସ ମଧ୍ୟ ଉପସ୍ଥିତ ଅଛନ୍ତି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking